ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ବନାଞ୍ଚଳରେ ପୁଣିଥରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି । ନୀଳଗିରି ରେଞ୍ଜ ଅନ୍ତର୍ଗତ ପାଟଣା ଗାଁରେ ଏକ ଜଙ୍ଗଲୀ ଭାଲୁ ପଶି ଆସିବାରୁ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଆଜି ଭୋର ସମୟରେ ନିକଟସ୍ଥ ଜଙ୍ଗଲରୁ ଭାଲୁଟି ଗାଁକୁ ଚାଲି ଆସି ପ୍ରଥମେ ନେତ୍ରାନନ୍ଦ ବେହେରାଙ୍କ ଘରେ ପଶିଯାଇଥିଲା । ସେଠାରେ ପ୍ରାୟ ଏକ ଘଣ୍ଟା ଧରି ରହିବା ପରେ ଭାଲୁଟି ବାହାରକୁ ବାହାରି ପାଟଣା ଗାଁର ଉପରସାହିରେ ପହଞ୍ଚିଥିଲା । ଭାଲୁଟିକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଭାଲୁଟି ଲୋକମାନଙ୍କୁ କାମୁଡିବା ପାଇଁ ଗୋଡାଇଥିବାରୁ ସମସ୍ତେ ପ୍ରାଣ ବଞ୍ଚାଇବାକୁ ଦୌଡି ପଳାଇଥିଲେ । ବନ ବିଭାଗ ତୁରନ୍ତ ପଦକ୍ଷେପ ନେଇ ଭାଲୁର ଗତିବିଧି ଉପରେ ନଜର ରଖିବା ସହ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।










