29.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶ୨୦୧୬ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ହାଇକୋର୍ଟଙ୍କ ବଡ଼ ରାୟ; ରଦ୍ଦ ହେଲା ୨୩ ହଜାର...

୨୦୧୬ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ହାଇକୋର୍ଟଙ୍କ ବଡ଼ ରାୟ; ରଦ୍ଦ ହେଲା ୨୩ ହଜାର ଶିକ୍ଷକଙ୍କ ନିଯୁକ୍ତି

କୋଲକାତା :୨୦୧୬ରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ହାଇକୋର୍ଟ ଆଜି ବାତିଲ କରିଦେଇଛନ୍ତି । ଜଷ୍ଟିସ ଦେବଙ୍ଗସୁ ବାସକ ଏବଂ ଜଷ୍ଟିସ୍ ଏମ.ଡି ଶବର ରଶିଦ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ୨୦୧୬ ନିଯୁକ୍ତି ପ୍ୟାନେଲକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରି ଦେଇଛନ୍ତି । ଫଳରେ ଉକ୍ତ ବର୍ଷ ତଥା ନିଯୁକ୍ତି ପ୍ରକ୍ରିୟାରେ ମନୋନୀତ ହୋଇ ରାଜ୍ୟବ୍ୟାପୀ ନିଯୁକ୍ତି ପାଇଥିବା ପ୍ରାୟ ୨୩ହଜାର ଶିକ୍ଷକଙ୍କ ଭାଗ୍ୟ ଏବେ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି ।
ପ୍ରକାଶ, ୨୦୧୬ରେ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ସରକାରୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ କୋର୍ଟରେ ଏକାଧିକ ପିଟିସନ୍ ଦାୟର କରାଯାଇଥିଲା । ତେବେ ସୋମବାର ଏସବୁ ମାମଲା ଉପରେ ଶୁଣାଣି କରିବା ସହ କୋଲକାତା ହାଇକୋର୍ଟ ନିଯୁକ୍ତି ପ୍ରକ୍ରିୟା ରଦ୍ଦ କରିବା ଭଳି ଏକ ବଡ଼ ରାୟ ଶୁଣାଇଛନ୍ତି । ନିଜ ରାୟରେ ହାଇକୋର୍ଟ କହିଛନ୍ତି, ୨୦୧୬ରେ ଅନୁଷ୍ଠିତ ହୋଇଥିବା ସରକାରୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ପ୍ରମାଣ ରହିଛି । ସୁତରାଂ ଏପ୍ରକାର ଏକ ବେଆଇନ୍ ନିଯୁକ୍ତି ପ୍ରକ୍ରିୟାକୁ ବାତିଲ୍ କରାଯାଉଛି । ଏଥିସହ ଏହି ଘଟଣାର ସିବିଆଇ ତଦନ୍ତ କରାଯିବ । ଏତଦ୍‌ବ୍ୟତୀତ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ଆସନ୍ତା ୪ ସପ୍ତାହ ମଧ୍ୟରେ ସମସ୍ତ ଦରମା ଫେରସ୍ତ କରିବାକୁ ହେବ ବୋଲି ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଉପସ୍ଥିତ ହୋଇ ଦରମା ବାବଦକୁ ଆଜି ପର୍ଯ୍ୟନ୍ତ ସେମାନେ ରୋଜଗାର କରିଥିବା ଅର୍ଥକୁ ପୈଠ କରିବାକୁ ହେବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ଏଥିସହ କୋର୍ଟ ମଧ୍ୟ ୨୩ ଲକ୍ଷ ଓଏମ୍‌ଆର୍ ସିଟ୍ (ପରୀକ୍ଷା ଖାତାର) ପୁନଃ ମୂଲ୍ୟାଙ୍କନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ବାତିଲ ହୋଇଥିବା ୨୦୧୬ ନିଯୁକ୍ତି ପ୍ରକିୟାରେ ଚାକିରି ପାଇଥିବା ମୋଟ୍ ୨୩ହଜାର ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ଅଛନ୍ତି । ଏମାନେ ଡବ୍ଲୁବିଏସ୍‌ସି (ୱେଷ୍ଟ ବେଙ୍ଗଲ୍ ସର୍ଭିସ କମିଶନ) ଏଣ୍ଟ୍ରାନ୍ସ ପରୀକ୍ଷା ୨୦୧୬ ଅଧୀନରେ ନିଯୁକ୍ତି ପାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏମାନଙ୍କ ମଧ୍ୟରୁ ଅନେକ ନିଜ ଏଣ୍ଟ୍ରାନ୍ସ ପରୀକ୍ଷାରେ କୃତକାର୍ଯ୍ୟ ହୋଇନଥିବା ସତ୍ତ୍ୱେ ନିଯୁକ୍ତି ପାଇଥିବା ଜଣାପଡିଥିଲା । ଅନ୍ୟପକ୍ଷେ ଶିକ୍ଷକ ନିଯୁକ୍ତି ମାମଲାରେ କୋଲକାତା ହାଇକୋର୍ଟଙ୍କ ଏପ୍ରକାର ରାୟ ଆସିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି । ବିଜେପି ନେତାମାନେ ନ୍ୟାୟିକ ବ୍ୟବସ୍ଥା ଓ କୋର୍ଟଙ୍କ ରାୟକୁ ପ୍ରଭାବିତ କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking