ଢେଙ୍କାନାଳ: ମାରଣାସ୍ତ୍ର ଦେଖାଇ ମାଡ଼ମାରି ଲୁଟିନେଲେ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ଗାଁ ସୁରେଶ ଚନ୍ଦ୍ର ପାଣିଙ୍କ ଘରେ ଏହି ଡକାୟତି ଘଟିଛି । ସୁରେଶ ଓ ତାଙ୍କ ସ୍ତ୍ରୀ ରୀନା ପାଣି ଘରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ କବାଟ ଭାଙ୍ଗି ଘରେ ପଶିଥିଲେ । ଖଣ୍ଡା ଓ ଭୁଜାଲି ଦେଖାଇ ଦମ୍ପତିଙ୍କୁ ଭୟଭୀତ କରିବା ସହ ମାଡ଼ ମାରି ଘରୁ ପ୍ରାୟ ୧୦ ଭରିରୁ ଅଧିକ ସୁନା ଅଳଙ୍କାର, ନଗଦ ୫ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଲୁଟି ନେଇଛନ୍ତି । ଲୁଟ ପରେ ସ୍ୱାମୀ-ସ୍ତ୍ରୀଙ୍କୁ ଗୋଟିଏ ଘରେ ବନ୍ଦ କରି ବାହାରୁ ତାଲା ପକାଇ ଫେରାର ହୋଇଯାଇଛନ୍ତି ।ଲୁଟ ହୋଇଥିବା ସୁନା ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ବୋଲି ପରିବାର ପକ୍ଷରୁ କୁହାଯାଇଛି। ଏନେଇ ପରିବାର ଲୋକ ପରଜଙ୍ଗ ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଛାନଭିନ ଆରମ୍ଭ କରିଛି ।










