33.1 C
Bhubaneswar
Thursday, April 25, 2024
Homeଓଡିଶାଜେନ୍‌ଏକ୍ସକୁ ବିଏମ୍‌ସିର କାରଣ ଦର୍ଶାଅ ନୋଟିସ୍ : ମହଙ୍ଗା ପଡ଼ିଲା ନକଲିି କରୋନା ପ୍ରମାଣପତ୍ର

ଜେନ୍‌ଏକ୍ସକୁ ବିଏମ୍‌ସିର କାରଣ ଦର୍ଶାଅ ନୋଟିସ୍ : ମହଙ୍ଗା ପଡ଼ିଲା ନକଲିି କରୋନା ପ୍ରମାଣପତ୍ର

ଭୁବନେଶ୍ୱର: ଜମି ଦଲାଲ, ଦେହ ଦଲାଲ ଆଉ ଏବେ ଆର୍‌ଟିପିସିଆର୍ ଓ ନକଲି କରୋନା ପ୍ରମାଣପତ୍ର ଦଲାଲ । ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ କମୁ ନଥିବାବେଳେ ଦଲାଲଙ୍କୁ ଏହା ସୁହାଇଛି । ୧୨ ଶହ ଟଙ୍କା ସହ ଆଧାରକାର୍ଡ ଯୋଗାଇଦେଲେ ମିଳୁଛି କରୋନା ପଜିଟିଭ୍ ପ୍ରମାଣପତ୍ର । ନମୁନା ସଂଗ୍ରହ ନ ହୋଇଥିଲେ ମଧ୍ୟ ମୋବାଇଲକୁ ନମୁନା ସଂଗୃହିତ ହେବାର ମେସେଜ୍ ଆସୁଛି । ଏପରି ଖବର ଗଣମାଧ୍ୟମରେ ପ୍ରକାଶ ପରେ ଘରୋଇ ମେଡିକାଲ ‘ଜେନ୍‌-ଏକ୍ସ ଡାଇଗ୍ନୋଷ୍ଟିକ୍ସ’କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ନୋଟିସ୍ ଜାରି ହୋଇଛି । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ମେଡିକାଲ କର୍ତ୍ତୃପକ୍ଷ ଏହାର ଉତ୍ତର ରଖିବାକୁ ଉକ୍ତ ନୋଟିସ୍‌ରେ ବିଏମ୍‌ସି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।

ଏହି ଘଟଣା ପରେ ଜେନ୍‌-ଏକ୍ସ ଡାଇଗ୍ନୋଷ୍ଟିକର ଲାଇସେନ୍ସକୁ କାହିଁକି ରଦ୍ଦ କରାଯିବନାହିଁ ବୋଲି ଉକ୍ତ ନୋଟିସ୍‌ରେ ବିଏମ୍‌ସି କର୍ତ୍ତୃପକ୍ଷ ଜେନ୍‌-ଏକ୍ସ ଡାଇଗ୍ନୋଷ୍ଟିକ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି । ଏନେଇ ଯଥାଶୀଘ୍ର ଉତ୍ତର ରଖିବାକୁ ଚେତାବନୀ ଦେଇଛନ୍ତି । ବିଏମ୍‌ସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କ ସୂଚନା ଅନୁସାରେ ଭୁବନେଶ୍ୱରରେ ନକଲି କୋଭିଡ୍ ପଜିଟିଭ୍ ପ୍ରମାଣପତ୍ର ମିଳୁଥିବା ନେଇ ବୁଧବାର ଜନୈକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଉକ୍ତ ରିପୋର୍ଟ ସହ ସମସ୍ତ ପ୍ରମାଣପତ୍ର ଆଧାରରେ ବିଏମ୍‌ସି ପକ୍ଷରୁ ‘ଏମ୍‌/ଏସ୍ ଜେନ୍‌-ଏକ୍ସ ଡାଇଗ୍ନୋଷ୍ଟିକ୍ସ’କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି ।

ଜେନ୍‌-ଏକ୍ସରୁ ଏକ କରୋନା ପଜିଟିଭ୍ ପ୍ରମାଣପତ୍ର ବିଏମ୍‌ସିର ହସ୍ତଗତ ହୋଇଛି । ଉକ୍ତ ପଜିଟିଭ୍ ପ୍ରମାଣପତ୍ର ପାଇଁ ଜଣେ ଦଲାଲ ୧୨ ଶହ ଟଙ୍କା ଗୁଗଲ ପେ ମାଧ୍ୟମରେ ନେଇଥିବାବେଳେ ହ୍ୱାଟ୍ସଆପ୍‌ରେ ଆଧାରକାର୍ଡ ନେଇଥିଲେ । ସୋମବାର ସନ୍ଧ୍ୟା ସୁଦ୍ଧା ଆର୍‌ଟିପିସିଆର୍ ପଦ୍ଧତ୍ତିରେ ନମୁନା ସଂଗୃହିତ ହୋଇଥିବା ମୋବାଇଲକୁ ମେସେଜ୍ ଆସିଥିବାବେଳେ ମଙ୍ଗଳବାର ସକାଳେ ରିପୋର୍ଟ ପଜିଟିଭ୍ ଥିବା ମେସେଜ୍ ଆସିଥିଲା । ଏଥିପାଇଁ କୌଣସି ନମୁନା ସଂଗୃହିତ ହୋଇନଥିଲା ବୋଲି ଅଭିଯୋଗ ହୋଇଛି ।
ଅଭିଯୋଗ ଆଧାରରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଯଦି ନମୁନା ସଂଗୃହିତ ହୋଇନାହିଁ, ତେବେ ସମ୍ପୃକ୍ତ ଅନୁଷ୍ଠାନ ପଜିଟିଭ୍ ପ୍ରମାଣପତ୍ର ଦେଲା କେଉଁଠୁ, ସେନେଇ ତଦନ୍ତ ଜାରି ରହିଛି । ଆଇସିଏମ୍‌ଆର୍ ନିକଟରେ ଉକ୍ତ ସଂସ୍ଥା ନମୁନା ସଂଗୃହିତ ହୋଇଛି କି ନାହିଁ ସେନେଇ ତଥ୍ୟ ଦେଇଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ କରାଯିବ ।

ସ୍ଥାନୀୟ ପ୍ରଶାସନ ବିଏମ୍‌ସି ମଧ୍ୟ ସମ୍ପୃକ୍ତ ଘରୋଇ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ତେଣୁ ଖୁବ୍‌ଶୀଘ୍ର ଏନେଇ ବିଚାର କରାଯିବ ବୋଲି ସେ କହିଛନ୍ତି । ସେହିପରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜ ମିଶ୍ର ମଧ୍ୟ ରିପୋର୍ଟ ଆସିବା ପରେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ଏବେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନମୁନା ସଂଗ୍ରହ କରୁଥିବା ସଂସ୍ଥା ଜରିଆରେ ଦଲାଲ ଏଭଳି କାର୍ଯ୍ୟ କରୁଥିଲେ କି? ଦଲାଲ ଜଣକ କିଭଳି ଗୋଟିଏ ଲୋକ ପାଇଁ କରୋନା ଆକ୍ରାନ୍ତଙ୍କ ନମୁନା ପାଉଥିଲେ? ବାରକୋଡ୍ ଓ ଆଧାର କାର୍ଡ ଲିଙ୍କ ହେଉଥିଲେ ବି କିଭଳି ଏହି ରାକେଟ ଲୁଚି କାମ କରୁଥିଲା? ମହାମାରୀକୁ ଆଧାର କରି ଅର୍ଥ କମାଇବା ଉଦ୍ଦେଶ୍ୟରେ କେଉଁ ହସ୍ପିଟାଲର ହାତ ନାହିିଁ ତ? ଖାଲି ଏହି ଗୋଟିଏ ନା ରାଜଧାନୀର ଏକାଧିକ ମେଡିକାଲରେ ଏପରି କରୋନା ପଜିଟିଭ୍ ପ୍ରମାଣପତ୍ର ମିଳୁଛି କି? ଏପରି ବହୁ ପ୍ରଶ୍ନ ଏବେ ସାମ୍ନାକୁ ଆସୁଥିବାବେଳେ ଏବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ କ’ଣ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଦେଖିବାକୁ ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking