29.1 C
Bhubaneswar
Monday, May 6, 2024
Homeଓଡିଶାରାଜ୍ୟରେ ଦେଢ଼ କୋଟି ଲୋକ ପାଉନାହାନ୍ତି ବିଶୁଦ୍ଧ ଜଳ

ରାଜ୍ୟରେ ଦେଢ଼ କୋଟି ଲୋକ ପାଉନାହାନ୍ତି ବିଶୁଦ୍ଧ ଜଳ

ଭୁବନେଶ୍ୱର: ତାତି ଯେତେ ବଢ଼ୁଛି, ପିଇବା ପାଣି ସଙ୍କଟ ସେତେ ଉତ୍କଟ ହେଉଛି । ରାଜ୍ୟର ମୋଟ୍ ୪.୧୮ କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ଦେଢ଼ କୋଟି ଲୋକଙ୍କ ପାଇଁ ସ୍ୱଚ୍ଛ ପାଣିର ଅଭାବ ଦେଖାଦେଇଛି । ଉପକୂଳ ଓଡ଼ିଶା ଅପେକ୍ଷା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଲୋକେ ବେଶୀ ପ୍ରଭାବିତ ହୋଇଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ ୨୩ ଜିଲ୍ଲାରେ ୫୫ ପ୍ରଦୂଷିତ ଜଳଉତ୍ସ ଚିହ୍ନଟ ହୋଇଛି । ଯୁଦ୍ଧକାଳନୀନ ଭିତ୍ତିରେ ଏସବୁ ଜଳଉତ୍ସଗୁଡ଼ିକୁ ପ୍ରଦୂଷଣମୂକ୍ତ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି ।
ମିଳିଥିବା ତଥ୍ୟାନୁସାରେ ଓଡ଼ିଶା ତା’ର ଜଳଉତ୍ସ ପାଇଁ ଅଧିକ ମାତ୍ରାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ ।

ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ମୋଟ୍ ବାର୍ଷିକ ବୃଷ୍ଟିପାତର ପ୍ରାୟ ଶତକଡା ୭୮ ଭାଗ ବର୍ଷା ହୋଇଥାଏ ଏବଂ ବଳକା ୨୨ ପ୍ରତିଶତ ଅକ୍ଟୋବରରୁ ମେ’ ମଧ୍ୟରେ ହୁଏ । ଋତୁକାଳୀନ ବର୍ଷା ସହିତ ରାଜ୍ୟର ବୃଷ୍ଟିପାତ ସ୍ଥାନ ଅନୁସାରେ ବିବିଧତା ଥିବାରୁ ପାନୀୟ ଜଳ ସମସ୍ୟା ବହୁଗୁଣିତ ହୋଇଥାଏ । ଦକ୍ଷିଣ ଉପକୂଳ ସମତଳ ଇଲାକାରେ ୧,୨୦୦ ମିମି ବର୍ଷା ହେଉଥିଲାବେଳେ ଉତ୍ତର ଉପତ୍ୟକାରେ ପ୍ରାୟ ୧,୭୦୦ ମିମି ବର୍ଷା ରେକର୍ଡ ହୋଇଥାଏ । ଫଳରେ ଦୀର୍ଘ ବର୍ଷରୁ ରାଜ୍ୟର ବାର୍ଷିକ ହାରାହାରି ବୃଷ୍ଟିପାତ ୧,୪୫୨ ମିମି ମଧ୍ୟରେ ରହୁଥିବାର ରେକର୍ଡ଼ କରଯାଇଛି । ଭୂତଳ ଜଳ ଓ ଭୂପୃଷ୍ଠରେ ପ୍ରବାହିତ ଜଳଉତ୍ସ ଉପରେ ଲୋକେ ନିର୍ଭରଶୀଳ ହୋଇଥାନ୍ତି ।

ସାରା ବର୍ଷ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ଏବଂ ଚାଷକୁ ଜଳସେଚନ ସଂଯୋଗ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରାକୃତିକ ଜଳଉତ୍ସ, ନଦୀ ଓ ବହୁ ଜଳପ୍ରକଳ୍ପ ସୃଷ୍ଟିକରିଛନ୍ତି । ଲୋକଙ୍କୁ ମୁଣ୍ଡପିଛା ଦୈନିକ ୪୦ ଲିଟରରୁ ୭୦ ଲିଟର ଜଳ ବୃଦ୍ଧି କରି ଯୋଗାଇବା ପାଇଁ ସରକାର ଘୋଷଣା ବି କରିଛନ୍ତି । ହେଲେ ୫୫ଟି ଜଳଉତ୍ସ ପ୍ରଦୂଷିତ ହୋଇଥିବା ଖୋଦ୍ ଜଳସମ୍ପଦ ବିଭାଗ ଚିହ୍ନଟ କରିଛି । ଲୋକଙ୍କୂ ଏହି ଜଳଉତ୍ସରୁ ପାଣି ପିଇବାକୁ ବାରଣ କରାଯାଇଛି । ରାଜ୍ୟରେ ୨୩ ଜିଲ୍ଲାରେ ଏସବୁ ପ୍ରଦୂଷିତ ଜଳଉତ୍ସ ଥିବାର କୁହାଯାଇଛି । ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଗଜପତି, ରାୟଗଡ଼ା, କନ୍ଧମାଳ, କେନ୍ଦୁଝର, ନୟାଗଡ଼, ଗଞ୍ଜାମ, ଦେବଗଡ଼, ବୌଦ୍ଧ, ବଲାଙ୍ଗିର, ସୋନପୁର, ମୟୂରଭଞ୍ଜ, ଅନୁଗୁଳ ଓ ଢେଙ୍କାନାଳ ରହିଛି । ଉପକୂଳବର୍ତ୍ତୀ ଜିଲ୍ଲା ମଧ୍ୟରେ ଜଗସିଂହପୁର ଓ କେନ୍ଦ୍ରାପଡ଼ା ଅଛି ।

ଏସବୁ ଜିଲ୍ଲାରେ ଉପକୂଳ ଅଞ୍ଚଳରେ ଜଳରେ ଲୌହ ଓ ଲବଣାଂଶ ଅଧିକ ମାତ୍ରାରେ ରହୁଥିବାରୁ ପାଣିପିଇବା ସମ୍ଭବ ହେଉନି । ନୂଆପଡ଼ା ଜିଲ୍ଲାରେ ଭୂତଳ ଜଳଉତ୍ସ ବିଶେଷଭାବେ ପ୍ରଭାବିତ ହୋଇଛି । ନୂଆପଡ଼ା ଭଳି ସମ୍ବଲପୁର, ରାୟଗଡ଼ା, କଳାହାଣ୍ଡି ସ୍ଥିତି ବି ଅନୁରୂପ । ଏସବୁ ଜିଲ୍ଲାର ଥିବା ଜଳଉତ୍ସରେ ମାରାତ୍ମକ ଆର୍ସେନିକ ଓ ଫ୍ଲୋରାଇଡ୍ ମିଶ୍ରଣ ହେଉଥିବାବେଳେ ସୁନ୍ଦରଗଡ଼, ଝାରସୁଗୁଡ଼ା ଭଳି କିଛି ଜିଲ୍ଲାରେ ଥିବା ଜଳଉତ୍ସରେ କୋଇଲା ଗୁଣ୍ଡ ଓ ଶିଳ୍ପରୁ ନିର୍ଗତ ରାସାୟନିକ ପଦାର୍ଥ ମିଶ୍ରଣ ଯୋଗୁଁ ଜଳ ବିଷ ସଦୃଶ ହୋଇଛି । କେନ୍ଦ୍ରୀୟ ଓଡ଼ିଶାର ଥିବା ଜିଲ୍ଲାଗୁଡ଼ିିିିକରେ ଜଳଉତ୍ସରେ ଲୌହ ଅଂଶ ଅଧିକ ମାତ୍ରାରେ ରହୁଛି । ତେଣୁ ପାଣି ପିଇବା ସ୍ୱାସ୍ଥ୍ୟ ପ୍ରତି ଆଦୌ ଭଲ ନୁହେଁ ବୋଲି ବିଶେଷଜ୍ଞମାନେ ସତର୍କ କରିଦେଇଛନ୍ତି ।

ପ୍ରଦୂଷିତ ଜଳଉତ୍ସଗୁଡ଼ିକ ଚିହ୍ନଟ ହେବା ପରେ ଜଳସମ୍ପଦ ବିଭାଗ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରିବା ସହ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଦେଇ ଲୋକଙ୍କୁ ସତର୍କ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜଳଉତ୍ସକୁ ପ୍ରଦୂଷଣମୁକ୍ତ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ମୋଟ୍ ୫୫ ଜଳଉତ୍ସରୁ ୪୧ଟିରେ ‘ଆକ୍ସନ ପ୍ଲାନ’ ପ୍ରସ୍ତୁତ କରାଯାଇଛି । ଏଥିରେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀଙ୍କ ସମେତ ବହୁ ବିଶେଷଜ୍ଞ ସାମିଲ ଅଛନ୍ତି । ଖୁବଶୀଘ୍ର ଚିହ୍ନଟ ଜଳଉତ୍ସଗୁଡ଼ିକ ପ୍ରଦୂଷଣ ମୁକ୍ତ ହେବ ବୋଲି ଜଳସମ୍ପଦ ବିଭାଗ ଦୃଢ଼ୋକ୍ତି ପ୍ରକାଶ କରିଛି ।  ଉଲ୍ଲେଖନୀୟ ଯେ ଗତ ମାର୍ଚ୍ଚମାସରେ ରାଜ୍ୟରେ ୩୭% କମ୍ ବର୍ଷା ହୋଇଛି । ଏପ୍ରିଲରେ ବି ସେଭଳି ଅଦିନିଆ ବର୍ଷା ହୋଇନାହିଁ । ଭୂତଳ ଜଳସ୍ତର ବି ୨ ମିଟର ତଳକୁ ଖସିଯାଇଛି । ଜଳାଶୟରେ ଜଳ ଶୁଖିଯାଉଥିବାରୁ ଲୋକେ ଡହଳବିକଳ । ଏଭଳି ସ୍ଥିତିରେ ପ୍ରଦୂଷିତ ଜଳଉତ୍ସକୁ ତୁରନ୍ତ ବିଶୋଧନ କରାଯାଉ ବୋଲି ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking