31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଚୀନ୍‌ର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ : ନରବଣେ

ଚୀନ୍‌ର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ : ନରବଣେ

ନୂଆଦିଲ୍ଲୀ: ଲଦାଖ ସଂଲଗ୍ନ ସୀମାରେ ଚୀନ୍ ଯଥେଷ୍ଟ ସଂଖ୍ୟକ ସୈନ୍ୟ ମୁତୟନ କରିଛି ବୋଲି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ କହିଛନ୍ତି । ଏହା ଭାରତ ପାଇଁ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି । ଆସନ୍ତା ସପ୍ତାହରେ ଭାରତ-ଚୀନ୍ ମଧ୍ୟରେ ତ୍ରୟୋଦଶ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଉକ୍ତ ବୈଠକରେ ସୀମାରୁ ସୈନ୍ୟ ଅପସାରଣ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଚୀନ୍‌ର ଆଭିମୁଖ୍ୟ କିଛି ଅଲଗା ରହିଛି ବୋଲି ନରବଣେ କହିଛନ୍ତି । ଗୁଇନ୍ଦା ଓ ସାଟେଲାଇଟ ତଥ୍ୟକୁ ଆଧାର କରି ସେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଚୀନ୍‌ର ପ୍ରତ୍ୟେକ ଗତିବିଧି ଉପରେ ଭାରତ ତୀକ୍ଷ୍ଣ ନଜର ରଖିବା ସହ ସମାନ ଅନୁପାତରେ ନିଜର ସୈନ୍ୟ ଓ ଯୁଦ୍ଧାସ୍ତ୍ର ମୁତୟନ କରୁଛି ବୋଲି ସେ କହିଛନ୍ତି ।

ସୀମାରେ ସାମରିକ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି । ଏଥିପାଇଁ ଆବଶ୍ୟକ ସଡକ, ନଦୀପୋଲ, ଟନେଲ ଇତ୍ୟାଦିର ନିର୍ମାଣ ଏବଂ ଆଧୁନିକୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଥିବା ସେ କହିଛନ୍ତି । ଚୀନ୍ ପକ୍ଷରୁ ଯେକୌଣସି ଆକ୍ରମଣର ମୁକାବିଲା କରିବାକୁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଜେନେରାଲ ନରବଣେ ଏକ ଦୁଇଦିନିଆ ଲଦାଖ ଗସ୍ତରେ ଯାଇ ଶୁକ୍ରବାର ସେଠାରେ ପହଞ୍ଚିଛନ୍ତି । ଏହି ଅବସରରେ ସେ ଭାରତର ଯୁଦ୍ଧ ପ୍ରସ୍ତୁତିକୁ ସମୀକ୍ଷା କରିଥିବାବେଳେ ରିଜାଙ୍ଗ୍ ଲା ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିଛନ୍ତି । ଗତବର୍ଷ ଲଦାଖରେ ଚୀନ୍‌ର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ଭଣ୍ଡୁର କରିଥିଲା । ତେବେ ଚଳିତବର୍ଷ ଫେବୃଆରୀ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ମାତ୍ର ୫୦୦ ମିଟର ଦୂରତାରେ ଭାରତୀୟ ଓ ଚୀନ୍ ସେନା ମୁହାଁମୁହିଁ ଅବସ୍ଥାରେ ରହିଥିଲେ । ତେବେ ଦ୍ୱିପାକ୍ଷିକ ଆଲୋଚନା ପରେ ଉଭୟ ରିଜାଙ୍ଗ୍ ଲା ଓ ଗୋଗ୍ରା ଅଞ୍ଚଳରୁ ସେନା ପ୍ରତ୍ୟାହାର କରିନେଇଛନ୍ତି ।

ଏହାସତ୍ତ୍ୱେ ହଟ୍‌ସ୍ପ୍ରିଙ୍ଗ୍‌ସ, ଡେସ୍‌ପାଙ୍ଗ୍ ଭଳି ସମ୍ବେଦନଶୀଳ ଅଞ୍ଚଳରେ ଚୀନ୍‌ର ଦାଦାଗିରି ଏବେମଧ୍ୟ ବଳବତ୍ତର ରହିଛି । ଭାରତୀୟ ସେନାରେ ପାଟ୍ରୋଲିଂ କାର୍ଯ୍ୟକୁ ଚୀନ୍ ସେନା ବିରୋଧ କରୁଥିବାବେଳେ ଡେମ୍‌ଚୋକ୍‌ରେ ମଧ୍ୟ ଉତ୍ତେଜନା ଅବ୍ୟାହତ ରହିଛି । କିଛିଦିନ ପୂର୍ବେ ଚୀନ୍‌ର ପ୍ରାୟ ଏକ ଶହ ସୈନିକ ଉତ୍ତରାଖଣ୍ଡ ମଧ୍ୟକୁ ଅନୁପ୍ରବେଶ କରିଥିଲେ । ଭାରତୀୟ ଯବାନଙ୍କ ପ୍ରତିରୋଧ ପରେ ସେମାନେ ପୁଣି ନିଜ ସୀମାକୁ ଫେରିଯାଇଥିଲେ । ଗତ ସେପ୍ଟେମ୍ବର ୧୬ରେ ତାଜିକିସ୍ତାନର ରାଜଧାନୀ ଦୁସାମ୍ବେରେ ଭାରତ ଓ ଚୀନ୍‌ର ବୈଦେଶିକ ମନ୍ତ୍ରୀ ପରସ୍ପରକୁ ଭେଟି ଲଦାଖ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଜୁଲାଇ ୩୧ରେ ଶେଷଥର ପାଇଁ ଉଭୟପକ୍ଷ ମଧ୍ୟରେ ୧୨ଶ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଗୋଗ୍ରା ପୋଷ୍ଟ୍‌ର ପଏଣ୍ଟ ୧୭(କ)ରୁ ସୈନ୍ୟ ଅପସାରଣ ପାଇଁ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଜେନେରାଲ ନରବଣେ କହିଛନ୍ତି ଯେ ଭାରତ-ଚୀନ୍ ସୀମା ସମ୍ପର୍କିତ ଚୂଡାନ୍ତ ରାଜିନାମା ସ୍ୱାକ୍ଷରିତ ନହେବା ପର୍ଯ୍ୟନ୍ତ ଏହି ବିବାଦ ଲାଗିରହିଥିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking