38.1 C
Bhubaneswar
Friday, April 26, 2024
Homeଓଡିଶାନାଲକୋ ପାଉଁଶ ପାଣିରେ ପରିଚୟ ହରାଇଛି ନନ୍ଦିରା

ନାଲକୋ ପାଉଁଶ ପାଣିରେ ପରିଚୟ ହରାଇଛି ନନ୍ଦିରା

ଅନୁଗୁଳ : ନାଲକୋ ପାଉଁଶ ପାଣିରେ ନନ୍ଦିରା ନଦୀ ପ୍ରଦୂଷିତ । ଅନୁଗୁଳ ବ୍ଲକର କୁକୁଡାଙ୍ଗ ନିକଟରେ ବୁଦୁବୁଦୁକିଆ ଜଙ୍ଗଲ ଭିତରେ ପାଉଁଶ ପାଣି ନିସ୍କାସନ ପାଇଁ ସ୍ଥାୟୀ ଭାବେ ବ୍ୟବସ୍ଥା କରିଛନ୍ତି ନାଲ୍‌କୋ କର୍ତ୍ତୃପକ୍ଷ । ଫଳରେ ଅହରହ ପାଉଁଶ ମିଶା ପାଣି ନନ୍ଦିରା ନଦୀରେ ମିଶୁଛି । ଏହାର ପ୍ରଭାବରେ ନଦୀ ପାଣି ଉପରେ ନିର୍ଭର କରୁଥିବା ୨୦ ରୁ ଅଧିକ ଗାଁର ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ପାଉଁଶ ପାଣି ନଛାଡିବାକୁ ବହୁବାର ଆନ୍ଦୋଳନ ହୋଇଛି । ପ୍ରଦୂଷଣ ବିଭାଗ ତାଗିଦ୍ କରିଛି । କିନ୍ତୁ ନାଲକୋ ଉପରେ କୌଣସି ପ୍ରଭାବ ପଡୁ ନାହିଁ । ସାରା ଦେଶରେ ଏବେ ପ୍ରଦୂଷଣ ଚିନ୍ତା । ଜଳବାୟୁ ସବୁକିଛି ବ୍ୟାପକ ମାତ୍ରାରେ ପ୍ରଦୂଷିତ ହେବାରେ ଲାଗିଛି । ଏଥିପାଇଁ ପରିବେଶବିତ୍ ଉଦ୍‌ବେଗ ପ୍ରକାଶ କଲେଣି । ଏପରିକି ସୁପ୍ରିମକୋର୍ଟ ମଧ୍ୟ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିବା ସହ ବିଭିନ୍ନ ସମୟରେ ବିଭିନ୍ନ ସରକାର ଓ ଶିଳ୍ପାନୁଷ୍ଠାନ ଗୁଡିକୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ତାଗିଦ୍ କରିଛନ୍ତି । ହେଲେ ନାଲ୍‌କୋ କିନ୍ତୁ ନିରବ । ଆସ୍‌ପଣ୍ଡରୁ ବେଧଡକ ଛାଡି ଚାଲିଛି ପାଉଁଶ ମିଶା ପାଣି । ଏହାର ପ୍ରଭାବରେ ନନ୍ଦିରା ପାଣି ପ୍ରଦୂଷିତ ହେଉଛି । ଏହି ଚିରସ୍ରୋତା ନଦୀ ଏବେ ବ୍ୟବହାର ଅନୁପଯୋଗୀ ହୋଇ ପଡିଛି । ପାଣି ଧଳା ରଙ୍ଗର ହୋଇଯାଉଛି । ନଦୀ କୂଳରେ ବସବାସ କରୁଥିବା ବଳରାମପ୍ରସାଦ, ପିଙ୍ଗୁଆ, କୁକୁଡାଙ୍ଗ, କୁରୁଡୋଲ, ତେନ୍ତୁଳିହତା ସମେତ ୨୦ରୁ ଅଧିକ ଗାଁର ଗ୍ରାମବାସୀ ପ୍ରଭାବିତ ହେଉଛନ୍ତି । ସେହି ପାଣିରେ ଗାଧୁଆ ପାଧୁଆ କଲେ ବିଭିନ୍ନ ପ୍ରକାର ଚର୍ମ ରୋଗର ଶିକାର ହେଉଛନ୍ତି ଲୋକେ । ଗାଈଗୋରୁ ପାଣି ପିଇଲେ ରୋଗରେ ପଡୁଛନ୍ତି । ସେହି ପାଣିକୁ ବ୍ୟବହାର କରି କୌଣସି ଚାଷ ବାସ କରି ପାରୁନାହାଁନ୍ତି । ବର୍ଷ ତମାମ ନଦୀରେ ପାଣି ପ୍ରବାହିତ ହେଉଥିଲେ ମଧ୍ୟ କୌଣସି କାମରେ ଆସୁନାହିଁ । ନଦୀ କୂଳିଆ ଗାଁର ଲୋକେ ବର୍ଷ ବର୍ଷ ଧରି ଆନ୍ଦୋଳନ କରି ଆସୁଛନ୍ତି । ବିଭିନ୍ନ ସମୟରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ତରଫରୁ ମଧ୍ୟ ବହୁବାର ନାଲକୋକୁ ପାଉଁଶ ମିଶା ପାଣି ନନ୍ଦିରା ନଦୀକୁ ନଛାଡିବାକୁ ନୋଟିସ ଜାରି କରାଯାଇଛି । ଫଳରେ କିଛି ଦିନ ପାଇଁ ନାଲ୍‌କୋ ପାଣି ଛାଡିବା ବନ୍ଦ କରିଥିଲା । କିନ୍ତୁ ସମସ୍ତଙ୍କ ଆଖିରେ ଧୂଳି ଦେଇ ପୁଣି ଥରେ ପାଉଁଶ ମିଶା ପାଣି ଛାଡୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ଜାଗାରେ ପାଣି ଛାଡିବା ପାଇଁ ନାଲକୋ କର୍ତ୍ତୃପକ୍ଷ ସ୍ଥାୟୀ ବ୍ୟବସ୍ଥା କରିଛନ୍ତି ସେହି ଜାଗାକୁ ସହଜରେ କେହି ଦେଖି ପାରିବେ ନାହିଁ । ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ, ନାଲକୋ ଜାଣି ଶୁଣି ନନ୍ଦିରା ନଦୀକୁ ପ୍ରଦୂଷିତ କରୁଛନ୍ତି । ନାଲକୋର ଦୁଇଟି ଯାକ ଆସପଣ୍ଡରେ ଆଉ ପାଉଁଶ ଧାରଣ କ୍ଷମତା ନାହିଁ । ଆଉ ଏକ ନୂତନ ଆସପଣ୍ଡ ଆବଶ୍ୟକ ରହିଥିଲେ ମଧ୍ୟ ବିଭିନ୍ନ କାରଣରୁ ତାହା ହୋଇ ପାରୁନାହିଁ । ତେଣୁ ଆସ ସ୍ଲରୀକୁ ପାଇପ ଯୋଗେ ତାଳଚେରର ଭୂତଳ କୋଇଲା ଖଣିରେ ପକାଇବାକୁ ୯ ବର୍ଷ ହେଲା ପାଇପ ଲାଇନ କାମ ଚାଲିଛି । ହେଲେ ଏ ପର୍ଯ୍ୟନ୍ତ ଶେଷ ହୋଇ ପାରୁନାହିଁ । ଫଳରେ ବାଧ୍ୟ ହୋଇ ପାଉଁଶ ମିଶା ପାଣି ବାହାରକୁ ଛାଡିବାକୁ ପଡୁଛି । ତେବେ ନନ୍ଦିରା ନାଳରେ ପାଉଁଶ ମିଶା ପାଣି ମିଶୁଥିବା ଖବର ପ୍ରଦୂଷଣ ବିଭାଗ ପାଖରେ ମଧ୍ୟ ନଥିଲା । ଏ ନେଇ ପ୍ରଦୂଷଣ ବିଭାଗ ଅଧିକାରୀ ଅନୁପ କୁମାର ନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଚିରସ୍ରୋତା ନନ୍ଦିରା ନଦୀର ଉଭୟ ପାଶ୍ୱର୍ରେ ସବୁଜ ବନାନୀ । ନଦୀ କୂଳେ କୂଳେ କେତେ ମଠ, ମନ୍ଦିର ଓ ଦର୍ଶନୀୟ ସ୍ଥାନ ରହିଛି । ପିକନିକ ଋତୁରେ ଦଳ ଦଳ ପିକନିକ ପାର୍ଟି ବଣ ଭୋଜି କରିବାକୁ ଆସନ୍ତି । ହେଲେ ପାଉଁଶ ମିଶା ପାଣି ମିଶି ନଦୀ ପ୍ରଦୂଷିତ ହୋଇ ଯାଇଥିବାରୁ ଏବେ ସେ ଗୌରବ ହରାଇଛି ନନ୍ଦିରା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking