27.1 C
Bhubaneswar
Tuesday, May 7, 2024
Homeଓଡିଶାମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ମା’ମାନଙ୍କୁ ମିଛ କହି ଭୂଆଁ ବୁଲାଉଛନ୍ତି: ପ୍ରଭାତୀ ପରିଡା

ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ମା’ମାନଙ୍କୁ ମିଛ କହି ଭୂଆଁ ବୁଲାଉଛନ୍ତି: ପ୍ରଭାତୀ ପରିଡା

 ୮ମାସ ତଳୁ କେନ୍ଦ୍ର ସରକାର ଘୋଷଣା କରିିଥିବା ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଜନାକୁ ରାଜ୍ୟ ସରକାର ଏବେ ଘୋଷଣା କରି ବାଃ ବାଃ ନେବା ଲଜ୍ଜାଜନକ

ଭୁବନେଶ୍ୱର : କେନ୍ଦ୍ର ଯୋଜନାକୁ ନିଜ ନାଁରେ ଘୋଷଣା କରି ସବୁବେଳେ ବାଃ ବାଃ ନେଉଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଗତକାଲି ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ବିନା ସୁଧରେ ଋଣ ରାଶିର ସୀମାକୁ ୩ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଲେ ବୋଲି ଗତକାଲି ଘୋଷଣା କରିଛନ୍ତି । ଉପନିର୍ବାଚନ ଆସିଲେ ୨୩ବର୍ଷର ମିଥ୍ୟାବାଦୀ ମୁଖ୍ୟମନ୍ତ୍ରୀଙ୍କ ସର୍ବଦା ଚାଷୀ ଓ ମହିଳାମାନଙ୍କର କଥା ମନେପଡେ । ଉପନିର୍ବାଚନ ପାରହେବା ଲାଗି ରାଜ୍ୟ ସରକାର ମିଶନ ଶକ୍ତିର ମା’ମାନଙ୍କୁ ମିଛ କହି ଭୂଆଁ ବୁଲାଉଛନ୍ତି । ବାସ୍ତବରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଯୋଜନା ଦେଶରେ ଚଳିତବର୍ଷ ଗତ ଏପ୍ରିଲଠାରୁ ଆରମ୍ଭ ହୋଇସାରିଛି । ଦେଶର ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ ରାଶିର ସୀମାକୁ ୩ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ମୁଖ୍ୟମନ୍ତ୍ରୀ କିଛି ନୂଆକଥା କହିନାହାନ୍ତି କି ନୂଆ ବ୍ୟବସ୍ଥା କରିନାହାନ୍ତି । ଏହି ଯୋଜନା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ସ୍ୱାଧୀ ନିରଞ୍ଜନ ଜ୍ୟୋତି ପାର୍ଲିଆମେଂଟରେ ଗତ ୨୯ ମାର୍ଚ୍ଚ, ୨୦୨୨ତାରିଖରେ ତଥ୍ୟ ରଖିଥିଲେ । ପ୍ରକାଶଥାଉ କି, ୨୦୧୬ରୁ କେନ୍ଦ୍ର ସରକାର ଦେଶର ୨୯ଟି ରାଜ୍ୟର ୨୫୦ଟି ଚିହ୍ନିତ ଜିଲ୍ଲାକୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଜନାର ସୁବିଧା ଦେଇ ଆସୁଥିଲେ । ସେଥିରେ ସବୁଠୁ ଅଧିକ ଲାଭ ମିଳିଥିଲା ଓଡ଼ିଶାକୁ । କାହିଁକି ନାଁ ଓଡ଼ିଶାରେ ୩୦ଟି ଜିଲ୍ଲାରୁ ୨୨ଟି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଏହି ସୁବିଧା ପାଉଥିଲେ ଓ ଆଉ ୮ଟି ଜିଲ୍ଲାର ମହିଳା ମହିଳାଗୋଷ୍ଠୀ ଏହି ଯୋଜନାରୁ ବଂଚିତ ଥିଲେ । ତେବେ ଯଦି ମୁଖ୍ୟମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ସାହାଯ୍ୟ କରି ଋଣ ଛାଡ କରୁଛନ୍ତି ତାହାଲେ ସେତେବେଳେ ବାଦ୍ ପଡିଥିବା ବାକି ୮ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କି କି ସୁବିଧା ମୁଖ୍ୟମନ୍ତ୍ରୀ ଯୋଗାଇଛନ୍ତି ତାହାର ଉତର ରଖିବାକୁ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା ପ୍ରଶ୍ନ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀମତୀ ପରିଡା କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କର ଦୀନ ଦୟାଲ ଅନ୍ତୋଦୟ ଯୋଜନାରେ ଜାତୀୟ ଗ୍ରାମୀଣ ଜୀବନ ମିଶନରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ କେନ୍ଦ୍ର ସରକାର ୭% ସୁଧ ହାରରେ ଋଣ ଦେବାର ବ୍ୟବସ୍ଥା କରିଛନ୍ତି । ବ୍ୟାଙ୍କର ସାଧାରଣ ସୁଧ ହାର ୧୧% ହୋଇଥିବା ବେଳେ କେନ୍ଦ୍ର ସରକାର ୪% ସୁଧ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ନିଜେ ବହନ କରନ୍ତି । ପରେ ଯେଉଁମାନେ ନିୟମତି ଋଣ ସୁଝନ୍ତି ସେମାନଙ୍କ ପାଇଁ ଅତିରିକ୍ତ ୩% ସୁଧ ଛାଡର ବ୍ୟବସ୍ଥା କେନ୍ଦ୍ର ସରକାର କରିଥାନ୍ତି । କିନ୍ତୁ ରାଜ୍ୟ ସରକାର ଋଣ ଦେଇନଥାନ୍ତି ବରଂ କେନ୍ଦ୍ର ସରକାର ବ୍ୟାଙ୍କ ଜରିଆରେ ଋଣ ପ୍ରଦାନ କରିଥାନ୍ତି । ତତ୍‌ସହିତ ସୁଧ ବାବଦକୁ କେନ୍ଦ୍ର ସରକାର ବ୍ୟାଙ୍କକୁ ପୈଠ କରନ୍ତି । ବାକି ୪% ସୁଧକୁ କେବଳ ରାଜ୍ୟ ସରକାର ଛାଡ କରିପାରନ୍ତି । ଯେତିକି ସୁଧ ଛାଡ କରାଯାଇଥାଏ ସେଥିରୁ ଅଧିକ ସୁଧ କେନ୍ଦ୍ର ସରକାରଙ୍କ ଅର୍ଥରେ ଛାଡ କରାଯାଏ, ରାଜ୍ୟ ସରକାର କମ ସୁଧ ଛାଡ କରନ୍ତି । କିନ୍ତୁ ସବୁବେଳେ ମିଛ ବାହାବା ନିଅନ୍ତି ଯେ ରାଜ୍ୟ ସରକାର ବିନା ସୁଧରେ ଏସଏଚଜିମାନଙ୍କୁ ଋଣ ଦେଉଛନ୍ତି ବୋଲି । ମୁଖ୍ୟମନ୍ତ୍ରୀଙ୍କର ଯଦି ଏତେ ମା ମାନଙ୍କ ପ୍ରତି ଦରଦ ଅଛି ତାହେଲେ ୫ ଲକ୍ଷ ଋଣକୁ ବୃଦ୍ଧି କରି ୧୦ ଲକ୍ଷ ପର୍ଯ୍ୟନ୍ତ କରନ୍ତୁ ବୋଲି ଶ୍ରୀମତୀ ପରିଡା ଆହ୍ୱାନ ଦେଇଛନ୍ତି ।
କେନ୍ଦ୍ର ସରକାର ସାରା ଦେଶରେ ଯେତେ ଏସଏଚଜି ଅଛନ୍ତି ସେମାନଙ୍କୁ ମିଳୁଥବା ରୁଣ ଉପରେ ୭% ସୁଧକୁ ବହନ କରିଥାଆନ୍ତି । ବାକି ଯେଉଁ ୪% ରହିଲା ତାକୁ କେବଳ ରାଜ୍ୟ ସରକାର ବହନ କରିଥାଆନ୍ତି । ଯେଉଁ ଏସଏଚଜି ମାନେ ଭଲ ପ୍ରଦର୍ଶନ କରିଥାଆନ୍ତି, ସୁଧ ଠିକ ସମୟରେ ପୈଠ କରିଥାଆନ୍ତି ସେମାନଙ୍କୁ କେନ୍ଦ୍ର ସରକାରଙ୍କର ଦୀନ ଦୟାଲ ଅନ୍ତୋଦୟ ଯୋଜନା – ନ୍ୟାସନାଲ ରୁରାଲ ଲାଇଭ ହୁଡ ମିଶନ ଯୋଜନାରେ ଆଉ ୩% ସୁଧ ଛାଡ କରାଯାଏ । ଏହି ଅର୍ଥ ସମ୍ପୃର୍ଣ୍ଣ ଭାବରେ କେନ୍ଦ୍ର ସରକାର ଦେଇଥାଆନ୍ତି । ଓଡ଼ିଶାର ମା, ଭଉଣୀମାନେ ଏ ମିଥ୍ୟାବାଦୀ ରାଜ୍ୟ ସରକାରଙ୍କ କଥାରେ ନଭାସିବାକୁ ଶ୍ରୀମତୀ ପରିଡା ନିବେଦନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking