32.1 C
Bhubaneswar
Thursday, March 28, 2024
Homeଓଡିଶାତାମିଲନାଡ଼ୁରୁ ଫେରିଲେ ପ୍ରବାସୀ ଶ୍ରମିକ

ତାମିଲନାଡ଼ୁରୁ ଫେରିଲେ ପ୍ରବାସୀ ଶ୍ରମିକ

ପୁରୀ: ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ ଫଳରେ ତାମିଲନାଡ଼ୁରୁ ଫେରିଲେ ସ୍ଥାନୀୟ ଗୌଡ଼ବାଡ଼ ସାହି ନିବାସୀ ଯଶୋଦା ବେହେରା । ପ୍ରାଧିକରଣ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ଗିରିଧାରୀ ବେହେରାଙ୍କ ଏକମାତ୍ର କନ୍ୟା ଯଶୋଦା ବେହେରା କାମ ଅନ୍ୱେଷଣରେ ତାମିଲନାଡ଼ୁ ଯାଇଥିଲେ । ସେଠାରେ ସେ ତିରୁପୁର ଜିଲ୍ଲା ସ୍ଥିତ ମେସର୍ସ କଟନ ବ୍ଲୋସମ୍ ପ୍ରାଇଭେଟ କମ୍ପାନୀରେ ଗତ ଫେବୃଆରୀ ମାସ ଠାରୁ ଦରଜି କାମ କରୁଥିଲେ । ମାତ୍ର ସେ ଘରକୁ ଫେରିବାକୁ ଚାହିଁବାରୁ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ନ ଛାଡ଼ି ବେନିୟମ ଭାବେ ଅଟକ ରଖିଥିଲେ । ଯଶୋଦାଙ୍କ ପିତା ଗିରିଧାରୀ ବେହେରା ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଇଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଯଶୋଦାଙ୍କୁ ଆଇନଗତ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ ।

ଏହାପରେ ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ସନ୍ତୋଷ କୁମାର ଜେନା ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ପ୍ରାଧିକରଣର ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଜଜଙ୍କ ନୁର୍ଦ୍ଦେଶାନୁଯାୟୀ ପ୍ରାଧିକରଣର ସଚିବ ଅମରେଶ ମହାପାତ୍ର ତିରୁପୁର ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବଙ୍କୁ ଯଶୋଦାଙ୍କୁ ଉଦ୍ଧାର କରାଯିବା ପାଇଁ ଅନୁରୋଧ କରିଥିଲେ । ଏହାପରେ ତିରୁପୁର ଜିଲ୍ଲା ଆଇନସେବା ପ୍ରାଧିକରଣ, ତାଲୁକ ଆଇନସେବା ପ୍ରାଧିକରଣ, ଅଭିନାଶୀ ଏବଂ ପାରୁମାନାଲୁର ଥାନା ଅଧିକାରୀଙ୍କ ମିଳିତ ପ୍ରଚେଷ୍ଟାରେ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇ ଉଡ଼ାଜାହାଜ ଯୋଗେ ପୁରୀ ପଠାଇ ଦିଆଯାଇଥିଲା । ଯଶୋଦା ଘରକୁ ଫେରିବା ପରେ ପିତା ଗିରିଧାରୀ ବେହେରାଙ୍କ ସହିତ ମଙ୍ଗଳବାର ଦିନ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଆସି ସଚିବଙ୍କୁ ସାକ୍ଷାତ କରିଥିଲେ । ସଚିବ ଶ୍ରୀମହାପାତ୍ର ଓ ଜିଲ୍ଲା ଶ୍ରମ ଅଧିକାରୀ ଦିଲ୍ଲୀପ କୁମାର ପାଣି ସେମାନଙ୍କୁ ସ୍ୱାଗତ କରିଥିଲେ । ପୀଡ଼ିତାଙ୍କୁ ଅନ୍ୟାନ୍ୟ ଆଇନଗତ ସହାୟତା ଓ ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ଉଦ୍ୟମ କରାଯିବ ବୋଲି ପ୍ରାଧିକରଣ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking