32.1 C
Bhubaneswar
Friday, April 26, 2024
Homeଖେଳଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌

ମୋହାଲି : ଗତ ଏସିଆ କପ୍‌ରେ ଟିମ୍ ଇଣ୍ଡିଆ ସୁପର୍‌-୪ ପର୍ଯ୍ୟାୟରୁ ବିଦାୟ ନେବା ଫଳରେ ଆଗାମୀ ବିଶ୍ୱକପ୍ ପାଇଁ ଦଳର ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଥିଲା । ତେବେ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱକପ୍ ପାଇଁ ଭଲ ଅଭ୍ୟାସ ସକାଶେ ଦଳ ମଙ୍ଗଳବାର ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ । ଏହି ୩ ମ୍ୟାଚ୍ ବିଶିଷ୍ଟ ସିିରିଜ୍ ବିଶ୍ୱକପ୍ ପରିପ୍ରେକ୍ଷୀରେ ବେଶ୍ ଗୁରୁତ୍ୱ ବହନ କରୁଥିବାରୁ ଏଥିରେ ବିଜୟୀ ହେବା ସକାଶେ ଟିମ୍ ଇଣ୍ଡିଆ ଭରପୂର ଉଦ୍ୟମ କରିବ । ବିଶେଷକରି ଏହି ସିିରିଜ୍‌ରେ ଦଳ ଆଗାମୀ ବିଶ୍ୱକପ୍ ସକାଶେ ଉପଯୁକ୍ତ କମ୍ବିନେସନ୍ ପ୍ରସ୍ତୁତ କରିବ । ଏଥିସକାଶେ ବିସିସିଆଇ ପକ୍ଷରୁ ସମସ୍ତ କୋର୍ ଖେଳାଳିଙ୍କୁ ଆଗାମୀ ୬ଟି ଟି-୨୦ ପାଇଁ ଟିମ୍ ଇଣ୍ଡିଆରେ ସାମିଲ୍ କରାଯାଇଛି । ଅବଶ୍ୟ ଦୁଇ ଜଣ ବୋଲରଙ୍କୁ ଅଷ୍ଟ୍ରେଲିଆ ଓ ସାଉଥ୍ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରେ ଅଦଳବଦଳ କରି ଖେଳାଯିବ । ସେମାନେ ହେଲେ ଭୁବନେଶ୍ୱର କୁମାର ଓ ଅର୍ଶଦୀପ ସିଂହ ।

ଟି-୨୦ କ୍ରିକେଟ୍‌ରେ ମୁଖ୍ୟତଃ ଖେଳାଳିମାନେ ବେଶ୍ ସହଜ ପ୍ରଦର୍ଶନ ଉପରେ ଫୋକସ୍ କରିଥାନ୍ତି, କିନ୍ତୁ ଆଗାମୀ ୬ଟି ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଦଳ ପାଇଁ ଛିଡ଼ା ହୋଇଥିବା ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବାକୁ ଉଦ୍ୟମ କରିବେ । ଗତ ଏସିଆ କପ୍‌ରେ ମଧ୍ୟ ରୋହିତ ସେନା ବ୍ୟାଟିଂ କ୍ରମରେ ବେଶ୍ କିଛି ଗବେଷଣା କରିଥିଲା । ଦଳର ବ୍ୟାଟ୍ସମ୍ୟାନ୍‌ମାନେ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିଥିଲେ । କିନ୍ତୁ ବୋଲିଂ ବିଭାଗରେ ଆବଶ୍ୟକ ଗଭୀରତାର ଅଭାବ ଦଳ ପାଇଁ ମହଙ୍ଗା ପଡ଼ିଥିଲା । ତେବେ ଆଗାମୀ ଦୁଇଟି ଟି-୨୦ ସିରିଜ୍ ପାଇଁ ଦଳରେ ହର୍ଷଲ୍ ପଟେଲ୍ ଓ ଜସପ୍ରୀତ୍ ବୁମରାଙ୍କ ପରି ତାରକା ବୋଲର୍ ସ୍ଥାନ ପାଇଥିବାରୁ ଏହି ସମସ୍ୟା ଦୂର ହେବା ଭଳି ମନେ ହେଉଛି ।

ଗତ ଏସିଆ କପ୍‌ରେ ବିରାଟ କୋହଲି ଇନିଂସ ଆରମ୍ଭ କରି ଶତକ ହାସଲ କରିଥିଲେ ମଧ୍ୟ ଲୋକେଶ ରାହୁଲ୍ ହିଁ ଓପନିଂ ସ୍ଲଟ୍ ପାଇଁ ପ୍ରଥମ ପସନ୍ଦ ବୋଲି ଅଧିନାୟକ ରୋହିତ ରବିବାର ସ୍ପଷ୍ଟ କରିସାରିଛନ୍ତି । ତେବେ ଆଗାମୀ ମ୍ୟାଚ୍‌ଗୁଡ଼ିକରେ ଆବଶ୍ୟକ ସ୍ଥଳେ କୋହଲିଙ୍କୁ ଇନିଂସ ଓପନ୍ କରିବାର ସୁଯୋଗ ମଧ୍ୟ ମିଳିପାରେ । ଦଳର ବ୍ୟାଟିଂ ଲାଇନ୍‌ଅପ୍‌ରେ ଶୀର୍ଷ ୪ ବ୍ୟାଟ୍ସମ୍ୟାନ୍ ବସ୍ତୁତଃ ସ୍ଥିର ହୋଇସାରିଛନ୍ତି । ତେବେ ଦଳରେ ୱିକେଟ୍‌କିପର୍ ଭାବେ ଋଷଭ ପନ୍ତ୍ ଓ ଦୀନେଶ କାର୍ତ୍ତିକଙ୍କ ମଧ୍ୟରୁ କାହାକୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯିବ, ତା’ ଉପରେ ଏହି ସିରିଜ୍ ମାଧ୍ୟମରେ ନିଷ୍ପତ୍ତି ହେବ । ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତିରେ ବ୍ୟାଟିଂ ଲାଇନ୍‌ରେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍‌ଙ୍କୁ ରଖିବା ସକାଶେ ଟିମ୍ ମ୍ୟାନେଜ୍‌ମେଣ୍ଟ୍ ଋଷଭଙ୍କ ସପକ୍ଷରେ ନିଷ୍ପତ୍ତି ନେଇଆସିଛି । ଏହି ବିକଳ୍ପକୁ ଗୁରୁତ୍ୱ ନ ଦେଇ ରୋହିତ ଶେଷ ଭାଗରେ କାର୍ତ୍ତିକଙ୍କୁ ସୁଯୋଗ ଦେବେ କି ନାହିଁ, ତା’ ସବୁଠାରୁ ବଡ଼ ପ୍ରଶ୍ନ ।

ଗତ ଏସିଆ କପ୍‌ରେ କାର୍ତ୍ତିକଙ୍କୁ ବ୍ୟାଟିଂର ଯଥେଷ୍ଟ ସୁଯୋଗ ମିଳି ନଥିବା ବେଳେ ଆଗାମୀ ସିରିଜ୍‌ରେ ତାଙ୍କୁ ଅଭ୍ୟାସର ଉପଯୁକ୍ତ ସୁଯୋଗ ମିଳିବ ବୋଲି ସେ ଆଶା କରିପାରନ୍ତି । ଦୀପକ ହୁଡ୍ଡାଙ୍କୁ ଏସିଆ କପ୍‌ର ସମସ୍ତ ସୁପର୍‌-୪ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଥିଲା । କିନ୍ତୁ ଦଳରେ ତାଙ୍କର ଭୂମିକା ନେଇ କୌଣସି ନିର୍ଦ୍ଦିଷ୍ଟ ଚିତ୍ର ସ୍ପଷ୍ଟ ନ ଥିବାରୁ ଏହା ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିବା ପରି ମନେ ହୋଇଥିଲା । ସେହିପରି ଜାଡେଜାଙ୍କ ଅନୁପସ୍ଥିତିରେ ଦଳର ବୋଲିଂ ଲାଇନ୍ ଉପରେ ପ୍ରଭାବ ପଡ଼ିବ । ସ୍ପିନର୍ ଭାବେ ଚୂଡ଼ାନ୍ତ ଦଳରେ ଅକ୍ଷର ପଟେଲ୍ ଓ ୟୁଜବେନ୍ଦ୍ର ଚହଲଙ୍କୁ ରଖାଯିବାର ସମ୍ଭାବନା ରହିଛି । ସେହିପରି ପେସ୍ ବାହିନୀ ଦାୟିତ୍ୱରେ ବୁମ୍‌ରା, ଭୁବନେଶ୍ୱର କୁମାର, ହର୍ଷଲ୍ ଓ ହାର୍ଦ୍ଦିକ ରହିବେ । ତେବେ ଅଷ୍ଟ୍ରେଲିଆର ପରିବେଶ ଏଠାକାର ପରିବେଶଠାରୁ ଭିନ୍ନ ହେବାକୁ ଥିବାରୁ ଟିମ୍ ମ୍ୟାନେଜ୍‌ମେଣ୍ଟ୍ ଏହାକୁ ମଧ୍ୟ ନଜରରେ ରଖିବା ନିଶ୍ଚିତ ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପ୍ରମୁଖ ଓପନର ଡେଭିଡ୍ ୱାର୍ଣ୍ଣର୍‌ଙ୍କ ସମେତ କେତେକ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ଏଠାକୁ ଗସ୍ତ କରିଛି । ୱାର୍ଣ୍ଣର୍‌ଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଅଲ୍‌ରାଉଣ୍ଡର୍ ମିଚେଲ୍ ମାର୍ଶ, ମାର୍କସ୍ ଷ୍ଟୋଇନିସ୍ ଓ ପେସର୍ ମିଚେଲ୍ ଷ୍ଟାର୍କ ମଧ୍ୟ ଭାରତ ଗସ୍ତରେ ଆସିନାହାନ୍ତି । ତେବେ ସିରିଜ୍‌ରେ ଅଧିନାୟକ ଆରୋନ୍ ଫିଞ୍ଚ୍‌ଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ନିକଟରେ ଦିନିକିଆ କ୍ରିକେଟ୍‌ରୁ ଅବସର ନେଇଥିବା ଏହି ଡାହାଣହାତୀ ଓପନର ଜଣକ ଟି-୨୦ ଫର୍ମାଟ୍‌ରେ ବିଶ୍ୱକପ୍ ପୂର୍ବରୁ କିଛି ଭଲ ଇନିଂସ ଖେଳିବାକୁ ଆଶା ରଖିଛନ୍ତି । ସେହିପରି ସିଙ୍ଗାପୁର ପକ୍ଷରୁ ଅନ୍ତର୍ଜାତୀୟ ଡେବ୍ୟୁ କରିସାରିଥିବା ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍ ଟିମ୍ ଡେଭିଡ୍ ଅଷ୍ଟ୍ରେଲିଆ ପକ୍ଷରୁ ପଦାର୍ପଣ ମ୍ୟାଚ୍ ଖେଳିବାକୁ ଥିବା ବେଳେ ତାଙ୍କର ଭୂମିକା କ’ଣ ହେବ, ତାହା ମଧ୍ୟ ବିଚାର୍ଯ୍ୟ । ଟି-୨୦ ଲିଗ୍‌ରେ ଏହି ବ୍ୟାଟ୍ସମ୍ୟାନ୍ ଜଣକ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଥିବା ବେଳେ ଅଷ୍ଟ୍ରେଲିଆ ପକ୍ଷରୁ କିପରି ପ୍ରଦର୍ଶନ କରୁଛନ୍ତି, ତାହା ଉପରେ ନଜର ରହିବ ।

ଟିମ୍ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ୍ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ୍‌, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ୍ ଅଶ୍ୱିନ୍‌, ୟୁଜବେନ୍ଦ୍ର ଚହଲ୍‌, ଅକ୍ଷର ପଟେଲ୍‌, ଭୁବନେଶ୍ୱର କୁମାର, ହର୍ଷଲ୍ ପଟେଲ୍‌, ଦୀପକ ଚହର୍‌, ଜସପ୍ରୀତ୍ ବୁମରା ଓ ଉମେଶ ଯାଦବ ।

ଟିମ୍ ଅଷ୍ଟ୍ରେଲିଆ: ସିନ୍ ଆବୋଟ୍ଟ୍‌, ଆଷ୍ଟନ୍ ଆଗର୍‌, ପ୍ୟାଟ୍ କମିନ୍ସ, ଟିମ୍ ଡେଭିଡ୍‌, ନାଥନ୍ ଏଲିସ୍‌, ଆରୋନ୍ ଫିଞ୍ଚ୍ (ଅଧିନାୟକ), କ୍ୟାମେରନ୍ ଗ୍ରୀନ୍‌, ଜୋଶ୍ ହେଜଲଉଡ୍‌, ଜୋଶ୍ ଇଙ୍ଗଲିଶ୍‌, ଗ୍ଲେନ୍ ମ୍ୟାକ୍ସୱେଲ୍‌, କେନ୍ ରିଚାର୍ଡସନ୍‌, ଡାନିଏଲ୍ ସାମ୍ସ, ଷ୍ଟିଭେନ୍ ସ୍ମିଥ୍‌, ମାଥ୍ୟୁ ୱେଡ୍ ଓ ଆଡାମ୍ ଜାମ୍ପା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking