38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶବ୍ଲାକ୍ ଫଙ୍ଗସ୍ ରୋକିବାକୁ ଏମ୍‌ସ ନିର୍ଦ୍ଦେଶକଙ୍କ ତିନି ସୂତ୍ରୀ ମନ୍ତ୍ର

ବ୍ଲାକ୍ ଫଙ୍ଗସ୍ ରୋକିବାକୁ ଏମ୍‌ସ ନିର୍ଦ୍ଦେଶକଙ୍କ ତିନି ସୂତ୍ରୀ ମନ୍ତ୍ର

ନୂଆଦିଲ୍ଲୀ : ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ବର୍ତ୍ତମାନ ଦେଶରେ ଭୟାବହ ସ୍ଥିତି ସୃଷ୍ଟି କରିଥିବାବେଳେ ଏହାକୁ ରୋକିବା ଦିଗରେ ଦିଲ୍ଲୀ ଏମ୍‌ସର ନିର୍ଦ୍ଦେଶକ ଡାଃ ରଣଦୀପ ଗୁଲେରିଆ ତିନି ସୂତ୍ରୀ ମନ୍ତ୍ର କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି । ଏଗୁଡିକ ହେଲା ରକ୍ତ ସର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା, ଯେଉଁ କୋଭିଡ୍ ରୋଗୀ ଷ୍ଟେରଏଡ୍ ସେବନ କରୁଛନ୍ତି, ସେମାନେ ରକ୍ତ ସର୍କରା ସ୍ତରକୁ ନିୟମିତଭାବେ ମନିଟର କରିବେ ଏବଂ ତୃତୀୟରେ ଡାକ୍ତରଙ୍କ ପରାମର୍ଶକ୍ରମେ ସଠିକ ଷ୍ଟେରଏଡ୍ ଡୋଜ୍ ନେବେ ।  ଇତିମଧ୍ୟରେ ଏହି ସଂକ୍ରମଣ ସହସ୍ରାଧିକ ଲୋକଙ୍କ ଜୀବନ ନେଇସାରିଲାଣି, ତେଣୁ ଏଥିପ୍ରତି ଅଧିକ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏପରିକି ୨୦୦୨ରେ ସାର୍ସ ସଂକ୍ରମଣ ସମୟରେ ମଧ୍ୟ କେତେକ ରୋଗୀଙ୍କ ଶରୀରରେ ବ୍ଲାକ୍ ଫଙ୍ଗସ୍ (ମ୍ୟୁକୋରମାଇକୋସିସ୍‌) ଦେଖାଦେଇଥିଲା ବୋଲି ସେ ସୂଚନା ଦେଇଛନ୍ତି । କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ମଧୁମେହ ରୋଗୀଙ୍କ ରକ୍ତ ସର୍କରା ସ୍ତର ନିୟନ୍ତ୍ରଣ କରାନଗଲେ, ପରିଣତି ଭୟାବହ ହେବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି । ବର୍ତ୍ତମାନ କୋଭିଡ୍‌ରୁ ସୁସ୍ଥ ହେଉଥିବା ରୋଗୀଙ୍କଠାରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ପରିଲକ୍ଷିତ ହେଉଛି । ଯେଉଁମାନଙ୍କର ପ୍ରତିଷେଧକ ଶକ୍ତି କମ ରହିଛି, ସେମାନଙ୍କ କ୍ଷେତ୍ରରେ ବ୍ଲାକ୍ ଫଙ୍ଗସ୍ ପ୍ରାଣଘାତୀ ହୋଇପାରେ ବୋଲି ସେ କହିଛନ୍ତି । କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଅତ୍ୟଧିକ ମାତ୍ରାରେ ଷ୍ଟେରଏଡ୍ ବ୍ୟବହାର କରାଯାଉଥିବାରୁ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ଦେଖାଦେଉଥିବା ଡାକ୍ତରମାନେ ଆଶଙ୍କା ପ୍ରକାଶ କରୁଛନ୍ତି ।

ବ୍ଲାକ୍ ଫଙ୍ଗସ୍‌ରେ ପୀଡିତ ବ୍ୟକ୍ତି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବାବେଳେ ରକ୍ତବାନ୍ତି ମଧ୍ୟ କରୁଛନ୍ତି । ଏହାବ୍ୟତୀତ ସଂପୃକ୍ତ ରୋଗୀଙ୍କ ନାକ ଉପରେ କଳାଦାଗ ଦେଖାଦେବା ସହିତ ଦୃଷ୍ଟିଶକ୍ତି ହ୍ରାସ ଓ ଛାତିରେ ଯନ୍ତ୍ରଣା ମଧ୍ୟ ଦେଖାଯାଉଛି । ବ୍ଲାକ୍ ଫଙ୍ଗସ୍ ସଂକ୍ରମଣର ମୁକାବିଲା ଦିଗରେ ଆବଶ୍ୟକ ଔଷଧ ପ୍ରସ୍ତୁତ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଉ ୫ଟି କମ୍ପାନୀକୁ ଲାଇସେନ୍ସ ପ୍ରଦାନ କରାଯାଇଛି । ଏହି କମ୍ପାନୀଗୁଡିକ ହେଲା ନାଟ୍‌କୋ ଫାର୍ମାସ୍ୟୁଟିକାଲ-ହାଇଦ୍ରାବାଦ, ଆଲମ୍ବିକ୍ ଫାର୍ମାସ୍ୟୁଟିକାଲ୍‌ସ-ଭଦୋଦରା, ଗୁଫିକ୍ ବାୟୋସାଇନ୍ସେସ୍‌-ଗୁଜରାଟ, ଏମ୍‌କ୍ୟୁୟର ଫାର୍ମାସ୍ୟୁଟିକାଲ୍‌ସ-ପୁଣେ ଓ ଲାଇକା ଫାର୍ମା-ଗୁଜରାଟ । ଆସନ୍ତା ଜୁଲାଇରୁ ଏହି କମ୍ପାନୀଗୁଡିକ ଆମ୍ଫୋଟେରିସିନ୍‌-ବି ଔଷଧର ମାସିକ୧,୧୧,୦୦୦ ଭାଏଲ ପ୍ରସ୍ତୁତ କରିବେ ବୋଲି କୁହାଯାଇଛି । ବର୍ତ୍ତମାନ ଦେଶରେ ୫ଟି କମ୍ପାନୀ ଯଥା ଭାରତ ସେରମ ଆଣ୍ଡ୍ ଭ୍ୟାକ୍ସିନ୍‌ସ ଲିମିଟେଡ, ବିଡିଆର ଫାର୍ମାସ୍ୟୁଟିକାଲ୍‌ସ, ସନ୍ ଫାର୍ମା, ସିପ୍‌ଲା ଓ ଲାଇଫ୍ କେୟାର ଇନୋଭେସନ ଏହି ଔଷଧ ପ୍ରସ୍ତୁତ କରୁଛନ୍ତି ।

ଗୁରୁବାର ଗୋଟିଏ ଦିନରେ ବ୍ଲାକ୍ ଫଙ୍ଗସ୍‌ରେ ୧୩ ରାଜ୍ୟରେ ୨୧୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏହା ବର୍ତ୍ତମାନ ସରକାରଙ୍କ ପାଇଁ ନୂତନ ଆହ୍ୱାନ ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କୁ ଚିହ୍ନଟ କରାଗଲେ, ତୁରନ୍ତ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟର ହସ୍ପିଟାଲକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଦେଶରେ ଏପର୍ଯ୍ୟନ୍ତ ଏହି ରୋଗରେ ୭୨୫୧ ଜଣ ସଂକ୍ରମିତ ହୋଇଥିବାବେଳେ କେବଳ ମହାରାଷ୍ଟ୍ରରେ ଏମାନଙ୍କ ସଂଖ୍ୟା ୧୫୦୦ରୁ ଅଧିକ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking