ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପ୍ରକାଶ କରିଥିବା ୟୁଡାଇସ୍ ପ୍ଲସ୍ ୨୦୨୫-୨୬ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ବିଜେପି ସରକାରରେ ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଉଦ୍ବେଗଜନକ ଭାବେ ଅବନତି ଘଟୁଥିବାରୁ ଗଭୀର ଚିନ୍ତା ପ୍ରକାଶ କରିଛି ବିଜୁ ଜନତା ଦଳ । ଏହି ରିପୋର୍ଟ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ଦୂର କରିବା ପରିବର୍ତ୍ତେ ବିଜେପି ସରକାର ଏକକ ଶିକ୍ଷକ ବିଦ୍ୟାଳୟ ସଂଖ୍ୟାକୁ ଦ୍ରୁତ ଗତିରେ ବଢ଼ିବାକୁ ଦେଉଛନ୍ତି । ଯାହାଫଳରେ ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାକୁ ଗୁରୁତର ଭାବେ ପ୍ରଭାବିତ କରିଛି ।
ଆଜି ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଏକ ପ୍ରେସ ବିବୃତ୍ତିରେ କହିଥିଲେ ଯେ, ଭାରତ ସରକାର ପ୍ରକାଶ କରିଥିବା ସରକାରୀ ତଥ୍ୟ ବିଦ୍ୟାଳୟ ଶିକ୍ଷାକୁ ସୁଦୃଢ଼ କରିବା ନେଇ ବିଜେପି ସରକାରଙ୍କ ଦାବିର ପ୍ରକୃତ ଚିତ୍ରକୁ ସାମ୍ନାକୁ ଆଣିଛି । ସରକାର ହଜାର ହଜାର ଶିକ୍ଷକ ନିଯୁକ୍ତିର ଦାବି କରୁଥିବା ବେଳେ, ସରକାରଙ୍କ ନିଜସ୍ୱ ସରକାରୀ ପରିସଂଖ୍ୟାନ ସମ୍ପୂର୍ଣ୍ଣ ଭିନ୍ନ । ୨୦୨୪-୨୫ ଶିକ୍ଷାବର୍ଷରେ ଓଡ଼ିଶାରେ ୧,୦୮୯ଟି ଏକକ ଶିକ୍ଷକ ବିଦ୍ୟାଳୟ ଥିବାବେଳେ ୨୦୨୫-୨୬ରେ ଏହି ସଂଖ୍ୟା ବୃଦ୍ଧି ପାଇ ୧,୪୫୮ରେ ପହଞ୍ଚିଛି । ଅର୍ଥାତ୍ ବିଜେପି ସରକାରର ମାତ୍ର ଗୋଟିଏ ବର୍ଷରେ ୩୬୯ଟି ଏକକ ଶିକ୍ଷକ ବିଦ୍ୟାଳୟ ବୃଦ୍ଧି ପାଇଛି, ଯାହା ପ୍ରାୟ ୩୪ ପ୍ରତିଶତ । ୨୦୨୩-୨୪ ଶିକ୍ଷାବର୍ଷରେ ଏହି ସଂଖ୍ୟା ୧,୦୬୫ ଥିବାବେଳେ ବର୍ତ୍ତମାନ ୩୯୩ଟି ବୃଦ୍ଧି, ଅର୍ଥାତ୍ ପ୍ରାୟ ୩୭ ପ୍ରତିଶତ । ଏହା ବିଜେଡିର ଅଭିଯୋଗ ନୁହେଁ ବରଂ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପ୍ରକାଶ କରିଥିବା ସରକାରୀ ତଥ୍ୟ । ଏହି ପ୍ରଶାସନିକ ବିଫଳତାର ମୂଲ୍ୟ ବର୍ତ୍ତମାନ ୫୯,୬୭୨ ଜଣ ଛାତ୍ରଛାତ୍ରୀ ଦେଉଛନ୍ତି, ଯେଉଁମାନେ ଏକକ ଶିକ୍ଷକ ବିଦ୍ୟାଳୟରେ ପଢ଼ୁଛନ୍ତି । ଗତ ଏକ ବର୍ଷ ମଧ୍ୟରେ ଏପରି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୧,୭୩୨ ବୃଦ୍ଧି ପାଇଛି, ଯାହା ଏହି ସଙ୍କଟର ଗମ୍ଭୀରତାକୁ ସ୍ପଷ୍ଟ କରୁଛି । ଏହାର ସବୁଠାରୁ ଅଧିକ ପ୍ରଭାବ ଗ୍ରାମାଞ୍ଚଳ, ଆଦିବାସୀ ଓ ଦୁର୍ଗମ ଅଞ୍ଚଳର ଶିଶୁମାନଙ୍କ ଉପରେ ପଡ଼ୁଛି, ଯେଉଁଠାରେ ଗୁଣାତ୍ମକ ଶିକ୍ଷାର ସୁବିଧା ପୂର୍ବରୁ ହିଁ ସୀମିତ ରହିଛି ।
ଡ଼ ମହାନ୍ତି କହିଥିଲେ ଯେ, ଜଣେ ଶିକ୍ଷକଙ୍କୁ ଏକାସାଙ୍ଗରେ ଏକାଧିକ ଶ୍ରେଣୀରେ ପାଠ ପଢ଼ାଇବା, ବିଭିନ୍ନ ବିଷୟ ପଢ଼ାଇବା, ବିଦ୍ୟାଳୟର ରେକର୍ଡ ପରିଚାଳନା କରିବା, ସରକାରୀ ଯୋଜନାର କାର୍ଯ୍ୟକାରିତା ତଦାରଖ କରିବା ସହିତ ନିର୍ବାଚନ, ଜନଗଣନା ଓ ବିପର୍ଯ୍ୟୟ ପରିଚାଳନା ପରି ପ୍ରଶାସନିକ ଦାୟିତ୍ୱ ତୁଲାଇବାକୁ ଦିଆଯାଉଛି । ଏହା ଶିଶୁମାନଙ୍କ ଶିକ୍ଷା ପାଇଁ କ୍ଷତିକାରକ । ବିଜେପି ସରକାର ଯଦି ପ୍ରକୃତରେ ହଜାର ହଜାର ଶିକ୍ଷକ ନିଯୁକ୍ତି କରିଥାନ୍ତେ, ତେବେ ଏକକ ଶିକ୍ଷକ ବିଦ୍ୟାଳୟ ସଂଖ୍ୟା ଏତେ ଦ୍ରୁତ ଗତିରେ କାହିଁକି ବଢ଼ିଲା? ସରକାରଙ୍କ ନିଜସ୍ୱ ତଥ୍ୟ ହିଁ ସରକାରଙ୍କ ପ୍ରଚାର ଏବଂ ବାସ୍ତବ ସ୍ଥିତି ମଧ୍ୟରେ ଥିବା ବିରାଟ ପାର୍ଥକ୍ୟକୁ ପ୍ରମାଣିତ କରୁଛି । ଶିକ୍ଷକମାନଙ୍କ ଅବସର ଗ୍ରହଣ କୌଣସି ଅପ୍ରତ୍ୟାଶିତ ଘଟଣା ନୁହେଁ । ସରକାର ପୂର୍ବରୁ ଜାଣିଥାଆନ୍ତି କେଉଁ ସମୟରେ କେତେ ପଦବୀ ଖାଲି ହେବ । ତେଣୁ ଏକକ ଶିକ୍ଷକ ବିଦ୍ୟାଳୟ ସଂଖ୍ୟାର ଏଭଳି ବୃଦ୍ଧି ଦୁର୍ବଳ ମାନବ ସମ୍ୱଳ ପରିକଳ୍ପନା, ନିଯୁକ୍ତିରେ ବିଳମ୍ୱ, ପଦୋନ୍ନତିରେ ଶିଥିଳତା ଏବଂ ଶିକ୍ଷକ ନିୟୋଜନରେ ବିଫଳତାର ପ୍ରତିଫଳନ । ଅଧିକାଂଶ ଏକକ ଶିକ୍ଷକ ବିଦ୍ୟାଳୟ ଆଦିବାସୀ ଓ ପଛୁଆ ଅଞ୍ଚଳରେ ରହିଛି । ବିଜେପି ସରକାର ବାରମ୍ୱାର ଆଦିବାସୀ କଲ୍ୟାଣକୁ ପ୍ରାଥମିକତା ଦେଉଥିବା ଦାବି କରୁଥିଲେ ମଧ୍ୟ, ଏହି ଅଞ୍ଚଳଗୁଡ଼ିକରେ ପର୍ଯ୍ୟାପ୍ତ ଶିକ୍ଷକ ନିଯୁକ୍ତିରେ ବିଫଳତା ସରକାରଙ୍କ ପ୍ରତିଶ୍ରୁତି ଓ କାର୍ଯ୍ୟଦକ୍ଷତା ମଧ୍ୟରେ ଥିବା ବ୍ୟବଧାନକୁ ସ୍ପଷ୍ଟ କରୁଛି ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ରାଜ୍ୟ ସରକାର ଅବିଳମ୍ୱେ ସମସ୍ତ ଖାଲି ଶିକ୍ଷକ ପଦବୀ ପୂରଣ କରନ୍ତୁ । ପ୍ରତ୍ୟେକ ସରକାରୀ ବିଦ୍ୟାଳୟରେ ଅତି କମ୍ରେ ୩ରୁ ୪ ଜଣ ଶିକ୍ଷକଙ୍କ ନିଯୁକ୍ତି ସୁନିଶ୍ଚିତ କରନ୍ତୁ । ସମସ୍ତ ବକେୟା ନିଯୁକ୍ତି ଓ ପଦୋନ୍ନତି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ । ଆଦିବାସୀ ଓ ଦୁର୍ଗମ ଅଞ୍ଚଳକୁ ପ୍ରାଥମିକତା ଦେଇ ଶିକ୍ଷକ ନିଯୁକ୍ତି କରନ୍ତୁ । ଏକକ ଶିକ୍ଷକ ବିଦ୍ୟାଳୟର ବୃଦ୍ଧି କେବଳ ଏକ ପ୍ରଶାସନିକ ସମସ୍ୟା ନୁହେଁ; ଏହା ଓଡ଼ିଶାର ଶିଶୁମାନଙ୍କ ଶିକ୍ଷାଗତ ଭବିଷ୍ୟତ ପ୍ରତି ଏକ ଗୁରୁତର ବିପଦ । ବିଜେପି ସରକାର କେବଳ ନିଜ ଦଳୀୟ ପ୍ରଚାରରେ ସୀମିତ ନରହି ପ୍ରତ୍ୟେକ ଶିଶୁଙ୍କୁ ପର୍ଯ୍ୟାପ୍ତ ଶିକ୍ଷକ ଏବଂ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ । ସରକାରଙ୍କ ପ୍ରଶାସନିକ ବିଫଳତା ପାଇଁ ପ୍ରାୟ ୬୦ ହଜାର ଶିଶୁଙ୍କ ଭବିଷ୍ୟତକୁ ବଳି ପକାନଯାଉ ।










