30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପାକିସ୍ତାନ ନୁହେଁ, ବର୍ତ୍ତମାନ ଚୀନ୍ ଉପରେ ଭାରତର ନଜର : ସୀମାକୁ ପଠାଇଲା ୫୦ ହଜାର...

ପାକିସ୍ତାନ ନୁହେଁ, ବର୍ତ୍ତମାନ ଚୀନ୍ ଉପରେ ଭାରତର ନଜର : ସୀମାକୁ ପଠାଇଲା ୫୦ ହଜାର ଅତିରିକ୍ତ ସୈନ୍ୟ

ନୂଆଦିଲ୍ଲୀ:  ପ୍ରାୟ ଏକ ବର୍ଷ ଧରି ଲଦାଖ୍‌ସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖାରେ ଚୀନ୍ ଦୌରାତ୍ମ୍ୟ ସୃଷ୍ଟି କରିବାରେ ଲାଗିଛି । ୨୦୨୦ ଜୁନ୍‌ରୁ ଆରମ୍ଭ ହୋଇଥିବା ଏହି ଉତ୍ତେଜନା ପୂର୍ଣ୍ଣମାତ୍ରାରେ ପ୍ରଶମିତ ହୋଇନାହିଁ । ଏକାଧିକ କମାଣ୍ଡରସ୍ତରୀୟ ବୈଠକ ପରେ ଚୀନ୍ ଓ ଭାରତ ଲଦାଖ୍‌ରୁ ନିଜ ନିଜର ସୈନ୍ୟ ଓ ଯୁଦ୍ଧାସ୍ତ୍ର ପ୍ରତ୍ୟାହାର କରିଥିଲେ ସୁଦ୍ଧା ଦେପ୍‌ସାଙ୍ଗ୍‌, ଗୋଗ୍ରା ଓ ହଟ୍‌ସ୍ପ୍ରିଙ୍ଗ୍‌ସ  ଅଞ୍ଚଳ ଏବେ ସୁଦ୍ଧା ଉତ୍ତେଜନାପୂର୍ଣ୍ଣ ରହିଛି । ସୀମା ଅପରପାଶ୍ୱର୍ରେ ଚୀନ୍‌ର ସାମରିକ ଗତିବିଧି ସନ୍ଦେହଜନକ ଲାଗୁଥିବାବେଳେ ଭାରତ ମଧ୍ୟ ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରିବାରେ ପଛଘୁଞ୍ଚା ଦେଉନାହିଁ । ବର୍ତ୍ତମାନ ପାକିସ୍ତାନ ପରିବର୍ତ୍ତେ ଭାରତର ନଜର ଚୀନ୍ ସଂଲଗ୍ନ ସୀମା ଉପରେ ନିବଦ୍ଧ ରହିଛି । ଚଳିତବର୍ଷ ଫେବୃଆରୀ ୨୫ରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ରାଜିନାମାକୁ କଡାକଡିଭାବେ ପାଳନ କରାଯାଉଛି । ତେଣୁ  ପାକିସ୍ତାନ ଅପେକ୍ଷା ଚୀନ୍ ବର୍ତ୍ତମାନ ଭାରତ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା କୁହାଯାଉଛି ।

ଭାରତ ଇତିମଧ୍ୟରେ ଚୀନ୍ ସୀମା ନିକଟକୁ ୫୦ ହଜାର ଅତିରିକ୍ତ ସୈନ୍ୟ ପଠାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ବିଗତ ଦୁଇ ମାସ ମଧ୍ୟରେ ଭାରତ ଏଭଳି ସମ୍ବେଦନଶୀଳ ସ୍ଥାନରେ ୨ ଲକ୍ଷରୁ ଅଧିକ ସୈନ୍ୟ ମୁତୟନ କରିସାରିଲାଣି । ଗତବର୍ଷ ତୁଳନାରେ ଏହା ୪୦ ପ୍ରତିଶତ ଅଧିକ ବୋଲି ଜଣାପଡିଛି । ଭାରତ ସହ ସୀମା ବିବାଦ ପ୍ରସଙ୍ଗରେ ଚୀନ୍ କିନ୍ତୁ ଲୋକଦେଖାଣିଆ ଭାବେ ଭିନ୍ନ ମନ୍ତବ୍ୟ ଦେଇଚାଲିଛି । ଭାରତ ସହ ସୀମା ବିବାଦ ଆପାତତଃ ଉତ୍ତେଜନାମୁକ୍ତ ରହିଛି ଏବଂ ଆଲୋଚନା ମାଧ୍ୟମରେ ଏହି ସୀମା ସମସ୍ୟାର ଖୁବଶୀଘ୍ର ସମାଧାନ ଘଟିବ ବୋଲି ସୋମବାର ଚୀନ୍ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ସୀମାରେ ଭାରତ ଅଧିକ ସଂଖ୍ୟକ ସେନା ମୁତୟନ କରୁଥିବା ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରାଯିବାରୁ ଚୀନ୍ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଭାରତ ସହ ଆଲୋଚନା କରିବାକୁ ଚୀନ୍ ସବୁବେଳେ ଆଗ୍ରହୀ । ତେବେ ସୀମାରେ ଭାରତ ପକ୍ଷରୁ ସେନା ଓ ଯୁଦ୍ଧାସ୍ତ୍ର ମୁତୟନ କରାଯିବା ଦ୍ୱାରା ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ବୋଲି ମୁଖପାତ୍ରଜଣକ କହିଛନ୍ତି ।

ବିବାଦର ସମାଧାନ ନିମନ୍ତେ ପୁଣି ଆଲୋଚନା ଟେବୁଲକୁ ଆସିବାକୁ ଚୀନ୍ ଗତ ଶୁକ୍ରବାର ପ୍ରସ୍ତାବ ଦେଇଛି । ଅପରପକ୍ଷରେ ସମ୍ବେଦନଶୀଳ ସ୍ଥାନଗୁଡିକରୁ ଚୀନ୍ ସେନା ପଛକୁ ହଟିଲେ, ଭାରତ ଅନୁରୂପ ପଦକ୍ଷେପ ଗ୍ରହଣ କରିବ ବୋଲି ସ୍ପଷ୍ଟ କରିଛି । ଭାରତ ଇତିମଧ୍ୟରେ ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାରେ ଚୀନ୍ ସୀମାକୁ ଲାଗିଥିବା ଅଞ୍ଚଳରେ ତିନିଟି ପୋଲ ଉଦ୍‌ଘାଟନ କରିସାରିଛି । ଆବଶ୍ୟକ ପଡିଲେ ଏହି ପୋଲ ଦେଇ ସୈନ୍ୟ ଓ ଯୁଦ୍ଧାସ୍ତ୍ରକୁ ସ୍ୱଳ୍ପ ସମୟ ମଧ୍ୟରେ ସୀମା ନିକଟରେ ପହଞ୍ଚାଇ ହେବ ବୋଲି କୁହାଯାଇଛି। ଚୀନ୍ ମଧ୍ୟ ଲଦାଖରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଥିବା ପ୍ରାୟ ୪ ହଜାର କିମି ଲମ୍ବ ବାସ୍ତବ ନିୟନ୍ତ୍ରଣ ରେଖାରେ ନିଜର ପ୍ରତିରକ୍ଷା ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବାରେ ଲାଗିଛି । ଉପଗ୍ରହ ଚିତ୍ରରୁ ଚୀନ୍‌ର ଏଭଳି କାର୍ଯ୍ୟ ସମ୍ପର୍କରେ ଭାରତକୁ ସୂଚନା ମିଳିସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking