ଜଗତସିଂହପୁର: ବିରିୟାନୀ ଖରାପ ବୋଲି କହିବାରୁ ଗ୍ରାହକଙ୍କୁ ନିର୍ଦ୍ଧୁମ ମାଡ଼ । ମୁଣ୍ଡ ଫଟାଇ ରାସ୍ତାରେ ଫିଙ୍ଗିଦେଲେ ହୋଟେଲ କର୍ମଚାରୀ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ୧୫ ନମ୍ବର ଛକ ନିକଟ ଏକ ହୋଟେଲରେ ବିରିୟାନୀ ଖାଇବାବେଳେ ଗ୍ରାହକଙ୍କୁ ନିର୍ଦ୍ଧୁମ ମାଡ଼ ମାରାଯାଇଥିବା ଅଭିଯୋଗ ହୋଇଛି । କୁଜଙ୍ଗ ବ୍ଲକ୍ ଜୟଶଙ୍ଖପୁର ଗ୍ରାମର ସଞ୍ଜୀବ କୁମାର ମାଝୀ ତାଙ୍କ ବନ୍ଧୁଙ୍କ ସହିତ ୧୫ନଂ ଛକ ସ୍ଥିତ ଜଷ୍ଟକୁକ୍ ନାମକ ହୋଟେଲରେ ବିରିୟାନୀ ଖାଉଥିବାବେଳେ ବିରିୟାନୀ ଆମ୍ବିଳା ଲାଗୁଥିବା ଓ ଗନ୍ଧାଉଥିବା ନେଇ କହିଥିଲେ ।ଏହାକୁ ନେଇ ହୋଟେଲ କର୍ମଚାରୀଙ୍କ ସହ ବଚସା ହୋଇଥିବା ବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଅଭିଯୋଗ ଅନୁସାରେ, କର୍ମଚାରୀମାନେ ସଞ୍ଜୀବଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଜରିବା ସହିତ ନିର୍ଧୁମ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିଲେ। ପରେ ତାଙ୍କୁ ଟାଣି ଆଣି ରାଜପଥ ଉପରେ ଫିଙ୍ଗି ଦେଇଥିଲେ । ଘଟଣା ସ୍ଥଳରେ କିଛି ସମୟ ପାଇଁ କଟକ–ପାରାଦୀପ ରାସ୍ତା ଭିଡ଼ ହୋଇଥିଲା । ଆହତ ସଞ୍ଜୀବଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିବାବେଳେ କୁଜଙ୍ଗ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।










