ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପ୍ରଭାବରେ ଯଦି ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ଦୀର୍ଘଦିନ ବନ୍ଦ ରହିବ ତେବେ ଅଶୋଧିତ ତୈଳର ବ୍ୟାରେଲ ପ୍ରତି ଦାମ୍ ୧୨୦ ଡଲାରକୁ ବୃଦ୍ଧି ପାଇବା ଆଶଙ୍କା ରହିଛି ବୋଲି ଗୋଲ୍ଡମ୍ୟାନ୍ ସଚ୍ସ ପୂର୍ବାନୁମାନ କରିଛି। ଦୁଇ ଦେଶ ଭିତରେ ପୁଣି ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ଭିତରେ ତେଲ ଦର ୯୧ ଡଲାରକୁ ବୃଦ୍ଧି ପାଇଛି।ଚଳିତ ବର୍ଷର ଚତୁର୍ଥ ତ୍ରୈମାସିକ କିମ୍ବା ଆସନ୍ତା ବର୍ଷ ସୁଦ୍ଧା ବ୍ରେଣ୍ଟ୍ କ୍ରୁଡ୍ର ବ୍ୟାରେଲ ପିଛା ଦର ୮୦ ଡଲାର କିମ୍ବା ୭୫ ଡଲାରକୁ ହ୍ରାସ ପାଇବାର ସମ୍ଭାବନା ଥିବା ଗୋଲ୍ଡମ୍ୟାନ୍ ସଚ୍ସ କହିଛି। ଚଳିତ ବର୍ଷ ଫେବ୍ରୁଆରିରେ ଇରାନ ସହ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଆରମ୍ଭ ହେବା ପରେ ଅଶୋଧିତ ତୈଳ ଦରରେ ହଠାତ୍ ବୃଦ୍ଧି ଦେଖାଦେଇଥିଲା। ଏପ୍ରିଲ୍ ବେଳକୁ ତେଲର ବ୍ୟାରେଲ ପିଛା ଦାମ୍ ୧୨୬ ଡଲାରକୁ ବୃଦ୍ଧି ପାଇଥିଲା ଓ ସେହି ସ୍ତରରେ ତାହା ଦୀର୍ଘଦିନ ପର୍ଯ୍ୟନ୍ତ ରହିଥିଲା। ତାହାର ପ୍ରଭାବରେ ଭାରତରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦରରେ ଲିଟରକୁ ୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା।










