28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ୧୫ ଜିଲ୍ଲାରେ ତାଳ ଚାଷକୁ ପ୍ରୋତ୍ସାହନ: କେନ୍ଦ୍ର ସରକାର ଦେଉଛନ୍ତି ଚାଷୀଙ୍କୁ ୭୫% ସହାୟତା

୧୫ ଜିଲ୍ଲାରେ ତାଳ ଚାଷକୁ ପ୍ରୋତ୍ସାହନ: କେନ୍ଦ୍ର ସରକାର ଦେଉଛନ୍ତି ଚାଷୀଙ୍କୁ ୭୫% ସହାୟତା

ଭୁବନେଶ୍ୱର: ତାଳ ଚାଷକୁ ପ୍ରୋତ୍ସାହନ ଦେବା ନିମନ୍ତେ କେନ୍ଦ୍ର ସରକାର ଚାଷୀଙ୍କୁ ୭୫% ସହାୟତା ଦେଉଛନ୍ତି । ବିଳମ୍ବରେ ହେଉ ପଛକେ ରାଜ୍ୟ ସରକାର ମଧ୍ୟ ୧୫ ଜିଲ୍ଲାରେ ତାଳ ଚାଷକୁ ପ୍ରୋତ୍ସାହନ ଦେବା ଆରମ୍ଭ କରିଛନ୍ତି । ଫଳରେ ପ୍ରାୟ କୋଡ଼ିଏ ହଜାରରୁ ଅଧିକ ଚାଷୀ ସିଧାସଳଖ ଉପକୃତ ହେଉଛନ୍ତି । ଚାଷୀମାନେ ତାଳ ଚାଷରୁ ବିଭିନ୍ନ ଖାଦ୍ୟ ତଥା ଘରୋଇ ସମାଗ୍ରୀ ପ୍ରସ୍ତୁତ କରି ବର୍ଷକୁ ହେକ୍ଟର ପ୍ରତି ୩୩ ହଜାରରୁ ୧ ଲକ୍ଷ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ରାଜ୍ୟ କୃଷି ବିଭାଗ ତାହା ଆକଳନ କରିଛି । ରାଜ୍ୟର କେଉଁ ଜମିରେ ତାଳ ଚାଷ ଭଲ ହେଉଛି ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ସର୍ଭେ କରିଥିଲେ । ଉଚ୍ଚ ନା’ ନିଚ୍ଚ ଜମି ଭଲ ତାହା ମଧ୍ୟ ଆକଳନ ହୋଇଥିଲା ।

ଭାରତ ସରକାରଙ୍କ ରିପୋର୍ଟ ଅନୁସାରେ ୧୫୫,୭୦୭ ବର୍ଗ କିଲୋମିଟର ପରିବ୍ୟାପ୍ତ ଓଡ଼ିଶାରେ ଏବେ ୬୧.୮୦ ଲକ୍ଷ ହେକ୍ଟର ଚାଷପୋଯୋଗୀ ଜମି ମଧ୍ୟରୁ ୨୯.୧୪ ଲକ୍ଷ ହେକ୍ଟର ଉଚ୍ଚ ଜମି, ୧୭.୫୫ ଲକ୍ଷ ହେକ୍ଟର ମଧ୍ୟମ ଧରଣର ଜମି ଓ ୧୫.୧୧ ଲକ୍ଷ ହେକ୍ଟର ନିଚ୍ଚା ଜମି ରହିଛି । ଏଥିରୁ ୮.୦୬ ଲକ୍ଷ ହେକ୍ଟର ଉଚ୍ଚ ଜମିରେ ଖରିଫ୍ ଚାଷ ହେଉଥିଲାବେଳେ ୧୫.୮୦ ଲକ୍ଷ ହେକ୍ଟର ମଧ୍ୟମ କିସମର ଜମି ଓ ୧୪.୯୪ଲକ୍ଷ ହେକ୍ଟର ନିଚ୍ଚ ଜମିରେ ବି ଖରିଫ୍ ଚାଷ ହେଉଛି । ପହାଡ଼ିଆ ଓ ସାମାନ୍ୟ ସୁଷ୍କ ଜମିରେ ତାଳ ଚାଷ ଭଲ ହୋଇଥାଏ । ରାଜ୍ୟରେ କିଛି ନିର୍ଦ୍ଧିଷ୍ଟ କିଛି ଜିଲ୍ଲାରେ ଏହି ଚାଷ କରା ଯାଇଥାଏ । ବିଶେଷକରି ଢେଙ୍କାନାଳ ଓ ରାୟଗଡ଼ାର ଜଳବାୟୁ ତାଳ ଚାଷ ପାଇଁ ଉପଯୋଗୀ ହୋଇଥାଏ । ସେଥିପାଇଁ ରାଜ୍ୟ ସରକାର ଏହି ଦୁଇ ଜିଲ୍ଲାକୁ ଅଧିକ ଫୋକସ୍ ଦେଇଛନ୍ତି ।

କୃଷି ବିଭାଗର ତଥ୍ୟାନୁସାରେ ରାୟଗଡ଼ା ଜିଲ୍ଲାରେ ୧୧୮୩ ହେକ୍ଟର ଜମିରେ ତାଳ ବା ଅଏଲ୍ ପାମ୍ ଚାଷ କରାଯାଉଥିବାବେଳେ ଢେଙ୍କାନାଳ ଜିଲ୍ଲାରେ ୩୦ ହେକ୍ଟର ଜମିରେ ତାଳ ଚାଷ କରାଯାଉଛି । ସେହିପରି ଉକ୍ତ ଦୁଇ ଜିଲ୍ଲାକୁ ମିଶାଇ ରାଜ୍ୟରେ ୧୫ଟି ଜିଲ୍ଲାରେ ତାଳ ଚାଷ ବେଶ୍ ସଫଳ ହୋଇଛି । ସେହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ବୌଦ୍ଧ, ବରଗଡ଼, ଭଦ୍ରକ, କଟକ, ଯାଜପୁର, ଢେଙ୍କାନାଳ, ଗଜପତି, ଗଞ୍ଜାମ, କୋରାପୁଟ, ମୟୂରଭଞ୍ଜ, ନୟାଗଡ଼, ନବରଙ୍ଗପୁର, ସୋନପୁର ଏବଂ ରାୟଗଡ଼ା ।

ତେବେ ବାକି ଜିଲ୍ଲାରେ ତାଳ ଚାଷକୁ ପର୍ଯ୍ୟାୟକ୍ରମେ ଅନ୍ତର୍ଭୁକ୍ତ କରାଯିବ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି । ତାଳ ଚାଷ କରି ଚାଷୀମାନେ ବେଶ୍ ଲାଭବାନ ହେଉଛନ୍ତି । ଆକଳନ ଅନୁଯାୟୀ ବର୍ଷକୁ ହେକ୍ଟର ପ୍ରତି ଚାଷୀ ୩୩ ହଜାରରୁ ୧.୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ତେଣୁ ଆଗାମୀ ଦିନରେ ତାଳ ଚାଷକୁ ଆହୁରି ପ୍ରେତ୍ସାହିତ କରାଯିବ ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି । ତେବେ ରାଜ୍ୟରେ ବର୍ଷାର ଅନିୟମିତତା କାରଣରୁ ଚାଷ କାର୍ଯ୍ୟ ଅଧିକାଂଶ ସମୟରେ ବାଧାପ୍ରାପ୍ତ ହେଉଛି । ଜଳସେଚିତ ଜମି ପରିମାଣ ବି ହ୍ରାସ ପାଉଛି । ତେଣୁ ଚାଷୀ ଧାନ ଚାଷ ସହିତ ତାଳ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ଦେଖା ଯାଇଛି । ଏହା ନିଶ୍ଚିତ ଭାବରେ ରାଜ୍ୟ ପାଇଁ ଶୁଭଙ୍କର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking