27.1 C
Bhubaneswar
Thursday, September 24, 2026
Homeଓଡିଶାଓଡ଼ିଶା ପାଇଁ ସ୍ଥାୟୀ ସହରୀ ଯାତାୟାତ ପରିବର୍ତ୍ତନ ଯୋଜନା ପ୍ରସ୍ତୁତି ଉପରେ କର୍ମଶାଳା

ଓଡ଼ିଶା ପାଇଁ ସ୍ଥାୟୀ ସହରୀ ଯାତାୟାତ ପରିବର୍ତ୍ତନ ଯୋଜନା ପ୍ରସ୍ତୁତି ଉପରେ କର୍ମଶାଳା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏସିଆନ୍‌ ଡେଭେଲପମେଣ୍ଟ ବ୍ୟାଙ୍କ ସହଯୋଗରେ “ଓଡ଼ିଶା ପାଇଁ ସ୍ଥାୟୀ ସହରୀ ଯାତାୟାତ ପରିବର୍ତ୍ତନ ଯୋଜନା ପ୍ରସ୍ତୁତି” ଶୀର୍ଷକ ଏକ କର୍ମଶାଳା ଆଜି ଖାରବେଳ ଭବନଠାରେ ଅନୁଷ୍ଠିତ ହୋଇଛି । ଏହି ପଦକ୍ଷେପର ଉଦ୍ଦେଶ୍ୟ ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ ଆର୍ଥିକ ଅଞ୍ଚଳ ପାଇଁ ଏକ ବ୍ୟାପକ ଓ ସ୍ଥାୟୀ ସହରୀ ଯାତାୟାତ ଢାଞ୍ଚା ପ୍ରସ୍ତୁତ କରିବା । ଏଥିରେ ଆଞ୍ଚଳିକ ଯାତାୟାତ ଯୋଜନା, ସାର୍ବଜନୀନ ବସ୍‌ ସେବାର ରୂପାନ୍ତରଣ ଏବଂ ସ୍ଥାୟୀ ସହରୀ ପରିବହନ ପାଇଁ ଅନୁଷ୍ଠାନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପ ଓଡ଼ିଶା ଭିଜନ୍‌ ୨୦୩୬ ଏବଂ ଭିଜନ୍‌ ୨୦୪୭ର ଦୀର୍ଘମିଆଦୀ ଲକ୍ଷ୍ୟ ସହ ସମନ୍ୱିତ ।

କର୍ମଶାଳାରେ ଏଡିବି ଟିମ୍‌ ପକ୍ଷରୁ ଇନସେପସନ୍‌ ରିପୋର୍ଟର ପ୍ରମୁଖ ନିଷ୍କର୍ଷ ଓ ସୁପାରିଶ ଉପସ୍ଥାପନ କରାଯାଇଥିଲା । BKPPER ପାଇଁ ସମନ୍ୱିତ ଆଞ୍ଚଳିକ ଯାତାୟାତ ଯୋଜନା, ବସ୍‌ ସେବା ରୂପାନ୍ତରଣ ରୋଡ୍‌ମ୍ୟାପ୍‌ ଏବଂ ପ୍ରସ୍ତାବିତ ଓଡ଼ିଶା ଟ୍ରାଞ୍ଜିଟ୍‌-ଓରିଏଣ୍ଟେଡ୍‌ ଡେଭେଲପମେଣ୍ଟ ନୀତି ଉପରେ ଆଲୋଚନା ହୋଇଥିଲା । ବିଭିନ୍ନ ବିଭାଗ ଓ ଅଂଶୀଦାରମାନେ ଏଥିରେ ନିଜ ନିଜ ମତାମତ ରଖିଥିଲେ । ପ୍ରାରମ୍ଭରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଉଷା ପାଢ଼ୀ ଆୟୋଜିତ କାର୍ମଶାଳା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଏହା କେବଳ ଏକ ଦସ୍ତାବିଜ ପ୍ରସ୍ତୁତିରେ ସୀମିତ ନ ରହି ସମସ୍ତ ଅଂଶୀଦାରଙ୍କ ସହଭାଗିତାରେ ଏକ କାର୍ଯ୍ୟକାରୀ ଓ ରୂପାୟଣଯୋଗ୍ୟ ଢାଞ୍ଚାରେ ପରିଣତ ହେବା ଆବଶ୍ୟକ । ସେବା ଜୀବନର ପ୍ରାରମ୍ଭିକ ଦିନରେ ଓଡ଼ିଶାର ଏକ ଦୁର୍ଗମ ଅଞ୍ଚଳରେ ନିଜର ଅଭିଜ୍ଞତାର ଉଦାହରଣ ଦେଇ ସେ କହିଥିଲେ ଯେ, ଯାତାୟାତ ସୁବିଧାର ଅଭାବ ଲୋକଙ୍କ ମୌଳିକ ସେବା ଓ ଆର୍ଥିକ ସୁଯୋଗ ପାଇବାରେ ପ୍ରଭାବ ପକାଇଥାଏ । ଶ୍ରୀମତୀ ପାଢୀ କହିଥିଲେ ଯେ, ଯାତାୟାତ ବ୍ୟବସ୍ଥା ଲୋକଙ୍କ ପହଞ୍ଚ, ଉତ୍ପାଦକତା ଓ ଜୀବନମାନ ସହ ଘନିଷ୍ଠ ଭାବେ ଜଡ଼ିତ । ଓଡ଼ିଶା ଦ୍ରୁତ ସହରୀକରଣର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟକୁ ପ୍ରବେଶ କରୁଥିବାରୁ ଦୂରଦୃଷ୍ଟିସମ୍ପନ୍ନ ଓ ସମନ୍ୱିତ ଯୋଜନାର ଆବଶ୍ୟକତା ରହିଛି । ଶ୍ରୀମତୀ ପାଢ଼ୀ କହିଥିଲେ, “ଆଗାମୀ ସହରୀକରଣର ପରବର୍ତ୍ତୀ ସ୍ତରକୁ ଆଗେଇ ଯାଉଥିବା ବେଳେ ଓଡ଼ିଶା ପାଖରେ ସଠିକ୍‌ ବ୍ୟବସ୍ଥାଗୁଡ଼ିକୁ ଏବେଠାରୁ ସ୍ଥାପନ କରିବାର ସୁଯୋଗ ରହିଛି ।” ସ୍ଥାୟୀ ଯାତାୟାତ ନୀତିକୁ ପ୍ରାରମ୍ଭରୁ ଆପଣାଇ ଭବିଷ୍ୟତର ସମସ୍ୟାକୁ ଏଡ଼ାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଏଡିବିର ଟ୍ରାନ୍ସପୋର୍ଟ ସେକ୍ଟର ଅଫିସ୍‌ର ନିର୍ଦ୍ଦେଶକ ଶ୍ରୀ କାଞ୍ଜୋ ନାକାଇ ଯାତାୟାତ, ସହରୀ ଉତ୍ପାଦକତା ଓ ବିକାଶ ମଧ୍ୟରେ ଥିବା ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ଛଅଟି ପ୍ରମୁଖ ମହାନଗରକୁ ନେଇ ସେମାନଙ୍କ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନର ଉଲ୍ଲେଖ କରି ସେ କହିଥିଲେ ଯେ, କେତେକ ସହରରେ ଯାତ୍ରୀମାନେ ଦୈନିକ ଚାରି ଘଣ୍ଟା ପର୍ଯ୍ୟନ୍ତ ଯାତ୍ରାରେ ବିତାଉଛନ୍ତି, ଯାହା ଉତ୍ପାଦକତା ଉପରେ ଉଲ୍ଲେଖନୀୟ ପ୍ରଭାବ ପକାଉଛି । ସେ ଆହୁରି କହିଥିଲେ ଯେ, ଓଡ଼ିଶାର ବର୍ତ୍ତମାନର ସହରୀକରଣ ପର୍ଯ୍ୟାୟ ଏଭଳି ଏକ ସୁଯୋଗ ପ୍ରଦାନ କରୁଛି, ଯାହା ମାଧ୍ୟମରେ ପୁରୁଣା ମହାନଗରଗୁଡ଼ିକରେ ଦେଖାଦେଇଥିବା କାର୍‌-କେନ୍ଦ୍ରିକ ଯାତାୟାତ ଧାରା ଓ ଭିତ୍ତିଭୂମିଗତ ସମସ୍ୟାକୁ ଏଡ଼ାଇ ଅଧିକ ସ୍ଥାୟୀ ଓ ସମନ୍ୱିତ ଯାତାୟାତ ବ୍ୟବସ୍ଥା ଗଢ଼ି ତୋଳାଯାଇପାରିବ । କର୍ମଶାଳାରେ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ମ୍ୟୁନିସିପାଲ୍‌ ଆଡମିନିଷ୍ଟ୍ରେସନ୍‌ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, CRUTର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲମ୍‌, ଇଡକୋ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଡି. ପ୍ରଶାନ୍ତ ରେଡ୍ଡୀ ଏବଂ ବିଡିଏ ର ଉପାଧ୍ୟକ୍ଷ ଶ୍ରୀ ଚଞ୍ଚଳ ରାଣାଙ୍କ ସମେତ ୱର୍କ୍ସ ବିଭାଗ, OSRTC, ପୁଲିସ, IDCO, KDA ଏବଂ ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳମାନେ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଅନଲାଇନ୍‌ ମାଧ୍ୟମରେ ଯୋଗଦେଇଥିଲେ ।ଏଡ଼ିବି ଟିମ୍‌ ପକ୍ଷରୁ ସିନିୟର ଟ୍ରାନ୍ସପୋର୍ଟ ଆଡଭାଇଜର ଶ୍ରୀ ସୌଗତ ଦାସଗୁପ୍ତ, ପରାମର୍ଶଦାତା ଶ୍ରୀ ବଙ୍କିମ୍‌ କାଲ୍ରା, ଶ୍ରୀମତୀ ଜୋହରା ମୁତାବନ୍ନା, ଶ୍ରୀ ଅଙ୍କୁଶ ମଲହୋତ୍ରା ଏବଂ SYSTRAର ଶ୍ରୀମତୀ ପ୍ରିଥା ଘୋଷ ଚାଟାର୍ଜୀଙ୍କ ସମେତ ଅନ୍ୟମାନେ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । କର୍ମଶାଳାରେ ହୋଇଥିବା ଆଲୋଚନା ଓ ମତବିନିମୟ ଓଡ଼ିଶାରେ ଦକ୍ଷ, ସମାବେଶୀ, ସଂଯୋଜିତ ଓ ସ୍ଥାୟୀ ସହରୀ ଯାତାୟାତ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏକ ସମନ୍ୱିତ ଯାତାୟାତ ପରିବର୍ତ୍ତନ ଢାଞ୍ଚା ପ୍ରସ୍ତୁତିରେ ସହାୟକ ହେବ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking