29.1 C
Bhubaneswar
Sunday, May 5, 2024
Homeଓଡିଶାଜୁରୁଡି ଗ୍ରାମରେ ହାଡ଼ପୁଟି ଆତଙ୍କ, ଝଡାଫୁଙ୍କାରେ ଚାଲିଛି ଚିକିତ୍ସା

ଜୁରୁଡି ଗ୍ରାମରେ ହାଡ଼ପୁଟି ଆତଙ୍କ, ଝଡାଫୁଙ୍କାରେ ଚାଲିଛି ଚିକିତ୍ସା

ରାୟଗଡ଼ା : ବିଜ୍ଞାନ ଯୁଗରେ ଏବେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ଗ୍ରାମାଞ୍ଚଳରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ରାଜୁତି କରୁଛି। ରୋଗବ୍ୟାଧି ହେଲେ ମଧ୍ୟ ଆଦିବାସୀମାନେ ମେଡିକାଲ ନଯାଇ ଗୁଣିଅ, ଦିଶାରି ଓ ବେଜୁଣୀର ଆଶ୍ରୟ ନେଉଛନ୍ତି । ଫଳରେ ଆଦିବାସୀ ସଂପ୍ରଦାୟର ଲୋକେ ସାମାନ୍ୟ ରୋଗରେ ଚିକିତ୍ସା ଅଭାବ ଫଳରେ ମୃତ୍ୟୁବରଣ କରୁଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରରୁ ମାତ୍ର ୫ କିଲୋମିଟର ଦୂର ଅବସ୍ଥିତ ଜୁରୁଡି ଗ୍ରାମରେ । ଗ୍ରାମର ପ୍ରାୟ ୮ ଜଣ ଏବେ ହାଡ଼ଫୁଟି ରୋଗରେ ଆକ୍ରାନ୍ତ । ମେଡିକାଲ ବଦଳରେ ଘରେ ଚାଲିଛି ଝଡାଫୁଙ୍କା ଚିକିତ୍ସା । ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୫ କିଲୋମିଟର ଦୂର ଥିବା ଏହି ଗାଁର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ଲୋକେ ଯାଉନାହାନ୍ତି ।

ଦୀର୍ଘ ୬ ଦିନ ହେବ ଗ୍ରାମର ସାଦୁ ଜିଲାକାରା, ରବି ତାଡିଙ୍ଗି, ମିମି ତାଡିଙ୍ଗି, ଶାନ୍ତି ତାଡିଙ୍ଗି, ରଜନୀ ତାଡିଙ୍ଗି, ଆର୍ଜୁମଣୀ ତାଡିଙ୍ଗିଙ୍କ ସମେତ ୪ ବର୍ଷର ଦୁଇ ଶିଶୁ ଆର୍ଯ୍ୟନ୍ ତାଡିଙ୍ଗି ଓ ରିଙ୍କିତା ତାଡିଙ୍ଗି ହାଡ଼ଫୁଟି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ହାଡଫୁଟି ଏକ ବାୟୁବାହିତ ଭୂତାଣୁ ଜନିତ ରୋଗ । ରୋଗ ଚିହ୍ନଟ ହେବାର ୪୮ ଘଣ୍ଟା ମଧ୍ୟରେ ଔଷଧ ସେବନର ଆବଶ୍ୟକତା ରହିଛି । କିନ୍ତୁ ନିରୀହ ଆଦିବାସୀଙ୍କ ମନରେ ଏଯାଏଁ ଏହା ଏକ ଠାକୁରାଣୀଙ୍କ କୋପ ବୋଲି ଅନ୍ଧବିଶ୍ୱାସ ଭରି ରହିଛି । ମେଡିକାଲ୍ ନଯାଇ ସେମାନେ ଦେଶୀ ଔଷଧ ବ୍ୟବହାର କରୁଛନ୍ତି । ଫଳରେ ଦୀର୍ଘ ୬ ଦିନ ହେବ ଜୁରୁଡି ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଲୋକେ ଡାକ୍ତରୀ ଚିକିତ୍ସା ନକରି ଗୁଣିଆ ଓ ବେଜୁଣିକୁ ଭରସା କରୁଛନ୍ତି । ପ୍ରତିଦିନ ବେଜୁଣୀ ଝଡାଫୁଙ୍ଗା କରିବା ସହ ଗ୍ରାମ ଦେବତାକୁ ପୂଜା କରୁଛନ୍ତି । ଲୋକେ ନିମ ଡାଳକୁ ଦେହରେ ଝାଡ଼ିବା ସହ ୪ ଦିନ ପର୍ଯ୍ୟନ୍ତ ଅଗାଧୂଆ ହୋଇରହୁଛନ୍ତି ।

୪ ଦିନ ପରେ ନିମପତ୍ର ଓ ହଳଦି ପାଣିରେ ଗାଧୋଇଲେ ହାଡଫୁଟି ସମ୍ପୂର୍ଣ୍ଣ ଛାଡ଼ିଯିବ ବୋଲି ଆଦିବାସୀ ସଂପ୍ରଦାୟରେ ବିଶ୍ୱାସ ରହିଛି । ଅନ୍ଧବିଶ୍ୱାସକୁ ଆଶ୍ରୟ କରି ଲୋକେ ଗୁଣିଆ ବେଜୁଣୀ ଉପରେ ଭରସା କରୁଥିବାରୁ ଗାଁରେ ହାଡଫୁଟି ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେପଟେ ଗାଁ ଗାଁରେ ନିୟମିତ ଭାବେ ଭ୍ରାମ୍ୟମାଣ ମେଡିକାଲ ସେବା ପହଞ୍ଚୁନଥିବାରୁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ଭୁଷୁଡ଼ିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking