ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲବୀମା ଚାଷୀ ପଞ୍ଜିକରଣ ଅବଧି ଚଳିତ ମାସ ଜୁଲାଇ ୩୧ ତାରିଖ ପରିବର୍ତ୍ତେ ଆସନ୍ତା ଅଗଷ୍ଟ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାପାଇଁ ଦାବି କରିଛି କଂଗ୍ରେସ। ଏହି ସମୟସୀମା ମଧ୍ୟରେ ଯେପରି ରାଜ୍ୟର ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଋଣୀ ଓ ଅଣଋଣୀ ଚାଷୀ ପଞ୍ଜିକୃତ କରିପାରିବେ ସେହି ଦିଗରେ ସରକାର ଠୋସ ପଦକ୍ଷେପ ନେବାକୁ ପ୍ରଦେଶ କଂଗ୍ରେସ ସମବାୟ ପ୍ରକୋଷ୍ଠ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ସରକାରଙ୍କ ନିକଟକରେ ଦୃଢ଼ ଦାବି କରିଛନ୍ତି। ବିଶେଷ କରି ଗ୍ରାମ ପଞ୍ଚାୟତ ପରିବର୍ତ୍ତେ ପ୍ରତି ରାଜସ୍ୱଗ୍ରାମକୁ ଫସଲବୀମା କ୍ଷେତ୍ରରେ ଏକକ ୟୁନିଟଭାବେ ଗ୍ରହଣ କରାଯିବା ସହ ବିଜ୍ଞପିତ ୮ ଟି ଫସଲ ପରିବର୍ତ୍ତେ ଅଧିକ ଅମଳକ୍ଷମ ଅନ୍ୟ ଫସଲକୁ ବୀମା ପରିସରଭୁକ୍ତ କରିବାପାଇଁ ଦାବି କରାଯାଇଛି। ବନ୍ୟା, ବାତ୍ୟା, ମରୁଡ଼ି ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଫସଲ କ୍ଷତି ହେବା ଫଳରେ ଅନେକ ସମୟରେ ଚାଷୀକୂଳ ବେସାହରା ହେଉଛନ୍ତି। କ୍ରପ କଟିଂ ଓ ସାଟଲାଇଟି ସର୍ଭେ ନିର୍ଦ୍ଧାରିତ ସମୟରେ କରାଯିବା ସହିତ ବୀମା କ୍ଷତିପୂରଣ ସହାୟତା ଚାଷୀଙ୍କୁ ତ୍ୱରିତ ପ୍ରଦାନ କରାଯିବାପାଇଁ ନୀତିଗତ ବ୍ୟବସ୍ଥା କରିବାକୁ ମଧ୍ୟ ସେ ଦାବି କରିଛନ୍ତି। ବୀମା ପଞ୍ଜିକୃତ ଚାଷୀମାନେ କିପରି ସହଜରେ କ୍ଷତିପୂରଣ ପାଇପାରିବେ ଏହାର ପ୍ରତିକାର ପାଇଁ ଭାରତ ସରକାର ଅତିତରେ ଜାତୀୟ କୃଷି ବୀମା କମ୍ପାନୀ ପ୍ରତିଷ୍ଠା କରି ଚାଷୀମାନଙ୍କୁ ବୀମା କ୍ଷତିପୂରଣ ସହାୟତା ସହଜରେ ପହଞ୍ଚାଉଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ୨୦୧୬ ଖରିଫ ଋତୁ ଠାରୁ ମୋଦି ସରକାର ଘରୋଇ ଫସଲବୀମା କମ୍ପାନୀଗୁଡ଼ିକୁ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ କରିବାଦ୍ୱାରା ଏହି ଯୋଜନାରେ ଅହେତୁକ ତ୍ରୁଟି ଓ ଚାଷୀର ସ୍ୱାର୍ଥ ପାଇଁ ବିଶେଷ ସୁବିଧା ନଥିବା ହେତୁ ଘରୋଇ କମ୍ପାନୀ ଓ ସରକାର ଏହାର ଫାଇଦା ବାରମ୍ବାର ଉଠାଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।










