26.1 C
Bhubaneswar
Friday, May 10, 2024
Homeଓଡିଶାମନୀଷ ହତ୍ୟା ମାମଲା : ନିଶାରେ ଥିଲୁ କିଛି ମନେନାହିଁ

ମନୀଷ ହତ୍ୟା ମାମଲା : ନିଶାରେ ଥିଲୁ କିଛି ମନେନାହିଁ

ଭୁବନେଶ୍ୱର: ସାର୍ ଏଇଠି ଛିଡ଼ା ହୋଇଥିଲୁ । ନା.. ନା. ସାର୍ ଏଇଠି ଥିଲୁ । ସେ କିଛି ଜାଣିନି । ଆରେ ସତ କୁହ କେଉଁଠି ଥିଲ । ସାର୍ ସତ କହୁଛି ଏଇଠି । ଚୁପ୍ କର୍‌ବେ କହୁଛି ବା ସେପଟ ରାସ୍ତାରେ । ଏ ଚାଲ ଚାଲ.. କିଛି ଦରକାର ନାହିଁ । ଚିଡ଼ିଗଲା ପୁଲିସ । ସରିଲା କଥା । ସବୁ ଫେରିଲ ଥାନାକୁ । ଏଭଳି କିଛି ଦୃଶ୍ୟ ପୁଲିସ ଓ ମନୀଷ ହତ୍ୟା ମାମଲାର ୩ଅଭିଯୁକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ଘଟଣାସ୍ଥଳ ଚିହ୍ନଟ କରିବା ପାଇଁ ଅଭିଯୁକ୍ତଙ୍କୁ ପୁଲିସ ସାଙ୍ଗରେ ନେଇକି ଯାଇଥିବାବେଳେ ସେମାନେ ପୁଲିସକୁ ଦ୍ୱନ୍ଦରେ ପକାଇଦେଇଛନ୍ତି । ପ୍ରକୃତରେ କେଉଁଟା ଘଟଣାସ୍ଥଳ ଠିକ୍ ଭାବେ କହିପାରୁନାହାନ୍ତି ।

ସେଦିନ ରାତିରେ ସମସ୍ତ ନିଶାସକ୍ତ ଅବସ୍ଥାରେ ଥିବାରୁ ରାସ୍ତାଘାଟ ବି ଠିକ୍‌ଭାବେ ଚିହ୍ନୁପାରୁନାହାନ୍ତି । ଏହାସହ ଅମ୍ରିତଙ୍କ ବାଦ୍ ଅନ୍ୟ ଦୁଇ ଅଭିଯୁକ୍ତ କନ୍ଧମାଳର ହୋଇଥିବାରୁ ସେମାନେ ଭୁବନେଶ୍ୱର ରାସ୍ତା ବାବଦରେ ଅବଗତ ନାହାନ୍ତି । ଯେଉଁଥିପାଇଁ ପୁଲିସ କ୍ରାଇମ୍ ସିନ୍ ରି-କ୍ରିଏସନ୍ କରିପାରିନାହିଁ । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ହତ୍ୟା ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କୁ ଗତ ସୋମବାର ଠାରୁ ୪ଦିନିଆ ରିମାଣ୍ଡରେ ପୁଲିସ ନେଇଥିଲା । ଗୁରୁବାର ରିମାଣ୍ଡ ଅବଧି ଶେଷ ହେଉଥିବାବେଳେ ପୁଲିସ କିଛି ନୂଆ ତଥ୍ୟ ହାସଲ କରିପାରିନାହିଁ । ଏମିତିକି କ୍ରାଇମ୍ ସିନ୍‌-ରିକ୍ରିଏସନ୍ ମଧ୍ୟ କରିନାହିଁ ।

ଯାହା ଦୁର୍ବଳ ଚାର୍ଜସିଟ୍‌ର କାରଣ ହେବାକୁ ଯାଉଛି । ଗୁରୁବାର ଅପରାହ୍ଣରେ ଅଭିଯୁକ୍ତ ଅମ୍ରିତ, ଦିନେଶ ଓ ମୃତ୍ୟୁଞ୍ଜୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହାପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇ ଜେଲ୍ ପଠାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ମନୀଷଙ୍କ ମୃତ୍ୟୁ କେମିତି ହେଲା ପଚାରିବାରୁ ପୁଲିସ ଚୁପ୍ ରହୁଛି । ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରିମାଣ୍ଡ ବେଳେ ଅଭିଯୁକ୍ତମାନେ ପୁଲିସକୁ ଗପ ଶୁଣାଇଥିବା ଜଣାପଡ଼ିଛି । ଘଟଣାବେଳେ  ନିଶାସକ୍ତ ଅବସ୍ଥାରେ ଥିଲୁ । ସେ ମୁହୂର୍ତ୍ତ ବାବଦରେ କିଛି ମନେନାହିଁ ବୋଲି ସେମାନେ କହିଛନ୍ତି । ଯାହା ପୁଲିସକୁ ଆହୁରି ଅଡୁଆରେ ପକାଇଦେଇଛି ।

ଏସମ୍ପର୍କରେ ଭୁବନେଶ୍ୱର ଡିସିପି କହନ୍ତି, ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଗୁରୁବାର ଶେଷ ହେବ । ଏହାପରେ ଗଣମାଧ୍ୟମକୁ ସବିଶେଷ ସୂଚନା ଦିଆହେବ ବୋଲି କହିଛନ୍ତି । ଏହି ମାମଲାର ତଦନ୍ତ ପ୍ରକ୍ରିୟାରେ ପୁଲିସ ଅନେକ ସ୍ଥାନରେ ଝୁଣ୍ଟିଥିଲା । ଘଟଣାରେ ଅନ୍ୟ କେହି ଥିବା ସନ୍ଦେହ କରିଥିଲା । ଏମିତିକି ଚାର୍ଜସିଟ୍ କରିବା ପାଇଁ ପୁଲିସ ପାଖେ ଶକ୍ତ ପ୍ରମାଣ ମଧ୍ୟ ଲାଗିନାହିଁ । ତେଣୁ ଏସବୁକୁ ଧ୍ୟାନଦେଇ ଗିରଫ ୩ ଅଭିଯୁକ୍ତ ପୁଲିସ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା । ସେମାନଙ୍କୁ ୫ଦିନିଆ ରିମାଣ୍ଡରେ ନେବା ପାଇଁ ଇନ୍‌ଫୋସିଟି ଥାନା ପୁଲିସ କୋର୍ଟରେ ଆବେଦନ କରିଥିବାବେଳେ ମାନ୍ୟବର କୋର୍ଟ ୪ଦିନ ପାଇଁ ଅନୁମତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking