କାଠ ଡିପୋ ଉପରେ ଚଢ଼ଉ

ଭଦ୍ରକ : ଭଦ୍ରକ ସହରରେ ୨୦ରୁ ଊର୍ଦ୍ଧ୍ୱ ସରକାରୀ ସ୍ୱିକୃତୀପ୍ରାପ୍ତ କାଠ ଡିପୋ ରହିଛି । ତେବେ ଗୁରୁବାର ରାତିରେ ଜିଲ୍ଲା ବନଖଣ୍ଡ ଅଧିକାରୀ ପି. ପାଣ୍ଡିଆନଙ୍କ ନେତୃତ୍ୱରେ ଆରଡ଼ି ଛକ ନିକଟରେ ଥିବା ଦୁଇଟି କାଠ ଡିପୋ ଉପରେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ଚୋରା କାଠ ସନ୍ଦେହ କରାଯାଉଥିବା ଲକ୍ଷାଧିକ ଟଙ୍କାର କାଠ ବନ ବିଭାଗ ଜବତ୍ କରିଛି । ଭଦ୍ରକ ରେଞ୍ଜ ଅଫିସର ରଣଜିତ୍ ମହାନ୍ତିଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ସଠିକ ମୂଲ୍ୟ ଆକଳନ କରାଯାଇ ନଥିଲେ ମଧ୍ୟ ଜବତ୍ କାଠର ପରିମାଣ ୨ଶହ ସିଫ୍ଟରୁ ଅଧିକ ଓ ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଏହି ଘଟଣାରେ ବନବିଭାଗ ପକ୍ଷରୁ ଦୁଇଟି ମାମଲା ରୁଜ୍ଜୁ କରାଯାଇଛି ।
ସୂଚନା ଅନୁଯାୟୀ, କୌଣସି ଏକ ବିଶେଷ ସୂତ୍ରରୁ ସୂଚନା ପାଇ ଜିଲ୍ଲା ବନ ବିଭାଗ ପକ୍ଷରୁ ଆରଡ଼ି ଛକରେ ଥିବା ଶଙ୍କରଗୌରୀ ଓ ଲକ୍ଷ୍ମୀନାରାୟଣ କାଠ ଡ଼ିପୋ ଉପରେ ଚଢ଼ାଉ କରାଯାଇଥିଲା । ଚଢ଼ଉର ନେତୃତ୍ୱ ନେଇଥିଲେ ଖୋଦ ବନଖଣ୍ଡ ଅଧିକାରୀ । ଉକ୍ତ ଦୁଇ କାଠ ଡ଼ିପୋ ବାହାରେ ଥିବା କାଠକୁ ବିଭାଗର କର୍ମଚାରୀମାନେ ଜବତ୍ କରି ସାତଭଉଣୀସ୍ଥିତ ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ । ଏହା ବ୍ୟତୀତ ଲକ୍ଷ୍ମୀନାରାୟଣ କାଠ ଡ଼ିପୋକୁ ସିଲ କରିଦେଇଥିଲେ । ଏହି ଚଢ଼ାଉରେ ଜିଲ୍ଲାର ବିଭିନ୍ନ ରେଞ୍ଜ ଅଧିକାରୀଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ସାମିଲ ଥିଲେ ।