27.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶପେଗାସସ୍ ମାମଲା: ସୁପ୍ରିମକୋର୍ଟରେ ଶୁଣାଣି ଶେଷ

ପେଗାସସ୍ ମାମଲା: ସୁପ୍ରିମକୋର୍ଟରେ ଶୁଣାଣି ଶେଷ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ପେଗାସସ୍ ସ୍ପାଏୱେୟାର ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ଶେଷ ହୋଇଥିବାବେଳେ ରାୟକୁ ସଂରକ୍ଷିତ ରଖାଯାଇଛି । ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସୋମବାର ପ୍ରାୟ ୮୦ ମିନିଟ ଧରି ମାମଲାର ଶୁଣାଣି କରିଥିଲେ । ଏହି ସମୟରେ ଏ ସମ୍ପର୍କିତ କୌଣସି ତଥ୍ୟ ସାର୍ବଜନୀନ କରିବାକୁ କେନ୍ଦ୍ର ସରକାର ସ୍ପଷ୍ଟ ମନା କରିଦେଇଥିବା ଜଣାପଡିଛି । ଜାତୀୟ ନିରାପତ୍ତା ସହ ଏହି ସ୍ପାଏୱେୟାର ଜଡିତ ହୋଇଥିବାରୁ ଅଧିକ ସୂଚନା ପ୍ରଦାନ କରିବା ଅସମ୍ଭବ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଆଉ ସତ୍ୟପାଠ ଦାଖଲ କରିବେ ନାହିଁ ବୋଲି ଶ୍ରୀ ମେହେଟ୍ଟା କହିଛନ୍ତି । ଏହି ପରିପ୍ରେକ୍ଷୀରେ ଆଗାମୀ ତିନି ଚାରି ଦିନ ମଧ୍ୟରେ ରାୟ ପ୍ରକାଶ ପାଇବ ବୋଲି ଜଷ୍ଟିସ ରମନା କହିଛନ୍ତି । କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ଗଠନ କରି ଏ ସମ୍ପର୍କିତ ଅଭିଯୋଗର ତଦନ୍ତ ରିପୋର୍ଟ ଦାଖଲ କରିପାରିବେ କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ । ଉତ୍ତରରେ ଶ୍ରୀ ମେହେଟ୍ଟା କହିଥିଲେ ଯେ ଜାତୀୟ ସ୍ୱାର୍ଥ ଓ ଜାତୀୟ ନିରାପତ୍ତା ସହ ଜଡିତ କୌଣସି ପ୍ରସଙ୍ଗର ତଦନ୍ତ ନିମନ୍ତେ କମିଟି ଗଠନ କରାଯାଇପାରିବ ନାହିଁ ।

ଏ ପ୍ରସଙ୍ଗରେ କେନ୍ଦ୍ର ସରକାର ଅଗଷ୍ଟ ୧୬ରେ ଦାଖଲ କରିଥିବା ସତ୍ୟପାଠ ଚୂଡାନ୍ତ ବୋଲି ଶ୍ରୀ ମେହେଟ୍ଟା ଖଣ୍ଡପୀଠକୁ ଅବଗତ କରାଇଥିଲେ । ସୂଚନାଯୋଗ୍ୟ ଏହି ସତ୍ୟପାଠରେ କେନ୍ଦ୍ର ସରକାର ପେଗାସସ୍ ସ୍ପାଏୱେୟାରର ଅପବ୍ୟବହାର ସମ୍ପର୍କରେ ସ୍ୱୀକାର କିମ୍ବା ଅସ୍ୱୀକାର କରିନଥିଲେ । ଅପରପକ୍ଷରେ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇ ଏହାର ତଦନ୍ତ କରିବାକୁ କେନ୍ଦ୍ର ସରକାର ସତ୍ୟପାଠରେ ଉଲ୍ଲେଖ କରିଥିଲେ । ବର୍ତ୍ତମାନ ବିଶେଷଜ୍ଞ କମିଟି ଗଠନ ପ୍ରସ୍ତାବରୁ କେନ୍ଦ୍ର ସରକାର ପଛଘୁଞ୍ଚା ଦେଉଥିବାରୁ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜାତୀୟ ସ୍ୱାର୍ଥ ଓ ଜାତୀୟ ନିରାପତ୍ତାକୁ କ୍ଷୁଣ୍ଣ କରିବାଭଳି କୌଣସି ସୂଚନାକୁ ସାର୍ବଜନୀନ କରିବାକୁ ସୁପ୍ରିମକୋର୍ଟ ଚାହୁଁନାହାନ୍ତି ସତ, ତେବେ ଏହି ମାମଲାରେ ଏକାଧିକ ପିଟିସନଧାରୀଙ୍କ ଦାବି କିଭଳି ପୂରଣ କରାଯିବ, ସେଥିନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଅପରପକ୍ଷରେ ବିଶେଷଜ୍ଞ କମିଟି ଗଠନ ପ୍ରସ୍ତାବକୁ ପିଟିସନଧାରୀଙ୍କ ଓକିଲମାନେ ବିରୋଧ କରିଥିବା ଜଣାପଡିଛି ।

ସରକାର ଏହି ସ୍ପାଏୱେୟାରର ଅପବ୍ୟବହାର କରିଛନ୍ତି କି ନାହିଁ, ତାହା ସ୍ପଷ୍ଟ କରୁନଥିବାବେଳେ କମିଟି ଗଠନ ବାହାନାରେ ଏହାକୁ ଏଡାଇ ଦେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଚଳିତବର୍ଷ ଜୁଲାଇ ୧୮ରେ ପେଗାସସ୍ ମାମଲା ଚର୍ଚ୍ଚାକୁ ଆସିଥିଲା । ଇସ୍ରାଏଲ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ସ୍ପାଏୱେୟାରକୁ କେନ୍ଦ୍ର ସରକାର ଅପବ୍ୟବହାର କରୁଛନ୍ତି ବୋଲି ଫ୍ରାନ୍ସର ଏକ ମିଡିଆ ସିଣ୍ଡିକେଟ୍ ପ୍ରଥମେ ସମ୍ବାଦ ପ୍ରସାରିତ କରିବାପରେ ଭାରତରେ ଏହାକୁ ନେଇ ବିତର୍କର ସୂତ୍ରପାତ ହୋଇଥିଲା । କେନ୍ଦ୍ର ସରକାର ଏହି ସ୍ପାଏୱେୟାର ଜରିଆରେ ଦେଶର ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ମାର୍ଟଫୋନକୁ ହ୍ୟାକ୍ କରି ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ଚୋରାଉଛନ୍ତି ବୋଲି ଅଭିଯୋଗ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking