30.1 C
Bhubaneswar
Sunday, April 28, 2024
Homeଓଡିଶାହାଇକୋର୍ଟଙ୍କ ଉପରେ ମୋକିମଙ୍କ ଭାଗ୍ୟ

ହାଇକୋର୍ଟଙ୍କ ଉପରେ ମୋକିମଙ୍କ ଭାଗ୍ୟ

ଭୁବନେଶ୍ୱର : ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ ( ଓଆରଏଚଡିସି )ରୁ ରୁଣ ନେବା ଘଟଣାକୁ ନେଇ ଭିଜିଲାନ୍ସ ପକ୍ଷରୁ ହୋଇଥିବା ମାମଲାରେ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ଅନ୍ୟ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ତିନି ବର୍ଷ ଜେଲ ଓ ୫୦ ହଜାର ଟଙ୍କା ଜରିମାନା ରେ ଦଣ୍ଡିତ କରିଛନ୍ତି । ଏହି ଘଟଣା ପରେ ବର୍ତ୍ତମାନ ପ୍ରଶ୍ନ ଉଠିଛି ମୋକିମଙ୍କ ବିଧାୟକ ପଦ ରହିବକି ନାହିଁ । ଜନ ପ୍ରତିନିଧି ଆଇନ ଅନୁସାରେ ଦୁଇ ବର୍ଷରୁ ଅଧିକ ଦଣ୍ଡରେ କୈାଣସି ଲୋକ ପ୍ରତିନିଧି କୋର୍ଟ ଦ୍ୱାରା ଦଣ୍ଡିତ ହୋଇଥିଲେ ତାଙ୍କୁ ସଦସ୍ୟ ପଦ ହରାଇବାକୁ ପଡିବ । କିନ୍ତୁ ଆଇନ ର ବ୍ୟବସ୍ଥା ରହିଛି ଉପରିସ୍ଥ କୋର୍ଟ ଯଦି ଏହି ଦଣ୍ଡ ବିଧାନ ଉପରେ ରହିତାଦେଶ ଜାରି କରନ୍ତି ତେବେ ତତକ୍ଷଣାତ ସଦସ୍ୟ ପଦ ରଦ୍ଦ ହେବ ନାହିଁ । ଏଣୁ ମୋକିମଙ୍କ ଭାଗ୍ୟ ଏବେ ହାଇକୋର୍ଟଙ୍କ ଉପରେ ହିଁ ନିର୍ଭର କରୁଛି ।
ମୋକିମଙ୍କୁ ଭିଜିଲାନ୍ସ କୋର୍ଟ ତିନି ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିବାର ୁତାଙ୍କୁ ବିଧାୟକ ପଦ ହରାଇବକୁ ପଡିବ । କିନ୍ତୁ ତଳ କୋର୍ଟର ଏହି ଦେଶ ବିରୁଦ୍ଧରେ ମୋକିମ ହାଇକେର୍ଟ ଯାଇପାରିବେ । ହାଇକୋର୍ଟ ଯଦି ତଳ କୋର୍ଟରେ ହୋଇଥିବ “କନଭିକସନ୍‌” ଉପରେ ରହିତାଦେଶ ଜାରି କରନ୍ତି ତେବେ ମୋକିମ ବିଧାୟକ ପଦ ଶୁଣାଣି ଶେଷ ହେବା ଯାଏ ବଜାୟ ରଖିପାରିବେ । କୋର୍ଟ ଶୁଣାଣୀ କରି ଯଦି ତଳ କୋର୍ଟର ରାୟକୁ ଖାରଜ କରି ଦିଅନ୍ତି ତେବେ ସେ ବିଧାୟକ ଭାବରେ ରହିପାରିବେ, ଯଦି ହାଇକୋର୍ଟ ତଳ କୋର୍ଟର ରାୟ କୁ କାଏମ ରଖନ୍ତି ତେବେ ତଙ୍କୁ ବିଧାୟକ ପଦ ହରାଇବାକୁ ପଡିବ ଓ ଜେଲ ଯିବାକୁ ପଡିବ । ଏଣୁ ବର୍ତ୍ତମାନ ହାଇକୋର୍ଟ ଙ୍କ ଉପରେ ମୋକିମଙ୍କ ଭାଗ୍ୟ ନିର୍ଭର କରୁଛି । ତଳ କୋର୍ଟରୁ ମୋକିମ ଙ୍କୁ ଜାମିନ ମିଳିଛି । ହାଇକୋର୍ଟରୁ ମଧ୍ୟ ତାଙ୍କୁ ଜାମିନ ନେବାକୁ ପଡିବ । ଖାଲି ଜାମିନ ନେଲେ ସେ ବର୍ତ୍ତିଯିବେ ନାହିଁ, ଜାମିନ୍ ସହିତ ତାଙ୍କୁ କନଭିକସନ୍ ଉପରେ ରହିତାଦେଶ ନେବାକୁ ହେବ ।
ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚ୍ଡିସି) ଦୁର୍ନୀତି ମାମଲାର ବିଚାର କରି ଗୁରୁବାର ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ରାୟ ଶୁଣାଇଛନ୍ତି । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ସତ୍ୟନାରାୟଣ ଷଡ଼ଙ୍ଗୀ ଏହି ମାମଲାରେ ଓଆରଏଚ୍ଡିସିର ତତ୍କାଳୀନ ଅଧ୍ୟକ୍ଷ ଆଇଏଏସ୍ ବିନୋଦ କୁମାର, ପୂର୍ବତନ କମ୍ପାନୀ ସେକ୍ରେଟେରୀ ସ୍ୱସ୍ତିରଞ୍ଜନ ମହାପାତ୍ର, ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ତଥା କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ସଂପୃକ୍ତ ୪ ଜଣ ଦୋଷୀଙ୍କୁ ସଶ୍ରମ କାରାଦଣ୍ଡ ସହ ୫୦ହଜାର ଟଙ୍କା ଲେଖାଏଁ ଜୋରିମାନା ଦାଖଲ କରିବା ପାଇଁ ଭିଜିଲାନନ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍ ଦଣ୍ଡ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଓଆରଏଚଡିସ ଦୁର୍ନିତି ମାମଲାରେ ଭିଜିଲାନ୍ସ ପକ୍ଷରୁ ୨୦୦୫ରେ କେସ୍ ନଂ-୭ରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା । କଟକ ଭିଜିଲାନ୍ସ ସେଲର ତତ୍କାଳୀନ ଡିଏସପି ଅଭିରାମ କର ମାମଲାର ତଦନ୍ତ କରିଥିବାବେଳେ ସ୍ପେଶାଲ୍ ପିପି ହେମନ୍ତ କୁମାର ସ୍ୱାଇଁ ମାମଲା ଲଢ଼ିଥିଲେ । ୪ ଅଭିଯୁକ୍ତଙ୍କୁ ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର ଓ ସରକାରୀ ପଦବୀର ଅପବ୍ୟବହାର କରି ଅନୁଗ୍ରହ ପ୍ରଦର୍ଶନ କରିବା ଅଭିଯୋଗରେ ଦଣ୍ଡାଦେଶ ଦିଆଯାଇଛି ।
ସୂଚନାଅନୁସାରେ ମେଟ୍ରୋ ବିଲଡର୍ସ ପୂର୍ବରୁ ନେଇଥିବା ଋଣ ଫେରସ୍ତରେ ଅବହେଳା କରିଥିଲା । ଏହାସତ୍ତ୍ୱେ ଦ୍ୱିତୀୟ ଥର ଆବେଦନ ହୋଇଥିବା ୧.୫ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଥିଲା । ସେ ସମୟରେ ଓଆରଏଚଡିସି ଅଧ୍ୟକ୍ଷ ଥିବା ବିନୋଦ କୁମାର ତାଙ୍କ ପାଖରେ ଅର୍ଥନୈତିକ କ୍ଷମତା ନଥିଲେ ମଧ୍ୟ ଋଣ ପ୍ରଦାନ କରିବା ନେଇ ଅହେତୁକ ଅନୁକମ୍ପା ଦେଖାଇଥିଲେ । ଋଣ ଚେକରେ ଦସ୍ତଖତ କରିବାପାଇଁ ତାଙ୍କ ପାଖରେ କ୍ଷମତା ନଥିଲା । ଏହି କାରଣରୁ ସେ ବେଆଇନ ଭାବେ ଋଣ ମଞ୍ଜୁର କରିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଋଣ ଆବେଦନକାରୀ ମେଟ୍ରୋ ବିଲଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ୍ ଓ ନିର୍ଦ୍ଦେଶକ ପୀୟୂଷ ମହାନ୍ତି ତଞ୍ଚକତା କରି ଋଣ ନେଇଥିବା ଯୋଗୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଇଏଏସ ବିନୋଦ କୁମାର ୨୦୦୦ ମସିହା ଜାନୁଆରି ୪ ତାରିଖଠାରୁ ୨୦୨୧ ମସିହା ମେ’ ୧୫ ତାରିଖ ଯାଏ ଓଆରଏଚଡିସି ଅଧ୍ୟକ୍ଷ ଥିଲେ । ଏହି ସମୟରେ ସ୍ୱସ୍ତି ରଞ୍ଜନ ମହାପାତ୍ର ଓଆରଏଚଡିସିର କମ୍ପାନୀ ସେକ୍ରେଟାରୀ ଥିଲେ । ୨୦୨୦ ଜୁନ୍ ୨୪ ତାରିଖରେ ମେଟ୍ରୋ ବିଲଡର୍ସ ଭୁବନେଶ୍ୱରସ୍ଥିତ ନୟାପଲ୍ଲୀଠାରେ ମେଟ୍ରୋସିଟି୨ ପ୍ରକଳ୍ପର ୫୦ଟି ଫ୍ଲାଟ୍ ପାଇଁ ୧.୫ କୋଟି ଟଙ୍କାର ଋଣ ଆବେଦନ କରିଥିଲା । ବିନୋଦ କୁମାର ଓଆରଏଚଡିସିରୁ ମେଟ୍ରୋ ବିଲଡର୍ସକୁ ୨୦୦୦ ମସିହା ଜୁଲାଇ ୬ରୁ ଅଗଷ୍ଟ ୨୮ ମଧ୍ୟରେ ତିନିଟି କିସ୍ତିରେ ୧୫୦ ଲକ୍ଷ ଟଙ୍କା ଋଣ ଦେଇଥିଲେ । ପ୍ରଥମ କିସ୍ତିରେ ୧ କୋଟି, ଦ୍ୱିତୀୟ କିସ୍ତିରେ ୩୦ ଲକ୍ଷ ଓ ତୃତୀୟ କିସ୍ତିରେ ୨୦ ଲକ୍ଷ ଟଙ୍କା ଦିଆଯାଇଥିଲା । ଋଣ ଏଗ୍ରିମେଣ୍ଟ ଓ ଏ ସମ୍ପିର୍କତ ଅନ୍ୟାନ୍ୟ କାଗଜପତ୍ରରେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହାର ନିର୍ଦ୍ଦେଶକ ପୀୟୂଷ ମହାନ୍ତି ଦସ୍ତଖତ କରିଥିଲେ । ମେଟ୍ରୋ ବିଲଡର୍ସର ଋଣ ଆବେଦନକୁ ଓଆରଏଚଡିସର ବୋର୍ଡ ଅଫ୍ ଡାଇରେକ୍ଟରର୍ସଙ୍କ ନିକଟରେ ଉପସ୍ଥାପନ କରାଯାଇନଥିଲା । ସେହିପରି ଋଣ ଅନୁମୋଦନ ପୂର୍ବରୁ କ୍ଷେତ୍ର ପରିଦର୍ଶନ କରାଯାଇନଥିଲା । ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣସ, ପ୍ରୋଜେକ୍ଟ ପାଇଁ ବିଡିଏର ପ୍ଲାନ୍ ଅନୁମୋଦନ, ପ୍ରୋଜେକ୍ଟ ଏଷ୍ଟିମେଟ୍, ଅଗ୍ନିନିରାପତ୍ତା ପ୍ରମାଣପତ୍ର ଓ ଏଭଳି ଅନେକ ଡକ୍ୟୁମେଣ୍ଟର ସଠିକ୍ ଯାଞ୍ଚ କରାଯାଇନଥିଲା । ତଦନ୍ତ ବେଳେ ଜଣାପଡିଥିଲା ଯେ ମେଟ୍ରୋ ବିଲଡର୍ସ ପକ୍ଷରୁ ଦାଖଲ କରାଯାଇଥିବା ଏସବୁ ଡକ୍ୟୁମେଣ୍ଟ ନକଲି ଥିଲା । ପୁଣି ଉଚିତ୍ ପରିମାଣର ସିକ୍ୟୁରିଟି ଡିପୋଜିଟ୍ ନରଖି ଋଣ ଦିଆଯାଇଥିଲା । ସମସ୍ତ ଅଭିଯୁକ୍ତ ଅପରାଧିକ ଷଡଯନ୍ତ୍ର କରି ସରକାରଙ୍କୁ କ୍ଷତି ପହଞ୍ଚାଇଥିଲେ ଓ ଅନୁଚିତ୍ ଉପାୟରେ ଏକ ବିଲ୍ଡର ସଂସ୍ଥାକୁ ଲାଭ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking