ଚେନ୍ନାଇ: ତାମିଲନାଡ଼ୁରେ ନୂଆ ସରକାର ଗଠନକୁ ନେଇ ସସପେନ୍ସ ଶେଷ ହେବାର ନାଁ ନେଉନାହିଁ । ବିଧାନସଭା ନିର୍ଚାଚନରେ ୧୦୮ ଆସନ ସହ ସବୁଠାରୁ ବଡ଼ ଦଳ ହୋଇଥିବା ଥାଲାପତି ବିଜୟଙ୍କ ଟିଭିକେ ବହୁମତ ସଂଖ୍ୟା ଯୋଗାଡ଼ କରିବାରେ ଲାଗିଛନ୍ତି । ଆଉ ଏହାରି ଭିତରେ ସମର୍ଥନ ପତ୍ରକୁ ନେଇ ନୂଆ ବିବାଦ ଦେଖାଦେଇଛି । ଏଏମଏମକେ ପାର୍ଟିର ସାଧାରଣ ସମ୍ପାଦକ ଦିନାକରଣ ବିଜୟଙ୍କ ଦଳ ଉପରେ ନିଜ ଦଳର ସମର୍ଥନ ଥିବା ଫର୍ଜି ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିବା ନେଇ ଅଭିଯୋଗ ଆଣିଛନ୍ତି । ଅର୍ଥାତ ବିଜୟ ଯେଉଁ ଦାବିପତ୍ର ରାଜ୍ୟପାଳଙ୍କୁ ଦେଇଛନ୍ତି, ତାହା ଏବେବି ଅସମ୍ପୂର୍ଣ୍ଣ । ବିଜୟ ନିଜ ପାଖରେ ୧୨୦ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରୁଥିଲେ ମଧ୍ୟ ରାଜ୍ୟପାଳଙ୍କ ନିକଟରେ ଦାଖଲ କରାଯାଇଥିବା ଦସ୍ତାବିଜ ସହ ଏହି ଦାବି ମେଳ ଖାଉନାହିଁ । ଏହି ପ୍ରକ୍ରିୟାଗତ ତ୍ରୁଟି ହିଁ ଶପଥ ଗ୍ରହଣକୁ ବିଳମ୍ବିତ କରିଛି ।
ଶୁକ୍ରବାର ବିଜୟ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟି ଯେଉଁ ତାଲିକା ପ୍ରଦାନ କରିଥିଲେ ସେଥିରେ ୧୧୬ ଜଣ ବିଧାୟକଙ୍କ ସ୍ୱାକ୍ଷର ଥିଲା । କିନ୍ତୁ ରାଜ୍ୟପାଳଙ୍କୁ ୧୨୦ ଜଣଙ୍କ ସମର୍ଥନ ଥିବା କୁହାଯାଇଥିଲା। ବାସ୍ତବରେ ମ୍ୟାଜିକ୍ ନମ୍ବର ୧୧୮ରେ ପହଞ୍ଚିବା ପାଇଁ ଏହି ତାଲିକାରେ ଦୁଇଜଣ ସଦସ୍ୟଙ୍କ ଅଭାବ ପରିଲକ୍ଷିତ ହୋଇଥିଲା । ଜଣାପଡ଼ିଛି ଯେ ଭିସିକେ ଏବଂ ଆଇୟୁଏମ୍ଏଲ ଭଳି ସହଯୋଗୀ ଦଳଙ୍କ ପକ୍ଷରୁ ଆନୁଷ୍ଠାନିକ ସମର୍ଥନପତ୍ର ଦାଖଲ କରାଯାଇ ନାହିଁ ଏବଂ ସେମାନଙ୍କ ଦସ୍ତଖତ ନାହିଁ। ଏଥିପାଇଁ ରାଜ୍ୟପାଳ ସରକାର ଗଠନ ପାଇଁ ଅନୁମତି ଦେବାକୁ ମନା କରିଦେଇଥିବା ଜଣାପଡ଼ିଛି । ବିଜୟଙ୍କୁ ଗତ ତିନି ଦିନ ମଧ୍ୟରେ ତିନିଥର ରାଜଭବନ ଯିବାକୁ ପଡ଼ିଥିବା ବେଳେ ପ୍ରତିଥର କିଛି ନା କିଛି ତ୍ରୁଟି ସାମନାକୁ ଆସୁଥିବାରୁ ରାଜ୍ୟପାଳ ଶପଥ ଗ୍ରହଣକୁ ସ୍ଥଗିତ ରଖୁଛନ୍ତି । ସମସ୍ତ ସହଯୋଗୀ ଦଳର ଆନୁଷ୍ଠାନିକ ଚିଠି ଏବଂ ସମସ୍ତ ବିଧାୟକଙ୍କ ସ୍ୱାକ୍ଷର ସମ୍ବଳିତ ପତ୍ର ମିଳିବା ପରେ ହିଁ ଶପଥ ଗ୍ରହଣ ପାଇଁ ତାରିଖ ଘୋଷଣା ହେବ ବୋଲି ଜଣାପଡ଼ିଛି ।










