27.1 C
Bhubaneswar
Sunday, August 7, 2022
Homeବିଜିନେସ୍ମହଙ୍ଗା ହେଲା ହୋମ୍ ଲୋନ୍‌, ପର୍ସନାଲ୍ ଲୋନ୍‌: ରେପୋ ରେଟ୍ ୦.୫% ବୃଦ୍ଧିକଲା ଆର୍‌ବିଆଇ

ମହଙ୍ଗା ହେଲା ହୋମ୍ ଲୋନ୍‌, ପର୍ସନାଲ୍ ଲୋନ୍‌: ରେପୋ ରେଟ୍ ୦.୫% ବୃଦ୍ଧିକଲା ଆର୍‌ବିଆଇ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର ନିଜର ମୁଦ୍ରାନୀତି ଘୋଷଣା କରିଛି । ଏହି ଅନୁସାରେ ରେପୋ ରେଟ୍‌ରେ ୦.୫ ପ୍ରତିଶତ ବୃଦ୍ଧି କରାଯାଇଛି । ଫଳରେ ରେପୋ ରେଟ୍ ଏବେ ୪.୯୦ରୁ ବୃଦ୍ଧି ପାଇ ୫.୪୦ ପ୍ରତିଶତ ହୋଇଛି । ଏହି ନିଷ୍ପତ୍ତି ଆର୍‌ବିଆଇ ମୁଦ୍ରା ନୀତି ସମିତି ସର୍ବସମ୍ମତିକ୍ରମେ ନିଆଯାଇଛି ବୋଲି ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି । ଏହି ଘୋଷଣା ପୂର୍ବରୁ ସେ ଗ୍ଲୋବାଲ୍ ମୂଲ୍ୟବୃଦ୍ଧିକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ । ରେପୋ ରେଟ୍ ବୃଦ୍ଧି ପାଇବା ଫଳରେ ଏବେ ହୋମ୍‌ଲୋନ୍‌, ଅଟୋ ଲୋନ୍ ଏବଂ ପର୍ସନାଲ୍ ଲୋନ୍ ମହଙ୍ଗା ହେବା ସହ ଏହାର ଇଏମ୍‌ଆଇରେ ମଧ୍ୟ ବୃଦ୍ଧି ଘଟିବ । ମୁଦ୍ରା ନୀତି ସମିତି (ଏମ୍‌ପିସି)ର ତିନିଦିନିଆ ବୈଠକରେ ନିଆଯାଇଥିବା ନିର୍ଣ୍ଣୟ ସମ୍ପର୍କରେ ସୂଚନା ଦେଇ ଆର୍‌ବିଆଇ ଗଭର୍ଣ୍ଣର ଦାସ କହିଥିଲେ, ଏମ୍‌ପିସି ସର୍ବସମ୍ମତିରେ ରେପୋ ରେଟ୍ ୦.୫୦ ପ୍ରତିଶତ ବୃଦ୍ଧିକରି ୫.୪୦ ପ୍ରତିଶତ କରିବାକୁ ନିର୍ଣ୍ଣୟ ନେଇଛି ।

ସେ କହିଥିଲେ, ଏବେ ଭାରତୀୟ ଅର୍ଥ ବ୍ୟବସ୍ଥା ଉଚ୍ଚ ମୁଦ୍ରାସ୍ଫୀତିକୁ ନେଇ ସଂଘର୍ଷ କରୁଛି ଏବଂ ଏହା ନିୟନ୍ତ୍ରଣକୁ ଆଣିବା ଜରୁରୀ । ସେ କହିଥିଲେ, ମୁଦ୍ରାସ୍ଫୀତିକୁ କାବୁ କରିବା ନିମନ୍ତେ ନରମ ନୀତିଗତ ନିଷ୍ପତ୍ତିକୁ ପ୍ରତ୍ୟହାର କରିବା ଉପରେ ଧ୍ୟାନ ଦେବାକୁ ମଧ୍ୟ ସମିତି ନଷ୍ପତ୍ତି ନେଇଛି । ସାମାନ୍ୟ ମୌସୁମୀ ବର୍ଷା ଏବଂ ଅଶୋଧିତ ତୈଳ ଦର ପ୍ରତି ବ୍ୟାରେଲ୍ ୧୦୫ ଡଲାର ରହିବା ସମ୍ଭାବନା ଆଧାରରେ ଆର୍‌ବିଆଇ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମୁଦାସ୍ଫୀତି ଅନୁମାନ ୬.୭ ପ୍ରତିଶତରେ ସ୍ଥିର ରଖିଛି । ଆର୍‌ବିଆଇ ଗଭର୍ଣ୍ଣର ଦାସ କହିଥିଲେ, ବର୍ତ୍ତମାନ ଭାରତୀୟ ଅର୍ଥ ବ୍ୟବସ୍ଥା ଉଚ୍ଚ ମୁଦ୍ରାସ୍ଫୀତିକୁ ନେଇ ସଂଘର୍ଷ କରୁଛି ।

ଯଦିଓ ଏପ୍ରିଲ୍ ମାସ ତୁଳନାରେ ମୂଲ୍ୟବୃଦ୍ଧିରେ ହ୍ରାସ ଘଟିଛି । ଗ୍ରାମୀଣ ଡିମାଣ୍ଡ୍‌ରେ ସୁଧାର ଘଟିଥିବା ଦେଖିବାକୁ ମିଳିଛି । ୨୦୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଜିଡିପି ୧୬.୨ ପ୍ରତିଶତ ରହିବାର ଆଶାବ୍ୟକ୍ତ କରିବା ସହ ଆହ୍ୱାନ ସତ୍ତ୍ୱେ ଜିଡିପି ୭.୨ ପ୍ରତିଶତରେ ସ୍ଥିର ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ସେହିପରି ମୁଦ୍ରା ନୀତି ସମିତି ସ୍ଥାନୀୟ ସଞ୍ଚୟ ସୁବିଧା (ଏସ୍‌ଡିଏଫ୍‌) ଦର ୪.୬୫ ପ୍ରତିଶତରୁ ବୃଦ୍ଧି କରି ୫.୧୫ ପ୍ରତିଶତ କରିଛି । ଆର୍ଥିକ କ୍ଷେତ୍ରରେ ଥିବା ପର୍ଯ୍ୟାପ୍ତ ପୁଞ୍ଜି ଗ୍ଲୋବାଲ୍ ଘଟଣାକ୍ରମର ପ୍ରଭାବରୁ ବିଦେଶୀ ମୁଦ୍ରା ଭଣ୍ଡାରର ସୁରକ୍ଷା କରିଛି ବୋଲି ସେ କହିଥିଲେ । ସୂଚନାଯୋଗ୍ୟ, ଖୁଚୁରା ମୁଦ୍ରାସ୍ଫୀତିକୁ କାବୁ କରିବା ନିମନ୍ତେ ଆର୍‌ବିଆଇ ଚଳିତ ଆର୍ଥିକ ବର୍ଷରେ ଏହା ପୂର୍ବରୁ ଦୁଇଥର ରେପୋ ରେଟ୍‌କୁ ବୃଦ୍ଧି କରିଥିଲା । ମେ ମାସରେ ୦.୪୦ ପ୍ରତିଶତ ଏବଂ ଜୁନ୍‌ରେ ୦.୫୦ ପ୍ରତିଶତ ବୃଦ୍ଧ କରାଯାଇଥିଲା । ତୃତୀୟ ଥର ପାଇଁ ଶୁକ୍ରବାର ୦.୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ରେପୋ ରେଟ୍ ୪.୯୦ ପ୍ରତିଶତ ଥିଲା, ଯାହା କୋଭିଡ୍‌ପୂର୍ବ ସ୍ତର ୫.୧୫ ପ୍ରତିଶତରୁ ମଧ୍ୟ ତଳେ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking