40.1 C
Bhubaneswar
Tuesday, April 30, 2024
Homeଖେଳସୂର୍ଯ୍ୟକୁମାରଙ୍କ ଦ୍ରୁତତମ ଅର୍ଦ୍ଧଶତକ, ବୁମ୍‌ରାଙ୍କୁ ୫ ୱିକେଟ୍‌: ଆର୍‌ସିବିର ଚତୁର୍ଥ ପରାଜୟ

ସୂର୍ଯ୍ୟକୁମାରଙ୍କ ଦ୍ରୁତତମ ଅର୍ଦ୍ଧଶତକ, ବୁମ୍‌ରାଙ୍କୁ ୫ ୱିକେଟ୍‌: ଆର୍‌ସିବିର ଚତୁର୍ଥ ପରାଜୟ

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍‌ର ସପ୍ତଦଶ ସିଜନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ତିନିଟି ପରାଜୟ ପରେ ଦ୍ୱିତୀୟ ବିଜୟ ହାସଲ କରିଛି । ଗୁରୁବାର ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୨୫ତମ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଟିମ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ ୭ ୱିକେଟ୍‌ରେ ହରାଇ ଦେଇଛି । ବ୍ୟାଟିଂ ଆମନ୍ତ୍ରଣ ପାଇ ଆର୍‌ସିବି ପ୍ରଥମେ ୮ ୱିକେଟ୍ ହରାଇ ୧୯୬ ରନ୍ କରିଥିଲା । ଜବାବରେ ମୁମ୍ବାଇ ୧୫.୩ ଓଭର୍‌ରେ ୩ ୱିକେଟ୍ ବିନିମୟରେ ୧୯୯ ରନ୍ କରି ବିଜୟୀ ହୋଇଛି । କ୍ୟାପ୍‌ଟେନ୍ ପାଣ୍ଡ୍ୟା ଛକା ମାରି ଟିମ୍‌କୁ ବିଜୟ ଦେଇଛନ୍ତି । ଚଳିତ ସିଜନ୍‌ରେ ୬ଟି ମ୍ୟାଚ୍‌ରୁ ଆର୍‌ସିବିର ପଞ୍ଚମ ପରାଜୟ । ୫ଟି ୱିକେଟ୍ ଅକ୍ତିଆର କରିଥିବା ଜସ୍‌ପ୍ରୀତ୍ ବୁମ୍‌ରାଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ମିଳିଛି ।

୧୯୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦୁଇ ଓପ୍ନର୍ ଈଶାନ୍ କିଶନ୍ ଓ ରୋହିତ ଶର୍ମା ପ୍ରଥମ ୱିକେଟ୍ ପାଇଁ ୧୦୧ ରନ୍‌ର ଭାଗୀଦାରି କରି ମୁମ୍ବାଇ ଇଣ୍ଡିଆନ୍ସର ଦୃଢ଼ ମୂଳଦୁଆ ସ୍ଥାପନ କରିଥିଲେ । ତେବେ ୨୩ ବଲ୍‌ରେ ସିଜନ୍‌ରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିବା ଈଶାନ୍ ୩୪ ବଲ୍‌ରୁ ୭ ଚୌକା ଓ ୫ ଛକା ସହାୟତାରେ ୬୯ ରନ୍ କରିଥିବା ବେଳେ ଆକାଶ ଦୀପଙ୍କ ଶିକାର ହୋଇଥିଲେ । ଏହାପରେ ରିସି ଟପ୍ଲେଙ୍କ ହାତରେ କ୍ୟାଚ୍ କରାଇ ୱିଲ୍ ଜ୍ୟାକ୍ସ ରୋହିତ୍ ଶର୍ମାଙ୍କୁ ପ୍ୟାଭିଲିୟନ୍ ଫେରାଇଥିଲେ । କିଶନ୍‌ଙ୍କ ଆଉଟ୍ ପରେ ଆକାଶ ମଧୱାଲ୍‌ଙ୍କ ସ୍ଥାନରେ ଇମ୍ପାକ୍ଟ ପ୍ଲେୟର୍ ଭାବେ ଆସିଥିବା ସୂର୍ଯ୍ୟକୁମାର ଯାଦବ ଧୂଆଁଧାର ବ୍ୟାଟିଂ କରି ୧୭ ବଲ୍‌ରେ ୫ ଚୌକା ଓ ୪ ଛକା ସହାୟତାରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ଆଇପିଏଲ୍‌ରେ ଦ୍ରୁତତମ ଅର୍ଦ୍ଧଶତକ । ଆଉ ମାତ୍ର ଦୁଇ ରନ୍ ଯୋଗ କରିବା ପରେ ସେ ବିଜୟକୁମାର ବୈଶାକଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଏହାପରେ କ୍ୟାପ୍‌ଟେନ୍ ପାଣ୍ଡ୍ୟା ଓ ତିଳକ ବର୍ମା ଆଉ କୌଣସି ୱିକେଟ୍ ପଡ଼ିବାକୁ ନଦେଇ ୨୭ ବଲ୍ ବାକି ଥାଇ ଟିମ୍‌କୁ ବିଜୟୀ କରାଇଥିଲେ । ପାଣ୍ଡ୍ୟା ୬ ବଲ୍‌ରେ ୩ଟି ଛକା ସହ ୨୧ ଏବଂ ତିଳକ ୧୦ ବଲ୍‌ରେ ୩ ଚୌକା ସହାୟତାରେ ୧୬ ରନ୍ କରି ଅପରାଜିତ ରହିଥିଲେ ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଆର୍‌ସିବିକୁ ବୁମ୍‌ରା ତୃତୀୟ ଓଭର୍‌ରେ ପ୍ରଥମ ଝଟ୍‌କା ଦେଇଥିଲେ । ସେ ଓଭର୍‌ର ତୃତୀୟ ବଲ୍‌ରେ ବିରାଟ କୋହଲି (୩)ଙ୍କୁ ୱିକେଟ୍ ପଛରେ ଈଶାନ୍ କିଶନ୍‌ଙ୍କ ହାତରେ କ୍ୟାଚ୍ କରାଇଥିଲେ । ଚତୁର୍ଥ ଓଭର୍‌ର ଚତୁର୍ଥ ବଲ୍‌ରେ ଆକାଶ ମଧୱାଲ୍ ଆଇପିଏଲ୍ ଡେବ୍ୟୁ କରିଥିବା ୱିଲ୍ ଜ୍ୟାକ୍ (୮)ଙ୍କୁ ଟିମ୍ ଡେଭିଡ୍‌ଙ୍କ ଦ୍ୱାରା କ୍ୟାଚ୍ କରାଇଥିଲେ । ଏହାପରେ ଫାପ୍ ଡୁପ୍ଲେସିସ୍ ଓ ରଜତ ପାଟିଦାର ୮୨ ରନ୍‌ର ଭାଗୀଦାରି କରିଥିଲେ । ପାଟିଦାର ୨୬ ବଲ୍‌ରେ ୩ ଚୌକା ଓ ୪ ଛକା ସହାୟତାରେ ୫୦ ରନ୍ କରି ଆଉଟ୍ ହୋଇଥିଲେ । ଡୁପ୍ଲେସିସ୍ ୩୩ ବଲ୍‌ରୁ ଆଇପିଏଲ୍ କ୍ୟାରିୟର୍‌ର ୩୪ତମ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୬୧ ରନ୍ କରି ବୁମ୍‌ରାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଶେଷ ଆଡ଼କୁ ୱିକେଟ୍‌କିପର୍ ଦିନେଶ କାର୍ତ୍ତିକ ବିସ୍ଫୋରକ ବ୍ୟାଟିଂ କରି ୨୧ ବଲ୍‌ରେ ନିଜର ୨୧ତମ ଅର୍ଦ୍ଧଶତକ ପୂରଣ କରିଥିଲେ । ୨୩ ବଲ୍‌ରୁ ୫ ଚୌକା ଓ ୪ ଛକା ସହାୟତାରେ ୫୩ ରନ୍ କରି ଆକାଶ ଦୀପ୍ (୨)ଙ୍କ ସହ ଅପରାଜିତ ରହିଥିଲେ । ଗ୍ଲେନ୍ ମାକ୍ସୱେଲ୍ ପୁଣିଥରେ ବିଫଳ ହୋଇ ଶୂନ୍ୟରେ ଆଉଟ୍ ହୋଇଥିଲେ । ତୃତୀୟ ଓଭର୍‌ରେ ପ୍ରଥମ ୱିକେଟ୍ ନେଇଥିବା ବୁମ୍‌ରା ୧୭ତମ ଏବଂ ୧୯ତମ ଓଭର୍‌ରେ ଦୁଇଟି ଲେଖାଏଁ ୱିକେଟ୍‌ରେ ସିଜନ୍‌ରେ ପ୍ରଥମ ୫ ୱିକେଟ୍ ସଫଳତା ହାସଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking