25.6 C
Bhubaneswar
Tuesday, July 21, 2026
Homeଓଡିଶାନିଟ୍-ୟୁଜି ୨୦୨୬ ପରୀକ୍ଷାର୍ଥୀଙ୍କୁ ନ୍ୟାୟ ଦେବା ବଦଳରେ ପୋଲିସ୍ର ବର୍ବରତା ଦୁର୍ଭାଗ୍ୟଜନକ: ବିଜେଡି

ନିଟ୍-ୟୁଜି ୨୦୨୬ ପରୀକ୍ଷାର୍ଥୀଙ୍କୁ ନ୍ୟାୟ ଦେବା ବଦଳରେ ପୋଲିସ୍ର ବର୍ବରତା ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର: ନିଟ୍-ୟୁଜି ୨୦୨୬ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ଆନେ୍ଦାଳନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ୍ର ବର୍ବରତାକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପ୍ରତି ପୋଲିସ୍ର ଏଭଳି ଅମାନୁଷିକ ଆକ୍ରମଣ ଦୁର୍ଭାଗ୍ୟଜନକ କହିଛି ବିଜୁ ଜନତା ଦଳ ।ଦଳର ଉପସଭାପତି ତଥା ବରିଷ୍ଠ ଗଣମାଧ୍ୟମ ସଂଯୋଜକ ଶ୍ରୀ ପ୍ରତାପ ଜେନା ଏକ ପ୍ରେସ ବିବୃତ୍ତିରେ କହିଥିଲେ ଯେ, ନିଟ୍-ୟୁଜି ୨୦୨୬ ପରୀକ୍ଷା ପ୍ରଶ୍ନପତ୍ର ଲିକ୍, ବିଭିନ୍ନ ଅନିୟମିତତା ଏବଂ ପ୍ରଶାସନିକ ବିଫଳତା ଯୋଗୁଁ ପ୍ରାୟ ୪୦ ଲକ୍ଷ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ଗଭୀର ଚିନ୍ତା ଓ ଅନିଶ୍ଚିତତାରେ ରହିଛନ୍ତି । ପରୀକ୍ଷାର୍ଥୀଙ୍କ ଦାବିକୁ ସମାଧାନ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପରିବର୍ତ୍ତେ ସରକାର ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କ ଉପରେ ପୋଲିସ୍ ବଳ ପ୍ରୟୋଗ କରି ଦମନର ପଥ ଆପଣାଇଛନ୍ତି । ଏକ ସ୍ୱଚ୍ଛ ପରୀକ୍ଷା ବ୍ୟବସ୍ଥା ଦାବି କରିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ମୌଳିକ ଅଧିକାର । ଭବିଷ୍ୟତ ଡାକ୍ତରଙ୍କ ପ୍ରତି ଏଭଳି ଅତ୍ୟାଚାର କରି ଭାରତର ଗାରିମାକୁ ସାରା ବିଶ୍ୱରେ ନିନ୍ଦିତ କରିଛନ୍ତି ସରକାର ।

ଶ୍ରୀ ଜେନା ଆହୁରି କହିଥିଲେ ଯେ, ପୋଲିସ୍ର ବର୍ବରୋଚିତ ଆକ୍ରମଣରେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଭାରତର ଯୁବପିଢ଼ିଙ୍କ ସ୍ୱପ୍ନକୁ ଅନ୍ୟାୟ କିମ୍ୱା ପୋଲିସ୍ ବର୍ବରତା ଦ୍ୱାରା ଚାପି ଦିଆଯାଇପାରିବ ନାହିଁ । ପ୍ରଶାସନିକ ବିଫଳତା କାରଣରୁ ପ୍ରାୟ ୪୦ ଲକ୍ଷ ନିଟ୍ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ଧମକ ଓ ଦମନର ପଥ ଆପଣାଇବା ପରିବର୍ତ୍ତେ ସରକାର ନିରପେକ୍ଷ ଓ ସ୍ୱଚ୍ଛତାର ସହ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ନିଟ୍-ୟୁଜି ୨୦୨୬ରେ ପ୍ରଭାବିତ ସମସ୍ତ ପରୀକ୍ଷାର୍ଥୀଙ୍କ ପ୍ରତି ନିଜର ଦୃଢ଼ ସମର୍ଥନ ବ୍ୟକ୍ତ କରିବା ସହ ସେମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ବିଜୁ ଜନତା ଦଳ ଲଢ଼େଇ ଜାରି ରଖିବ । ଦଳ କେନ୍ଦ୍ର ସରକାରଙ୍କୁ ଆହ୍ୱାନ କରୁଛି ଯେ, ପରୀକ୍ଷା ଅନିୟମିତତା ପାଇଁ ଦାୟୀ ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ କୌଣସି ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଭବିଷ୍ୟତ ଯେପରି ବ୍ୟବସ୍ଥାଗତ ବିଫଳତା ଯୋଗୁଁ କ୍ଷତିଗ୍ରସ୍ତ ନ ହୁଏ ତାହା ସୁନିଶ୍ଚିତ କରାଯାଉ । ଛାତ୍ରଛାତ୍ରୀଙ୍କ ସଂଗ୍ରାମରେ ବିଜୁ ଜନତା ଦଳ ସବୁବେଳେ ସେମାନଙ୍କ ସହ ରହିଛି । ଛାତ୍ରଛାତ୍ରୀଙ୍କୁ ଧମକ ଦେବା ଏବଂ ସେମାନଙ୍କ ଉପରେ ବଳ ପ୍ରୟୋଗ କରିବା ପରିବର୍ତ୍ତେ ସରକାର ଆଲୋଚନା ଓ ଦୃଢ଼ ପଦକ୍ଷେପ ମାଧ୍ୟମରେ ଏହି ସଙ୍କଟର ସମାଧାନ କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking