29.1 C
Bhubaneswar
Sunday, May 5, 2024
Homeଆଇପିଏଲ୍ -2022କୋଲକାତାକୁ କ୍ରମାଗତ ଚତୁର୍ଥ ପରାଜୟ ଚଖାଇଲା ରାଜସ୍ଥାନ

କୋଲକାତାକୁ କ୍ରମାଗତ ଚତୁର୍ଥ ପରାଜୟ ଚଖାଇଲା ରାଜସ୍ଥାନ

 

ମୁମ୍ବାଇ : ଚଳିତ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ଗତ ୧୨ ତାରିଖରେ ତା’ର ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରୁ ନିଜର ପ୍ରଥମ ପଏଣ୍ଟ୍ ଅର୍ଜନ କରିଥିଲା । କିନ୍ତୁ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରେ ରାଜସ୍ଥାନ ପରାସ୍ତ ହେବା ପରେ ପଏଣ୍ଟ୍ ଟେବଲ୍‌ର ଶେଷ ସ୍ଥାନରେ ରହିଥିଲା । କ୍ରମାଗତ ଦୁଇଟି ପରାଜୟ ବରଣ କରିଥିବା ସଞ୍ଜୁ ସାମ୍‌ସନ୍‌ଙ୍କ ରାଜସ୍ଥାନ ରୟାଲ୍ସ ଶନିବାର ତା ‘ର ଏହି ପରାଜୟ ଧାରା ଭାଙ୍ଗିବାରେ ସକ୍ଷମ ହେବା ସହ ବିଜୟ ସ୍ୱାଦ ଚାଖିଛି । ଅନ୍ୟପକ୍ଷରେ ଦଳ ଇଅନ୍ ମୋର୍ଗାନ୍‌ଙ୍କ ନେତୃତ୍ୱାଧୀନ କୋଲ୍‌କାତା ନାଇଟ୍ ରାଇଡର୍ସକୁ କ୍ରମାଗତ ଚତୁର୍ଥ ପରାଜୟର ସ୍ୱାଦ ଚଖାଇଛି । ସେହିପରି ରାଜସ୍ଥାନ ଟିମ୍ ତା’ର ଦ୍ୱିତୀୟ ବିଜୟ ସହ ପଏଣ୍ଟ୍ ଟେବଲ୍‌ର ସର୍ବନିମ୍ନ ସ୍ଥାନରୁ ଷଷ୍ଠକୁ ଉନ୍ନୀତ ହୋଇଥିବା ବେଳେ କ୍ରମାଗତ ଚତୁର୍ଥ ପରାଜୟ ସହ କୋଲକାତା ସର୍ବନିମ୍ନ ସ୍ଥାନକୁ ଖସିଯାଇଛି । ଟସ୍ ଜିତି ରାଜସ୍ଥାନ ଅଧିନାୟକ ପ୍ରଥମେ ଫିଲ୍‌ଡିଂ କରିବାକୁ ନିଷ୍ପତ୍ତି ନେବାରୁ କୋଲ୍‌କାତା ୯ ୱିକେଟ୍ ହରାଇ ମାତ୍ର ୧୩୩ ରନ୍ କରିଥିଲା । ଏହାର ଜବାବରେ ରାଜସ୍ଥାନ ମାତ୍ର ୪ଟି ୱିକେଟ୍ ହରାଇ ୨୦ତମ ଓଭର୍‌ରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ରାଜସ୍ଥାନର ଦାମୀ ଅଲ୍‌ରାଉଣ୍ଡର୍ କ୍ରିସ୍ ମୋରିସ୍ ୪ ଓଭର୍‌ରେ ମାତ୍ର ୨୩ ରନ୍ ଦେଇ ୪ଟି ୱିକେଟ୍ ନେବା ଫଳରେ କୋଲକାତାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଯାଇଥିଲା । ତା’ଛଡ଼ା ଆଇପିଏଲ୍‌ରେ ଏହା ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ହୋଇଥିବାରୁ ମୋରିସ୍‌ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି ।

କୋଲ୍‌କାତା ତା ‘ର ପ୍ରଥମ ୱିକେଟ୍‌ଟି ରନଆଉଟ୍ ଭାବେ ହରାଇଥିଲା । ଯୁବ ଓପନର ଶୁବମାନ ଗିଲ୍ ୧୯ ବଲରେ ମାତ୍ର ଗୋଟିଏ ଚୌକା ସହ ୧୧ ରନ୍ କରିଥିବା ବେଳେ ଜୋସ୍ ବଟଲର୍‌ଙ୍କ ସିଧା ଥ୍ରୋ’ରେ ରନଆଉଟ୍ ହୋଇଥିଲେ । ଏହାପରେ ଦଳ କୌଣସି ବଡ଼ ଭାଗୀଦାରୀ ପାଇ ନ ଥିଲା । ବରଂ ପ୍ରତିପକ୍ଷ ବୋଲିଂ ଚାପରେ ସହଜରେ ରନ୍ ମଧ୍ୟ ସଂଗ୍ରହ କରିପାରି ନ ଥିଲା । ଅନ୍ୟତମ ଓପନର ନୀତୀଶ ରାଣା ଗୋଟିଏ ଲେଖାଏଁ ଚୌକା ଓ ଛକା ଜରିଆରେ ୨୨ ରନ୍ କରି ଆଉଟ୍ ହେବା ପରେ ସୁନୀଲ ନରିନ୍ ୬ ଓ ଅଧିନାୟକ ଇଅନ୍ ମୋର୍ଗାନ୍ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ ।  ଦଳୀୟ ରନ୍ ସଂଖ୍ୟା ୬୧ରେ ପହଞ୍ଚିବା ପୂର୍ବରୁ ୪ଟି ୱିକେଟ୍ ପଡ଼ିସାରିଥିଲା । ଏହି ସମୟରେ ତ୍ରିପାଠୀ ଓ ଦିନେଶ କାର୍ତ୍ତିକ ୩୩ ରନ୍ ଯୋଡ଼ି ସ୍ଥିତିକୁ ସୁଧାରିବା ସକାଶେ ଉଦ୍ୟମ କରିଥିଲେ ହେଁ ତ୍ରିପାଠୀ ବ୍ୟକ୍ତିଗତ ଭାବେ ୨୬ ବଲ୍ ଖେଳି ଗୋଟିଏ ଚୌକା ଓ ୨ଟି ଛକା ସହ ୩୬ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ । ପରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଆନ୍ଦ୍ରେ ରସେଲ୍ ଗୋଟିଏ ଛକା ସହ ମାତ୍ର ୯ ରନ୍‌ରେ ଆଉଟ୍ ହୋଇଥିଲେ । କାର୍ତ୍ତିକ ୨୪ ବଲ୍ ଖେଳି ୪ଟି ଚୌକା ସହ ୨୫ ରନ୍ କରି ସେଟ୍ ହୋଇସାରିଥିଲେ ହେଁ ମୋରିସ୍‌ଙ୍କ ବଲରେ ଚେତନ୍ ସାକାରିଆଙ୍କୁ କ୍ୟାଚ୍ ଦେଇ ବିଦାୟ ନେଇଥିଲେ । ଏହାପରେ ପ୍ୟାଟ୍ କମିନ୍ସ ଗୋଟିଏ ଛକା ସହ ୧୦ ଓ ଶିବମ୍ ମାଭି ଗୋଟିଏ ଚୌକା ସହ ୫ ରନ୍ କରିଥିଲେ । ପ୍ରତିପକ୍ଷ ରାଜସ୍ଥାନ ପକ୍ଷରୁ ମୋରିସ୍‌ଙ୍କ ବାଦ୍ ଜୟଦେବ ଉନାଦକତ୍‌, ଚେତନ୍ ସାକାରିଆ, ମୁସ୍ତାଫିଜୁର୍ ରହମାନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

୧୩୪ ରନ୍‌ର ବିଜୟ ଲକ୍ଷ୍ୟ ପାଇଥିବା ରାଜସ୍ଥାନ ଜୋସ୍ ବଟଲର୍ ଓ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସ୍ୱାଲ୍ ମାଧ୍ୟମରେ ଇନିଂସ ଆରମ୍ଭ କରିଥିଲା । ତେବେ ଉଭୟ ଓପନର ୨୧ ରନ୍ ଯୋଡ଼ିବା ପରେ ବଟଲର୍ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ । ପରେ ଜୈସ୍ୱାଲ୍ ୧୭ ବଲ୍ ଖେଳି ୫ଟି ଆକର୍ଷଣୀୟ ଚୌକା ମାଧ୍ୟମରେ ୨୨ ରନ୍ କରି ଆଉଟ୍ ହେବା ଫଳରେ ରାଜସ୍ଥାନ ୪୦ ରନ୍‌ରେ ପହଞ୍ଚିବା ବେଳକୁ ଦୁଇ ଓପନରଙ୍କୁ ହରାଇସାରିଥିଲା । କିନ୍ତୁ ଅଧିନାୟକ ସାମ୍‌ସନ୍ ଓ ଶିବମ୍ ଦୁବେ ବୁଝାମଣା ସହ ଖେଳି ୪୫ ରନ୍ ଯୋଡ଼ିଥିଲେ । ଦୁବେ ୨୨ ରନ୍ କରି ଆଉଟ୍ ହେବା ପୂର୍ବରୁ ୧୮ ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ଲଗାଇସାରିଥିଲେ । ପରେ ରାହୁଲ୍ ଟେୱଟିଆ ମାତ୍ର ୫ ରନ୍ କରି ଆଉଟ୍ ହେବା ଫଳରେ ରାଜସ୍ଥାନ ତା ‘ର ଚତୁର୍ଥ ୱିକେଟ୍ ହରାଇଥିଲା । କିନ୍ତୁ ଅଧିନାୟକ ସାମ୍‌ସନ୍ ଗୋଟିଏ ପଟେ ଦୃଢ଼ ଭାବେ ଦଣ୍ଡାୟମାନ ରହିଥିଲେ । ସେ ୩୯ ଓ ଡେଭିଡ୍ ମିଲର୍ ୧୬ ରନ୍ କରି ଅପରାଜିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking