ବେଙ୍ଗାଲୁର: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ବେଙ୍ଗାଲୁରୁର ଏରୋ ଇଣ୍ଡିଆ ୨୦୨୩ ଏୟାର୍ ଶୋ’ରେ ପ୍ରଦର୍ଶିତ ଏଚ୍ଏଲ୍ଏଫ୍ଟି-୪୨ ବିମାନର ପଛପଟୁ ଭଗବାନ ହନୁମାନର ଫଟୋ ହଟାଇ ଦେଇଛି । ହାଲ୍ ଅଧ୍ୟକ୍ଷ ସିବି ଅନନ୍ତକୃଷ୍ଣ ଏକ ବୟାନରେ କହିଛନ୍ତି, ଷ୍ଟିକର୍ କୌଣସି ଉଦ୍ଦେଶ୍ୟରେ ଲଗାଯାଇ ନଥିଲା କିମ୍ବା କୌଣସି ଉଦ୍ଦେଶ୍ୟରେ ହଟାଯାଇଛି ।
ସେହିପରି ଷ୍ଟିକର୍ ହଟାଇବା ନିଷ୍ପତ୍ତି ଆଭ୍ୟନ୍ତରୀଣ ବୋଲି ହାଲ୍ ନିର୍ଦ୍ଦେଶକ ଡ. ଡିକେ ସୁନୀଲ୍ କହିଛନ୍ତି । ବେଙ୍ଗାଲୁରୁର ୟେଲ୍ହାଙ୍କା ଏୟାରଫୋର୍ସ ଷ୍ଟେସନ୍ରେ ଚାଲିଥିବା ପାଞ୍ଚ ଦିନିଆ ଏୟାର୍ ଶୋ’ର ପ୍ରଥମ ଦିନ ସୋମବାର ଏହି ମଡେଲ୍ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା। ଏହାର ପଛପଟେ (ଟେଲ୍)ରେ ହନୁମାନଙ୍କ ଏକ ଫଟୋ ଥିବା ସହିତ ଏକ ବାର୍ତ୍ତା ‘ଷ୍ଟର୍ମ ଇଜ୍ କମିଂ’ ମଧ୍ୟ ଲେଖାଯାଇଥିଲା । ଏହାକୁ ଦେଶର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ ମାରୁତିର ଉତ୍ତରାଧିକାରୀ କୁହାଯାଉଛି ।