40.1 C
Bhubaneswar
Tuesday, April 30, 2024
Homeଅପରାଧଲୋନ୍ ଆପରେ ନିର୍ଯାତନା ମାମଲା : ଜାମିନଦାର ଗିରଫ

ଲୋନ୍ ଆପରେ ନିର୍ଯାତନା ମାମଲା : ଜାମିନଦାର ଗିରଫ

ଭୁବନେଶ୍ୱର: ଅନଲାଇନ୍ ଆପ୍ଲିକେସନ ଜରିଆରେ ଲୋକଙ୍କୁ ଲୋନ୍ ଦେଇ ପରେ ମାନସିକ ନିର୍ଯାତନା ଦେବା ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)କୁ ପୁଣି ଏକ ସଫଳତା ମିଳିଛି । ପୂର୍ବରୁ ଉତ୍ତରପ୍ରଦେଶରୁ ଗିରଫ ହୋଇ ଜେଲରେ ଥିବା ସହଯୋଗୀ କମ୍ପାନୀ ଆଇଡବ୍ଲ୍ୟୁଟି ଇଣ୍ଡିଆର ମାଲିକ ଜାଭେଦ୍ ମହମ୍ମଦ ସୈଫଙ୍କୁ ଜାମିନରେ ନେବାକୁ ଭୁବନେଶ୍ୱର ଆସିଥିବା ତାଙ୍କର ଜଣେ ସହଯୋଗୀଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଉତ୍ତରପ୍ରଦେଶ ଗୁରଗାଁଓ ସେକ୍ଟର-୪୮ ଅଞ୍ଚଳର ତରୁଣ ଦୁଡ଼େଜା । ରବିବାର ଭୁବନେଶ୍ୱର ଏସ୍‌ଡିଜିଏମ୍ କୋର୍ଟରେ ଅଭିଯୁକ୍ତ ତରୁଣଙ୍କୁ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତରୁଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ତରୁଣ ୬ଟି ଫେକ୍ କମ୍ପାନୀର ପ୍ରୋପ୍ରାଇଟର୍ ବା ନିର୍ଦ୍ଦେଶକ । ସେଗୁଡ଼ିକ ହେଲା ଡିଜିଟାଲ ବଟୁଆ, ଆଇପୈସା ଅନ୍‌ଲାଇନ ସର୍ଭିସେସ୍ ପ୍ରାଇଭେଟ ଲିଃ, ସୁଇଚ୍ ଇନ୍‌ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ, ବଜାର-ପେ ଇନ୍‌ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ, ମିଲାନିଅମ୍ ଏଣ୍ଟର୍‌ପ୍ରାଇଜ୍ ଓ ବଚତ୍ ଅନଲାଇନ । ସେ ବିଭିନ୍ନ ଲୋକଙ୍କ ନାମରେ ଖୋଲିଥିବା ୪୧ଟି ପୋଷ୍ଟପେଡ୍ ସିମ୍‌କୁ ଜବତ କରାଯାଇଛି । ପୂର୍ବରୁ ମହାଗ୍ରାମ ପେମେଣ୍ଟ୍‌ସ ପ୍ରାଇଭେଟ ଲିମିଟେଡର ୪ଟି ଆକାଉଣ୍ଟକୁ ଅଚଳ କରିଦିଆଯାଇଛି; ଯେଉଁଥିରେ ୬ କୋଟି ୫୭ ଲକ୍ଷ ୩୪ ହଜାର ୮୨୯ ଟଙ୍କା ଜମା ରହିଛି । ସୂଚନା ଅନୁଯାୟୀ, ମହାଗ୍ରାମ ପେମେଣ୍ଟ୍‌ସ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାର ଗୁଗୁଲ ପ୍ଲେ-ଷ୍ଟୋରରେ ‘ଜୋଜୋ’ ଓ ‘କୋକୋ’ ନାମରେ ୨ଟି ଲୋନ ଆପ୍ ରହିଛି । ଓଡ଼ିଶା ସମେତ ଅନ୍ୟ ରାଜ୍ୟର ଦେଢ଼ଲକ୍ଷ ଲୋକ ଏହି ଆପକୁ ବ୍ୟବହାର କରୁଛନ୍ତି । ହେଲେ ଏହି ଆପ୍ ଆର୍‌ବିଆଇରେ ପଞ୍ଜୀକରଣ କରାଯାଇନାହିଁ । ଗ୍ରାହକମାନେ ଲୋନ ପାଇବାକୁ ଏହି ୨ଟି ଆପ୍‌କୁ ଗୁଗୁଲ ପ୍ଲେ-ଷ୍ଟୋରରୁ ଡାଉନ୍‌ଲୋଡ କରନ୍ତି । କିଛି ସମୟ ମଧ୍ୟରେ ଲିଙ୍କ୍ ଓ ୟୁପିଆଇ ଜରିଆରେ ୩ ହଜାରରୁ ୫ ହଜାର ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଯାଏ ।

ସେପଟେ ଆପ୍ ଇନ୍‌ଷ୍ଟଲ ହେବା ପରେ ଗ୍ରାହକଙ୍କ ମୋବାଲରେ ଥିବା ସମସ୍ତ ଡାଟା ସହ କଣ୍ଟାକ୍ଟ୍ ଲିଷ୍ଟ ମଧ୍ୟ ଆପ୍ କର୍ତ୍ତୁପକ୍ଷ ନେଇଯାନ୍ତି । ସଂସ୍ଥାର ଏଜେଣ୍ଟ୍‌ମାନେ ଗୋଟିଏ ସପ୍ତାହ ମଧ୍ୟରେ ଗ୍ରାହକମାନଙ୍କୁ ଅଧିକ ସୁଧ ସହ ଲୋନ୍ ଟଙ୍କା ଫେରାଇବାକୁ ବାଧ୍ୟ କରିଥାନ୍ତି । ଅନ୍ୟପକ୍ଷରେ ଲୋନ୍ କିସ୍ତି ଆଦାୟ କରିବା ଦାୟିତ୍ୱ ‘ଆଇଡବ୍ଲ୍ୟୁଟି ଇଣ୍ଡିଆ’କୁ ଦିଆଯାଇଛି । ପୂର୍ବରୁ ଗିରଫ ହୋଇଥିବା ୟୁପିର ଜାଭେଦ୍‌ଙ୍କ ଆଇଡବ୍ଲ୍ୟୁଟି ଇଣ୍ଡିଆ କମ୍ପାନୀର ଆକାଉଣ୍ଟକୁ ଟଙ୍କା ଫେରାଇବା ପାଇଁ ଗ୍ରାହକଙ୍କୁ କୁହାଯାଏ । ଅଭିଯୁକ୍ତ ଜାଭେଦ୍ ମହାଗ୍ରାମ ପେମେଣ୍ଟସ ପ୍ରାଇଭେଟ ଲିମିଟେଡ୍ ସଂସ୍ଥାର କର୍ତ୍ତୁପକ୍ଷଙ୍କୁ ସମସ୍ତ ଅର୍ଥ ଦେବା ସହ କିଛି କମିଶନ୍ ନେଇଥାନ୍ତି । ଗ୍ରାହକମାନେ ସେମାନଙ୍କ କଥାରେ ରାଜି ନହେଲେ କମ୍ପାନୀ ପକ୍ଷରୁ ନିର୍ଯାତନା ଦିଆଯାଏ । ଏମିତିକି ଗ୍ରାହକଙ୍କ ସମ୍ପର୍କୀୟଙ୍କ ନମ୍ବରଙ୍କୁ ବିଭିନ୍ନ ପ୍ରକାର ଅଶ୍ଲିଳ ମେସେଜ୍ ପଠାନ୍ତି । ଗ୍ରାହକ ତାଙ୍କୁ ଗ୍ୟାରେଣ୍ଟର୍ ପକାଇ ଲୋନ୍ ନେଇଥିବା ମେସେଜ୍ କରନ୍ତି । ଯାହାଫଳରେ ଗ୍ରାହକ ଜଣକ ମାନସିକ ସ୍ତରରେ ଭାଙ୍ଗିପଡେ । ଶେଷରେ ବାଧ୍ୟ ହୋଇ ଆତ୍ମହତ୍ୟା କରେ । ଏଭଳି କେତେକ ଲୋକେ ଏବଂ ଆର୍‌ବିଆଇ ପକ୍ଷରୁ ଭୁବନେଶ୍ୱର ଇଓଡବ୍ଲୁରେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking