37.1 C
Bhubaneswar
Sunday, May 5, 2024
Homeଓଡିଶାଡାହାଣୀ ସନ୍ଦେହରେ ଅମାନବୀୟ ଅତ୍ୟାଚାର

ଡାହାଣୀ ସନ୍ଦେହରେ ଅମାନବୀୟ ଅତ୍ୟାଚାର

ଘର ଭିତରେ ବନ୍ଦକରି ଦେଉଥିଲେ ମାଡ଼ ଓ ଚେଙ୍କ
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ସାନସରାସପୋଷୀ ଗ୍ରାମର ଶ୍ୟାମସୁନ୍ଦର ସିଂ(୫୫) ଏବଂ ତାଙ୍କ ସ୍ତ୍ରୀ କୁନି ସିଂଙ୍କୁ ନିଜ ଜ୍ଞାତିକୁଟୁମ୍ବ ତଥା ପଡ଼ୋଶୀମାନେ ଡାହାଣୀ ଓ ଗୁଣିଗାରେଡ଼ି କରୁଥିବା ସନ୍ଦେହକରି ଅମାନବୀୟ ଅତ୍ୟାଚାର  କରିବା ଘଟଣାରେ ପୁଲିସ୍ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଘରେ ଦେବତା ରଖି ନିଜର ଜ୍ଞାତି କୁଟୁମ୍ବ ତଥା ପଡ଼ୋଶୀମାନଙ୍କ ଅନିଷ୍ଟ କରୁଥିବା ଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୋଟାଏ ପରିବାରର ସ୍ୱାମୀ ଓ ସ୍ତ୍ରୀଙ୍କୁ ମାନସିକ ନିର୍ଯାତନା ତଥା ସର୍ବସାଧାରଣରେ ଅପବାଦ ଦେବା ସାଙ୍ଗକୁ ସାହିରୁ ବାସନ୍ଦ କରାଯାଇଥିବା ବେଳେ ଏହି ଅସହାୟ ଦମ୍ପତି ଭାଗ୍ୟକୁ ଆଦରି ପଡ଼ିରହିଥିଲେ । ତେବେ ଶ୍ୟାମସୁନ୍ଦରଙ୍କ କକା ପୁଅ ଭାଇଙ୍କ ସ୍ତ୍ରୀର ୨ୟଥର କନ୍ୟା ସନ୍ତାନ ଜନ୍ମ ପରେ ଏବଂ ପରିବାରରେ ବିଭିନ୍ନ ଲୋକଙ୍କ ବିଭିନ୍ନ ସମୟରେ ଦେହ ଅସୁସ୍ଥ ରହୁଥିବା କାରଣକୁ ନେଇ ଏହି ଅସହାୟ ଦମ୍ପତିଙ୍କ ଉପରେ ଜ୍ଞାତି କୁଟୁମ୍ବମାନଙ୍କ ଅତ୍ୟାଚାର ବୃଦ୍ଧି ପାଇଥିଲା ।

ଫଳରେ ପୀଡ଼ିତ ଦମ୍ପତି ନ୍ୟାୟ ଓ ସୁରକ୍ଷା ପାଇଁ ଚାନ୍ଦୁଆ ଥାନାର ଆଶ୍ରୟ ନେଇଥିଲେ ମଧ୍ୟ ପୁଲିସ ପକ୍ଷରୁ ମାମଲାକୁ ଗୁରୁତ୍ୱ ନଦେଇ ଆପୋଷ ସମାଧାନ କରି ଘରକୁ ପଠାଇ ଦେଇଥିଲେ । ଅପରପକ୍ଷେ ସଂପୃକ୍ତ ଦମ୍ପତି ଘଟଣାକୁ ଥାନାରେ ଜଣାଇଥିବାରୁ ସେମାନଙ୍କ ଉପରେ ଅଧିକ ଶାରୀରିକ ଓ ମାନସିକ ନିର୍ଯାତନା ଆରମ୍ଭ କରିହୋଇଥିବା ସମୟରେ ପୀଡ଼ିତ ଦମ୍ପତି ଦ୍ୱିତୀୟଥର ଥାନାକୁ ଯିବାକୁ ସାହସ କରିପାରି ନଥିଲେ । ପରେ ଶ୍ୟାମସୁନ୍ଦର ସାହସ ଜୁଟାଇ ଚାନ୍ଦୁଆ ଥାନାରେ ପହଞ୍ଚିଥିଲେ । ଚାନ୍ଦୁଆ ଥାନା ଅଧିକାରିଣୀ ଏତଲା ରଖି ଓ ଖାତାରେ ଦସ୍ତଖତ କରାଇ ଦାୟିତ୍ୱ ଶେଷ କରିଦେଇଥିଲେ । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଚାନ୍ଦୁଆ ଥାନା ପୁଲିସ ଅତି ସହଜ ଭାବରେ ନେଇ ସେମାନଙ୍କୁ ଥାନାରୁ ଅସୁରକ୍ଷିତ ଭାବରେ ପଠାଇ ଦେଇଥିବାରୁ ନିରୁପାୟ ହୋଇ ପୀଡ଼ିତ ବ୍ୟକ୍ତିକୁ ଧରି ଭଉଣୀ ଭିଣୋଇମାନେ ବାରିପଦା ପିଆର୍‌ଏମ୍ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ତେବେ ସ୍ଥାନୀୟ ଜନୈକ ସାମାଜିକ କର୍ମୀ ଘଟଣା ବିଷୟରେ ଶୁଣିବାରୁ ତାଙ୍କ ପରାମର୍ଶ କ୍ରମେ ପୀଡ଼ିତ ନିଜ ଭଉଣୀ ଭିଣୋଇଙ୍କ ସାହାରାରେ ଗତ ୨୩ରେ ମୟୂରଭଞ୍ଜ ଏସ୍‌ପିଙ୍କୁ ଭେଟି ଗୁହାରି ଜଣାଇଥିଲେ । ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଚାନ୍ଦୁଆ ଥାନା ଅଧିକାରିଣୀ ବାରିପଦାସ୍ଥିତ ପୀଡ଼ିତଙ୍କୁ ଭେଟି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking