35.1 C
Bhubaneswar
Saturday, May 4, 2024
Homeଓଡିଶାପୋଲିସ  ପଞ୍ଝାରେ ଲୁଟେରା ଗ୍ୟାଙ୍ଗ୍ : ଚୋରା ବାଇକ୍‌ରେ ଝାମ୍ପୁଥିଲେ ସୁନାଚେନ୍‌

ପୋଲିସ  ପଞ୍ଝାରେ ଲୁଟେରା ଗ୍ୟାଙ୍ଗ୍ : ଚୋରା ବାଇକ୍‌ରେ ଝାମ୍ପୁଥିଲେ ସୁନାଚେନ୍‌

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଟ୍‌ପାଟ କରି ଆତଙ୍କ ସୃଷ୍ଟି କରିଥିବା ଏକ ଆନ୍ତଜିଲ୍ଲା ଲୁଟେରାଗ୍ୟାଙ୍ଗ୍‌କୁ କମିଶନରେଟ୍ ପୁଲିସ କାବୁ କରିବାରେ ସଫଳ ହୋଇଛି । ଯେଉଁମାନେ ଚୋରା ବାଇକ ଯୋଗେ ଆସି ଝାମ୍ପୁଥିଲେ ସୁନା ଚେନ୍ ଓ ମୋବାଇଲ୍ । ଗ୍ୟାଙ୍ଗ୍‌ର ୪ଜଣଙ୍କ ସମେତ ଜଣେ ରିସିଭର୍‌ଙ୍କୁ ଗିରଫ କରାଯାଇଛି । ଏହାସହ ଜଣେ ନାବାଳକକୁ କାବୁ କରି ବାଳାଶ୍ରମକୁ ପଠାଇ ଦିଆଯାଇଛି । ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ଲକ୍ଷ୍ମଣ ସାହୁ ଓରଫ ନିଖିଳ(୨୩), ସୁଶିଲ କୁମାର ରଣା ଓରଫ ସିଲୁ (୧୯), ଖାରବେଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରର ପ୍ରଦୀପ ସାହୁ(୧୯), ନୟାପଲ୍ଲୀ ବେହେରା ସାହି ବବୁଲ ସାମନ୍ତରାୟ(୨୫), ରିସିଭର୍ ପୁରୀ ପଥୁରିଆ ସାହିର ଗୋପିନାଥ ଦାସ ଓରଫ ବାପି(୩୯) ।

ଏମାନଙ୍କ ଠାରୁ ୨୪ଟି ସୁନାଚେନ୍‌(ଓଜନ ୧୯୮ଗ୍ରାମ), ୨ଟି ଆର୍‌-୧୫ ବାଇକ୍‌, ଗୋଟିଏ ପଲସର ଓ ୬ଟି ମୋବାଇଲ ଜବତ ହୋଇଛି । ଗିରଫ ପରେ ପୂର୍ବ ନିର୍ଦ୍ଧାରିତ ମାମଲା ଗୁଡ଼ିକରେ ଏମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି । ଜାମିନ ଖାରଜ ହୋଇଯିବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ, ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ଦିନ ଦ୍ୱିପହରରେ ଏକାଧିକ ସୁନାଚେନ୍ ଲୁଟ୍ ଅଭିଯୋଗ ପୁଲିସ ନିକଟରେ ହୋଇଥିଲା । ପ୍ରତ୍ୟେକ ମାମଲାରେ ଏକ ଆର୍‌-୧୫ ବାଇକ୍ ବ୍ୟବହାର ହେଉଥିବା ଜଣାପଡ଼ିଥିଲା । ସେହି ବାଇକ୍‌ଟି କିଛିଦିନ ତଳେ ଆଚାର୍ଯ୍ୟବିହାର ଛକରୁ ଚୋରି ହୋଇଥିଲା ।

ମଙ୍ଗଳବାର ୨ଜଣ ଲୁଟେରା ସେହି ବାଇକ୍‌ରେ କଳ୍ପନା ଛକରେ ବୁଲୁଥିବା ପୁଲିସ ଖବର ପାଇଥିଲେ । ଏନେଇ ସ୍ପେଶାଲସ୍କ୍ୱାଡ୍ ଏସିପି ସଞ୍ଜିବ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ପହଞ୍ଚିଥିଲେ । ପୁଲିସକୁ ଦେଖି ୨ଜଣ ଯୁବକ ସେହି ବାଇକ୍ ନେଇ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ । ହେଲେ ଟ୍ରାଫିକ୍ ଜାମ ଯୋଗୁ ସେମାନେ ଫସିଯାଇଥିଲେ । ଏହାପରେ ପୁଲିସ ଟିମ୍ ସେମାନଙ୍କୁ ମାଡ଼ି ବସିଥିଲେ । ସେମାନଙ୍କୁ କାବୁ କରି ଥାନାକୁ ଆଣିବାରୁ ତାଙ୍କର ଏକ ଗ୍ୟାଙ୍ଗ୍ ଥିବା ଜଣାପଡ଼ିଥିଲା । ତାଙ୍କ ବୟାନ ଆଧାରରେ ପୁଲିସ ଅନ୍ୟ ଏକ ସ୍ଥାନରେ ଚଢ଼ଉ କରି ଆଉ ୨ଲୁଟେରାଙ୍କୁ ଗିରଫ କରିଥିଲା । ଏହାସହ ରିସିଭର୍ ଗୋପିନାଥଙ୍କୁ ପୁଲିସ ପୁରୀରୁ ଉଠାଇ ଆଣିଥିଲା । ସମସ୍ତଙ୍କୁ ଜେରା କରିବାରୁ ସେମାନେ ନିଜ ଦୋଷ ସ୍ୱୀକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking