38.1 C
Bhubaneswar
Friday, April 26, 2024
Homeଓଡିଶାକାଳ ସାଜିଲା କରୋନା, ଦଶ ମଙ୍ଗୁଳାରେ ପୋଛିଦେଲା ସିନ୍ଦୂର

କାଳ ସାଜିଲା କରୋନା, ଦଶ ମଙ୍ଗୁଳାରେ ପୋଛିଦେଲା ସିନ୍ଦୂର

ନୟାଗଡ଼ : ପ୍ରତିଦିନ ହସ୍‌ପିଟାଲ୍‌ରୁ ମଶାଣି ଯାଏ ଦେଖିବାକୁ ମିଳୁଛି ଛାତିଥରା ଦୃଶ୍ୟ । କେଉଁଠି ବାପ କାନ୍ଧରେ ପୁଅ ଯାଉଛି ମଶାଣି ତ କେଉଁଠି କୁନି କୁନି ଛୁଆଙ୍କୁ ଛେଉଣ୍ଡ କରି ଚାଲି ଯାଉଛନ୍ତି ବାପା, ମାଆ । କାହାକୁ ମଶାଣି ନେବାକୁ କାନ୍ଧଟିଏ ମିଳୁନି ତ କିଏ ପୁଣି ଦଶମଙ୍ଗୁଳାରୁ ସଂସାର କରିବାର ସ୍ୱପ୍ନକୁ ଭୁଲିବା ପାଇଁ ବାଧ୍ୟ ହେଉଛି । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ଅଞ୍ଚଳରେ । ପାଦରୁ ଅଳତା ଲିଭିନଥିବାବେଳେ ଦଶମଙ୍ଗୁଳାରେ ନବ ବିବାହିତାଙ୍କ ମଥାରୁ ସିନ୍ଦୂର ଲିଭିଯାଇଛି । ଜଣେ ନବବିବାହିତ ଯୁବକଙ୍କ ଜୁଇ ଜଳିଛି ।  ଯାହାକି ଅଞ୍ଚଳବାସୀଙ୍କୁ ସ୍ତବ୍ଦ କରିଦେଇଛି ।

ଦଶପଲ୍ଲା ବ୍ଲକ୍ ଡିହଗାଁ ପଞ୍ଚାୟତ ଦିଣ୍ଡାଭୂଇଁ ଗ୍ରାମର ନାଗେଶ୍ୱର ପ୍ରଧାନଙ୍କ ଏକମାତ୍ର ପୁଅ ବରୁଣ ପ୍ରଧାନ(୨୭)ଙ୍କ ଦଶଦିନ ତଳେ ବିବାହ ଗତ ୭ ତାରିଖରେ ନୟାଗଡ଼ ହରିପୁର ଗ୍ରାମରେ ହୋଇଥିଲା । ମାତ୍ର ବିବାହର ପରଦିନ ତାଙ୍କୁ ଜ୍ୱର ହୋଇଥିଲା । ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆସି କୋଭିଡ୍ ପରୀକ୍ଷା କରାଇବାରୁ ରିପୋର୍ଟ ପଜିଟିଭ୍ ବାହାରିଥିଲା । ଘରେ ରହି ସେ ଚିକିତ୍ସିତ ହେଉଥିବାବେଳେ ଅକ୍ସିଜେନ୍ ପରିମାଣ କମି ଯିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ଚାନ୍ଦପୁରସ୍ଥିତ କୋଭିଡ୍ କେୟାର୍ ହସ୍‌ପିଟାଲ୍‌କୁ ପଠାଇ ଦିଆଯାଇଥିଲା । ମାତ୍ର ଚତୁର୍ଥୀ ପରଦିନ ଡାକ୍ତରଖାନା ଯାଇଥିବା ବରୁଣ ଆଉ ଫେରିନଥିଲେ ।

ଦଶମଙ୍ଗୁଳାରେ ଫେରିଥିଲା ତାଙ୍କ ଶବ । ନବବଧୂ ସମେତ ପରିବାର ତଥା ପାଖ ପଡ଼ୋଶୀଙ୍କ ଆଖିରୁ ଲୁହ ଶୁଖୁନଥିବାବେଳେ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ସେ କୋଭିଡ୍ ହସ୍ପିଟାଲରେ ଥିବାବେଳେ ଭିଡିଓ କଲିଂ କରି ପରିବାର ସହ କଥାବର୍ତ୍ତା ହେଲାବେଳେ ସେଠାରେ ଠିକ୍ ଭାବେ ଦାୟିତ୍ୱ ନିଆଯାଉନଥିବା ବାରମ୍ବାର କହୁଥିଲେ । ଏପରିକି ଗତକାଲି ପାଣି ଟିକିଏ ପିଇବା ପାଇଁ ମିଳୁନଥିବା କଥା ପରିବାର ଲୋକଙ୍କୁ କହିଥିଲେ । ପୁଅର ଏଭଳି କଥା ଶୁଣି ବାହାରକୁ ନେଇ ଚିକିତ୍ସା କରାଇବାକୁ ଘର ଲୋକେ ସ୍ଥିର କରି ଗତକାଲି ୧୫ ହଜାର ଟଙ୍କା ଦେଇ ଏକ ଆମ୍ବୁଲାନ୍ସ ଯୋଗାଡ଼ କରି ଚାନ୍ଦପୁର ନେଇଥିଲେ ।

ପୁଅକୁ ଛାଡିଲେ ସେ ଭୁବନେଶ୍ୱର ନେବାକୁ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କୁ କହିଥିଲେ । ମାତ୍ର ରୋଗୀକୁ ସେଭଳି ଛାଡ଼ି ହେବ ନାହିଁ ବୋଲି ସେଠାରେ କହିଥିଲେ । ପରିବାର ଲୋକ କାକୁତିମିନତି ହୋଇଥିଲେ ବି ସେମାନେ ନଛାଡ଼ି ‘ତୁମ ପୁଅ ଭଲ ଅଛି, କାହିଁକି ବ୍ୟସ୍ତ ହେଉଛ’ କହି ଫେରାଇ ଦେଇଥିଲେ । ଫଳରେ ରାତି ପ୍ରାୟ ୧୦ଟାରେ ପରିବାର ଲୋକେ ଫେରିଆସିଥିବାବେଳେ ରାସ୍ତାରେ ଖବର ମିଳିଥିଲା ଯେ ତୁମ ପୁଅର ମୃତ୍ୟୁ ଘଟିଛି ବୋଲି ।

ଏହାଶୁଣି ପରିବାର ଲୋକେ ଭାଙ୍ଗି ପଡ଼ିଥିବାବେଳେ ଚିକିତ୍ସା ଅବହେଳାରୁ ଯନ୍ତ୍ରଣାରେ ଛଟପଟ ହୋଇ ପୁଅର ମୃତ୍ୟୁ ହୋଇଥିବା ପରିବାର ଲୋକ ପ୍ରକାଶ କରିଛନ୍ତି । ଏପରିକି ବାରମ୍ବାର ପାଣି ମାଗିବାର ହାତଗୋଡ଼ ବାନ୍ଧି ଦେଇଥିବା ପରିବାର ଲୋକେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking