30.1 C
Bhubaneswar
Saturday, May 18, 2024
Homeଓଡିଶାମୌଳିକ ସୁବିଧାରୁ ବଞ୍ଚିତ କନ୍ଧପଡ଼ାବାସୀ, ଛତିଶଗଡ଼ରେ ମିଶିବାକୁ ଆଗ୍ରହୀ

ମୌଳିକ ସୁବିଧାରୁ ବଞ୍ଚିତ କନ୍ଧପଡ଼ାବାସୀ, ଛତିଶଗଡ଼ରେ ମିଶିବାକୁ ଆଗ୍ରହୀ

ବରଗଡ : ରାଜ୍ୟ ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁଁ ସାମାନ୍ୟ ମୌଳିକ ସୁବିଧାରୁ ବଞ୍ଚିତ ସୀମାନ୍ତ ଗ୍ରାମଗୁଡ଼ିକ ଏବେ ଛତିଶଗଡ଼ ସହ ମିଶିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲାର କେତେକ ଗ୍ରାମ ଛତିଶଗଡ଼ ସହ ମିଶିବାକୁ ସେଠାକାର ଜନପ୍ରତିନିଧିଙ୍କ ସହ ଯୋଗାଯୋଗ ରଖି ଲିଖିତ ଭାବେ ନିବେଦନ କରିଛନ୍ତି । ସେହିପରି ବିଜୁଳି, ପାଣି, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ମୌଳିକ ସୁବିଧାରୁ ବଞ୍ଚିତ କେତେକ ସୀମାନ୍ତ ଗ୍ରାମ ଆଜି ବି ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଉପରେ ଭରସା କରିବାକୁ ବାଧ୍ୟ ହେଉଛନ୍ତି । ଭଟଲି ବ୍ଲକ୍ ନାରଙ୍ଗପୁର ପଞ୍ଚାୟତର କନ୍ଧପଡ଼ା ଗ୍ରାମ ହେଉଛନ୍ତି ଏହାର ଜ୍ୱଳନ୍ତ ଉଦାହରଣ ।

କାଶୀପାଲି ଗ୍ରାମର ୱାର୍ଡ ନମ୍ବର ୭ ଅନ୍ତର୍ଗତ କନ୍ଧପଡ଼ାରେ ପାଖାପାଖି ୫୬ ପରିବାର ବାସ କରିଥାନ୍ତି । ତେଲି , ସହଁରା, କନ୍ଧ ସଂପ୍ରଦାୟର ଲୋକେ ଏଠାରେ ବସବାସ କରୁଥିବା ବେଳେ ଅଧିକାଂଶ ହେଉଛନ୍ତି କୃଷି ଶ୍ରମିକ । ଏହି ଗାଁର ଲୋକେ ଘରୁ ଗୋଡ଼ କାଢ଼ିଲେ ଛତିଶଗଡ଼ରେ ପାଦ ଥାପିଥାନ୍ତି । କାରଣ ରାସ୍ତାର ଗୋଟିଏ ପଟେ ରହିଛି ଓଡ଼ିଶାର କନ୍ଧପଡ଼ା ଏବଂ ଅନ୍ୟ ପଟେ ଛତିଶଗଡ଼ର ଘୋଘରା । ରାସ୍ତାଟି ଦୁଇ ରାଜ୍ୟର ସୀମାନ୍ତ ଭାବରେ ରହିଛି । କନ୍ଧପଡ଼ାବାସୀ ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ । ଅପରପଟେ ଥିବା ଛତିଶଗଡ଼ର ଘୋଘରା କିନ୍ତୁ ତା’ଠାରୁ ବେଶ ଉନ୍ନତ । କନ୍ଧପଡ଼ାକୁ ଏଯାଏଁ ବିଦ୍ୟୁତ ସେବା ପହଞ୍ଚି ପାରି ନ ଥିବାବେଳେ ସ୍କୁଲ ମଧ୍ୟ ନାହିଁ । ସ୍ୱାସ୍ଥ୍ୟ ସେବା ମଧ୍ୟ ଅନୁରୂପ । ଏପରି ସ୍ଥିତିରେ ରାସ୍ତା ଅପରପଟେ ଥିବା ଛତିଶଗଡ଼ର ଘୋଘରା ଗ୍ରାମର ବିଜୁଳିଠାରୁ ଆରମ୍ଭ କରି ପାନୀୟ ଜଳ ଆଦି ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ କନ୍ଧପଡ଼ାବାସୀ ।

ଘୋଘରାରେ ଥିବା ପ୍ରାଥମିକ ସ୍କୁଲରେ କନ୍ଧପଡ଼ାର ଛାତ୍ରଛାତ୍ରୀ ପଢ଼ିଥାନ୍ତି ଏବଂ ୧୦ କିଲୋମିଟର ଦୂର ଛତିଶଗଡ଼ର ଡୁଙ୍ଗୁରିପାଲିରେ ଉଚ୍ଚତର ଶିକ୍ଷା ପାଇଁ ଯାଇଥାନ୍ତି । ସେହିପରି ସ୍ୱାସ୍ଥ୍ୟ ସେବା ପାଇଁ ସେମାନେ ବରଗଡ଼ ଜିଲ୍ଲା ପରିବର୍ତ୍ତେ ଡୁଙ୍ଗୁରିପାଲି ଡାକ୍ତରଖାନା ଉପରେ ନିର୍ଭରଶୀଳ । ସେଠାକାର ସ୍କୁଲରେ ପାଠ ପଢ଼ାଇବା ପାଇଁ କନ୍ଧପଡ଼ାବାସୀ ନିଜ ପିଲାଛୁଆଙ୍କ ଆଧାର କାର୍ଡ ଛତିଶଗଡ଼ ରାଜ୍ୟରେ କରୁଥିବା ପରିଲକ୍ଷିତ ହେଉଛି । ଫଳରେ ବାପାମାଆଙ୍କ ଆଧାର କାର୍ଡ ଓଡ଼ିଶାରେ ଥିବାବେଳେ ପିଲାଛୁଆଙ୍କ ଛତିଶଗଡ଼ ରାଜ୍ୟର ରହିଛି । ଯଦ୍ୱାରା ଛାତ୍ରଛାତ୍ରୀମାନେ ସେଠାକାର ସ୍କୁଲରେ ମିଳୁଥିବା ସୁବିଧା ସୁଯୋଗ ପାଇପାରୁଛନ୍ତି । ସେହିପରି ଘୋଘରାବାସୀ ସେଠାକାର ସରକାରଙ୍କଠାରୁ ଜଣପିଛା ୭ କିଲୋ ଚାଉଳ ସହ କାର୍ଡ ପିଛା ଏକ କିଲୋ ଚିନି, ୨ କିଲୋ ଚଣା, ଲୁଣ, କିରୋସିିନ୍ ପାଉଥିବାବେଳେ କନ୍ଧପଡ଼ାବାସୀ ମାତ୍ର ପାଞ୍ଚ କିଲୋ ଚାଉଳ ପାଇଥାନ୍ତି । ସେହି ଗ୍ରାମରେ ବିଜୁଳି ଓ ପାଣି ସବୁ ଅସୁବିଧା ରହିଛି ।

ନିର୍ବାଚନ ସମୟରେ ନେତାମାନେ ଆସି ପ୍ରତିଶ୍ରୁତିର ପାହାଡ଼ ପୋତିଦିଅନ୍ତି । ମାତ୍ର ନିର୍ବାଚନ ସରିଗଲେ କାହାରି ଦେଖା ମିଳେନାହିିଁ ବୋଲି କନ୍ଧପଡ଼ା ଗ୍ରାମର ରୋହିତ ଭୋଇ କହିଛନ୍ତି । ଏଠାରେ ସବୁ ପ୍ରକାର ସମସ୍ୟା ରହିଛି । ସରକାର ଆମର କିଛି ସୁବିଧା କରୁନାହିଁ। ମଜୁରୀ କରିବାକୁ ମଧ୍ୟ ଆମେ ଛତିଶଗଡ ଯାଉ । ଆମେ କେବଳ ଏଠାରେ ରହିଛୁ,  ଛତିଶଗଡ଼ ହିଁଁ ଆମର ସାହା ଭରସା ବୋଲି ବାଲମୁକୁନ୍ଦ ସା’ କହିଛନ୍ତି । ରାଜ୍ୟ ସରକାର ବିକାଶର ଭଳିକି ଭଳି ଚିତ୍ର ଦେଖାଉଥିବାବେଳେ ବରଗଡ଼ ଜିଲ୍ଲାର ସୀମାନ୍ତ ଗ୍ରାମର କନ୍ଧପଡ଼ାକୁ ତାହା ଅପହଞ୍ଚ ହୋଇପଡ଼ିଛି । ଏବେ ବି ସମୟ ଅଛି , ନଚେତ ଆଗାମୀ ଦିନରେ କନ୍ଧପଡା ବି ଓଡ଼ିଶା ହାତରୁ ଚାଲିଯିବ ନ ଯିବ ତାହା କିଏ କହିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking