38.1 C
Bhubaneswar
Friday, April 26, 2024
Homeଓଡିଶାବାତ୍ୟା ଫନୀ ପରଠାରୁ ଗାଁ’ କୋଠଘରେ ରହୁଛନ୍ତି ରାମଚନ୍ଦ୍ରଙ୍କ ପରିବାର

ବାତ୍ୟା ଫନୀ ପରଠାରୁ ଗାଁ’ କୋଠଘରେ ରହୁଛନ୍ତି ରାମଚନ୍ଦ୍ରଙ୍କ ପରିବାର

ଚାରିଛକ : ଗତ ଫନୀ ବାତ୍ୟାରେ ଘର ଭାଙ୍ଗି ଯାଇଥିବା ଯୋଗୁଁ ନିମାପଡ଼ା ବ୍ଲକ୍ ବାହାରଣା ପଞ୍ଚାୟତ କଦଳୀବାରୀ ଗ୍ରାମର ରାମଚନ୍ଦ୍ରଙ୍କ ପରିବାର ଏବେ ଗାଁ କୋଠଘରେ ଆଶ୍ରୟ ନେଇଛନ୍ତି । ଘର ଭାଙ୍ଗିଯିବାକୁ ବର୍ଷେ ପୂରି ସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ସରକାରୀ ଯୋଜନାରେ ଘରଟିଏ ମିଳିପାରି ନାହିଁ ବୋଲି ଅଭିଯୋଗ କରିଛନ୍ତି । ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ସେ ଏହି କୋଠଘରେ ପତ୍ନୀ ମାଳତୀ ସ୍ୱାଇଁ (୫୦) ଓ ଏକମାତ୍ର ପୁଅ ବାବୁ (୨୬) ଧରି ପଡ଼ିଛନ୍ତି । ଦୈନିକ ମଜୁରି ଲାଗି ରାମଚନ୍ଦ୍ର ଯାହା ରୋଜଗାର କରନ୍ତି ସେଥିରେ ରୋଗିଣା ପୁଅର ଚିକିତ୍ସା ସହ ୩ ପ୍ରାଣୀ କୁଟୁମ୍ବ ବହୁ କଷ୍ଟରେ ଚଳନ୍ତି । ଗତବର୍ଷ ଫନୀ ବାତ୍ୟାରେ ଗାଁ’ରେ ଥିବା ରାମଚନ୍ଦ୍ରଙ୍କ ମାଟି ଚାଳଛପର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ସେତେବେଳେ ସରକାରୀ କର୍ମଚାରୀମାନେ ଆସି ଘର ଦେଖିବା ସହିତ ନାଁ’ ଗାଁ’ ଲେଖି ନେଇଥିଲେ । ମାତ୍ର ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳିନଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି ।
କେଉଁଠି ମୁଣ୍ଡ ଗୁଞ୍ଜିବେ ତାକୁ ନେଇ ରାମଚନ୍ଦ୍ରଙ୍କ ଚିନ୍ତା । ଘର ଭାଙ୍ଗିଯିବା ପରେ ସାମ୍ନାରେ ଥିବା କୋଠଘରେ ରହିବାକୁ ଗାଁ’ ଲୋକେ ତାଙ୍କୁ କହିଥିଲେ । ସେବେଠାରୁ ପତ୍ନୀ ଓ ମାନସିକ ବିକୃତ ପୁଅକୁ ଧରି ସେହିଠାରେ ରହିଆସୁଛନ୍ତି । ଘରଟିଏ ପାଇଁ ସେ ରାଜନେତାଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ନିକଟରେ ବାରମ୍ବାର ଅନୁରୋଧ କରିଆସୁଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁନଥିବା ରାମଚନ୍ଦ୍ର ପ୍ରକାଶ କରିଛନ୍ତି । ଗତ ୫ମାସ ତଳେ ରାମଚନ୍ଦ୍ରଙ୍କ ବୃଦ୍ଧା ମା\’ ଆରପାରିକୁ ଚାଲିଯିବାରୁ ଗାଁ’ରେ ମାଗିଯାଚି ଶୁଦ୍ଧିକ୍ରିୟା କରିଥିବା ଗ୍ରାମବାସୀ କୁହନ୍ତି । ଜମିବାଡ଼ି ନଥିବା ବେଳେ ଲକଡାଉନ୍ ଯୋଗୁଁ ୨/୩ ମାସ ହେଲା ଆଉ ତାଙ୍କୁ ପୂର୍ବଭଳି କାମଧନ୍ଦା ମିଳୁନି ବୋଲି ପତ୍ନୀ ମାଳତୀ ପ୍ରକାଶ କରିଛନ୍ତି । ପାଖରେ ଥିବା ରାସନକାର୍ଡ ଖଣ୍ଡେ ଯୋଗୁଁ ସରକାରଙ୍କ ପକ୍ଷରୁ ଚାଉଳ ଗଣ୍ଡାକ ମିଳିଯାଉଛି । ଗାଁ’ କୋଠଘରେ ପରିବାର ଧରି ଆଉ କେତେଦିନ ରହିବେ । ଘର ଖଣ୍ଡେ ତୋଳିବା ପାଇଁ ଯେତେ ନେହୁରା ହେଲେ ମଧ୍ୟ ସରକାରୀ ସ୍ତରରେ କେହି ଶୁଣୁନାହାନ୍ତି ତାଙ୍କ କଥା । ଏବେ ରହିବେ କେଉଁଠି, ଖାଇବେ କ\’ଣ ସେ ନେଇ ଚିନ୍ତାରେ ପଡିଛନ୍ତି ଗରିବ ଦମ୍ପତି । ସରକାର ଘର ଖଣ୍ଡେ ନିର୍ମାଣ ପାଇଁ ବ୍ୟବସ୍ଥା କରିବାକୁ ଆକୁଳନ ନିବେଦନ କରିଛନ୍ତି ରାମଚନ୍ଦ୍ର ଓ ପତ୍ନୀ ମାଳତୀ । ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking