33.1 C
Bhubaneswar
Saturday, April 27, 2024
Homeଓଡିଶାଛଅ ବର୍ଷ ହେଲା ହଷ୍ଟେଲରେ ନାହିଁ ପାଣି, ବିଜୁଳି

ଛଅ ବର୍ଷ ହେଲା ହଷ୍ଟେଲରେ ନାହିଁ ପାଣି, ବିଜୁଳି

ରାଇଘର : ଦୀର୍ଘ ଛଅ ବର୍ଷ ହେଲା ଅନ୍ଧାରରେ ଛାତ୍ର । ସେମାନଙ୍କ ପାଖରେ ନା ପହଞ୍ଚିଛି ପାଣି ନା ବିଦ୍ୟୁତ । ସମସ୍ୟା ଭିତରେ ଘାଣ୍ଟି ହୋଇ ହଷ୍ଟେଲରେ ରହିଆସୁଛନ୍ତି ଛାତ୍ରମାନେ । ଏଭଳି ସମସ୍ୟା ଦେଖିବାକୁ ମିଳିଛି ରାଇଘର ବ୍ଲକ ପାରୁଆ ଉଚ୍ଚ ପ୍ରକଳ୍ପ ବିଦ୍ୟାଳୟର ହଷ୍ଟେଲ ଗୃହରେ । ରାଇଘର ବ୍ଲକ ପାରୁଆ ଉଚ୍ଚ ପ୍ରକଳ୍ପ ବିଦ୍ୟାଳୟରେ ୪୩୯ ଜଣ ଶିକ୍ଷାଦାନ ନିମନ୍ତେ ବ୍ୟବସ୍ଥା ରହିଛି । ସେଥିମଧ୍ୟରୁ ୧୪୦ ଜଣ ଛାତ୍ର ରହିବା ନିମନ୍ତେ ହଷ୍ଟେଲରେ ବ୍ୟବସ୍ଥା ରହିଛି । ବିଦ୍ୟାଳୟ ପରିସରରେ ହଷ୍ଟେଲ ବ୍ୟବହାର କରାଯାଉଥିବା ବେଳେ ସମସ୍ୟାକୁ ଗୁରୁତ୍ୱ ଦେଇ ଗ୍ରାମବାସୀ ହଷ୍ଟେଲ ଗୃହ ନିର୍ମାଣ ନିମନ୍ତେ ଦାବି କରିଥିଲେ । ଏହା ପରେ ବିଦ୍ୟାଳୟଠାରୁ ୫ ଶହ ମିଟର ଦୂରରେ ହଷ୍ଟେଲ ଗୃହ ନିର୍ମାଣ କରାଯାଇଥିଲା ।

୨୦୧୫ରେ ତତ୍କାଳୀନ ବିଧାୟକ ସୁବାଷ ଗଣ୍ଡ ଏହାକୁ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନର ଛଅ ବର୍ଷ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ହଷ୍ଟେଲ ଗୃହରେ ପାନୀୟ ଜଳ ବ୍ୟବସ୍ଥା ଓ ବିଦ୍ୟୁତ ବ୍ୟବସ୍ଥା ପହଞ୍ଚିପାରିନାହିଁ । ଫଳରେ ଛାତ୍ରମାନେ ନାନା ସମସ୍ୟାରେ ସମ୍ମୁଖୀନ ହେବା ସହ ନିକଟରେ ଥିବା ପୋଖରୀ ଉପରେ ନିର୍ଭର କରୁଛନ୍ତି । କରୋନା ନିମନ୍ତେ ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବାବେଳେ ଧୀରେ ଧୀରେ ଖୋଲିବାରେ ଲାଗିଛି । ବର୍ତ୍ତମାନ ଦଶମ ଶ୍ରେଣୀର ୪୦ ଜଣ ଛାତ୍ର ରହୁଛନ୍ତି । ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉନାହାନ୍ତି । ଗ୍ରାମବାସୀ ଏ ସମ୍ପର୍କରେ ସାଂସଦ, ବିଧାୟକ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି । ଏଥି ସହ ସ୍କୁଲ ଶିକ୍ଷା କମିଟି ପକ୍ଷରୁ ମଧ୍ୟ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଅବଗତ କରାଯାଇଥିବାବେଳେ ସମସ୍ୟାର ସମାଧାନ ଦିଗରେ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରିନାହିଁ । ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ,ଏସଡିଓଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି । ସମସ୍ୟାକୁ ଦୃଷ୍ଟିଦେଇ ଏକ ସୋଲାର୍ ପଏଣ୍ଟ୍ ଲଗାଯାଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇ ପାରୁନାହିଁ ।
ଆଗକୁ ଧୀରେ ଧୀରେ ସମସ୍ତ ଶ୍ରେଣୀ ଖୋଲିବାକୁ ଯାଉଛି ।

ସମ୍ପ୍ରତି ହଷ୍ଟେଲ ସମସ୍ୟାକୁ ନେଇ ଗ୍ରାମବାସୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାର ଶିକ୍ଷାର ବିକାଶ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଦାୟିତ୍ୱରେ ଥିବା ଅଧିକାରୀ ଓ ଉଚ୍ଚପ୍ରଦସ୍ଥ ଅଧିକାରୀଙ୍କ ତଦାରଖ ଅଭାବରୁ ଛାତ୍ରଛାତ୍ରୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହଷ୍ଟେଲ ଗୃହ ନିର୍ମାଣ ପରେ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ପାନୀୟ ଜଳ ବ୍ୟବସ୍ଥା ଓ ବିଦ୍ୟୁତ ସଂଯୋଗ କରି ସ୍କୁଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବା କଥା । କିନ୍ତୁ ଉଦ୍‌ଘାଟନ ସମୟରେ ଏଥିପ୍ରତି କୌଣସି ତଦାରଖ ନ କରିବା କାରଣରୁ ଛାତ୍ର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହଷ୍ଟେଲ ଗୃହ ମଧ୍ୟରେ ଯେଉଁ ଭଳି ସମସ୍ୟା ମାନ ରହିଛି ନ କହିବା ଭଲ । ଯଥା ଶିଘ୍ର ସମସ୍ୟାର ସମାଧାନ ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking