ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ ହରି ବାବୁ କମ୍ଭମପାଟି ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱର ରୁପାଲୀ ଛକସ୍ଥିତ ଆଦିଶା କୋରାପୁଟ କଫି ଆଉଟଲେଟ ପରିଦର୍ଶନ କରିଛନ୍ତି।ଏହି ଅବସରରେ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ I
ପରିଦର୍ଶନ ସମୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ବି. ପରମେଶ୍ୱରନ୍, ଆଦିବାସୀ ବିକାଶ ସହକାରୀ ନିଗମ ଲିମିଟେଡ୍ (ଟିଡିସିସିଓଏଲ୍) ର ମ୍ୟାନେଜିଂ ଡାଇରେକ୍ଟର ଡ. ପୋମା ତୁଡୁ ଏବଂ ନିଗମର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ରାଜ୍ୟପାଳ ଆଉଟଲେଟ୍ରେ ଉପସ୍ଥିତ ଥିବା ଗ୍ରାହକ ଓ କର୍ମଚାରୀଙ୍କ ସହିତ ଭାବ ବିନିମୟ କରିଥିଲେ। ରାଜ୍ୟ ସରକାର ଆଦିଶା ବ୍ରାଣ୍ଡ ମାଧ୍ୟମରେ ଓଡ଼ିଶାର ଉଚ୍ଚମାନର କୋରାପୁଟ କଫିକୁ ପ୍ରୋତ୍ସାହିତ କରିବା ଦିଗରେ ନିଆଯାଇଥିବା ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଜନଜାତି ଜୀବିକା ଓ ଉଦ୍ୟମିତାକୁ ମଜବୁତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ରାଜ୍ୟପାଳ ମତ ପ୍ରକାଶ କରିଥିଲେ।
ଜନଜାତି ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରିବା ଏବଂ କଫି ଚାଷ ଓ ମୂଲ୍ୟ ସଂଯୋଜନରେ ନିୟୋଜିତ ଜନଜାତି ଉତ୍ପାଦକଙ୍କ ପାଇଁ ଉନ୍ନତ ବଜାର ସୁଯୋଗ ସୃଷ୍ଟି କରିବା ପାଇଁ ନିଆଯାଇଥିବା ପ୍ରୟାସକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଥିଲେ। ଏପରି ଉଦ୍ୟମ କେବଳ ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହନ ଦେଇ ନଥାଏ ବରଂ ସ୍ଥାୟୀ ଜୀବିକା ସୃଷ୍ଟି ଓ ଅନ୍ତର୍ଭୁକ୍ତିମୂଳକ ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହୋଇଥାଏ ବୋଲି ରାଜ୍ୟପାଳ କହିଛନ୍ତି










