29.1 C
Bhubaneswar
Saturday, April 27, 2024
Homeଓଡିଶାପୁଣି ଶହ ଶହ ପ୍ରବାସୀ ଶ୍ରମିକ ଫେରିଲେ

ପୁଣି ଶହ ଶହ ପ୍ରବାସୀ ଶ୍ରମିକ ଫେରିଲେ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ଜିଲ୍ଲାରେ ମୋଟ ୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୨୮୨କୁ ବୃଦ୍ଧି ପାଇଛି । ତନ୍ମଧ୍ୟରୁ ୫୨୨୭ ଜଣ ଆରୋଗ୍ୟ ଲାଭ କରିଥିବାବେଳେ ୨୫ ଜଣ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ମୋଟ ୩୦ ଜଣ ଚିକିତ୍ସିତ ହେଉଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୫ ଜଣ ମାଲକାନଗିରି ପୌର ପରିଷଦ ଅଞ୍ଚଳର ହୋଇଥିବା ବେଳେ ଜଣେ ମାଥିଲି ବ୍ଲକର ଓ ଅନ୍ୟ ୩ ଜଣ କାଲିମେଳା ବ୍ଲକର ବୋଲି ଜଣାପଡ଼ିଛି । ଛତିଶଗଡ଼ ସୀମାନ୍ତ ଜିଲ୍ଲାଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ଟି ଜିଲ୍ଲାକୁ ସପ୍ତାହାନ୍ତ ସଟ୍‌ଡାଉନ୍ ଘୋଷଣା ପରେ ଜିଲ୍ଲାରେ ସଫଳତାର ସହ ସପ୍ତାହାନ୍ତ ସଟଡାଉନକୁ ଲୋକେ ଶୃଙ୍ଖଳିତ ଭାବେ ପାଳନ କରିଛନ୍ତି ।

ସଂଧ୍ୟା ୬ଟାରୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି । ତେବେ ଏଥିରୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାକୁ ବାଦ୍ ଦିଆଯାଇଛି । ପୂର୍ବରୁ ଛତିଶଗଡ଼କୁ ବସ ଚଳାଚଳ ବନ୍ଦ କରାଯାଇଥିବାବେଳେ ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ ରୋକ ଲଗାଯିବା ପରେ ଆନ୍ତଃରାଜ୍ୟ ଦେଇ ଜିଲ୍ଲାକୁ ଆସୁଥିବା ୭ଟି ରୁଟ୍‌ର ସରକାରୀ ବସ ଓ ୧୨ଟି ବେସରକାରୀ ବସ ବାତିଲ କରାଯାଇଛି । ଆନ୍ତଃରାଜ୍ୟ ବସ ଚଳାଚଳ ବନ୍ଦ ହେବା ପରେ ଆନ୍ଧ୍ର ସୀମା ଦେଇ ଜିଲ୍ଲାର ମୋଟୁ ସୀମାନ୍ତ ଯାଞ୍ଚ ପଏଣ୍ଟ ଦେଇ ସକାଳୁ ଶହ ଶହ ଶ୍ରମିକ ଫେରୁଥିବା ଦେଖାଯାଇଛି । ଏଣୁ ମୋଟୁ ନିକଟସ୍ଥ ସିଲେରୁ ନଦୀ ନିକଟରେ ଶ୍ରମିକଙ୍କ ରେଜିଷ୍ଟ୍ରେସନ କରାଯିବା ସହ ଥର୍ମାଲ ସ୍କ୍ରିନିଂ କରାଯାଉଛି ।

ଯେଉଁମାନଙ୍କଠାରେ କରୋନା ଲକ୍ଷଣ ଦେଖାଯିବ, ସେମାନଙ୍କ ପାଇଁ ମୋଟୁଠାରେ ଅସ୍ଥ୍ରାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ନଚେତ୍ ଯେଉଁମାନେ ଗୃହ ସଙ୍ଗରୋଧରେ ରହିବାକୁ ଇଚ୍ଛୁକ , ସେମାନଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ଅନୁମତି ଦିଆଯାଉଛି । ସକାଳ ୧୦ଟା ସୁଦ୍ଧା ପ୍ରାୟ ୩୬୦ ଜଣ ପ୍ରବାସୀ ଶ୍ରମିକ ଜିଲ୍ଲାର ସୀମାନ୍ତ ଯାଞ୍ଚ ପଏଣ୍ଟ୍ ଦେଇ ଆସିଥିବା ଜଣାପଡ଼ିଛି । ଏଥିସହ ଜିଲ୍ଲାର ବିଭିନ୍ନ ସହର ମୁଖ୍ୟ ଛକ ଓ ମୁଖ୍ୟ ରାସ୍ତାରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ପୁଲିସ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ବିଭିନ୍ନ ଛକ ଓ ମୁଖ୍ୟରାସ୍ତାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଏଥିସହ ମାସ୍କ ଯାଞ୍ଚ କରାଯାଇ ଯେଉଁମାନେ ବିନା କାମରେ ବାହାରକୁ ବାହାରୁଛନ୍ତି ଓ ନିୟମ ଖିଲାପ କରୁଛନ୍ତି, ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking