ନୂଆଦିଲ୍ଲୀ : ଗଭୀର ଅବପାତ ପ୍ରଭାବରେ ତେଲେଙ୍ଗାନାରେ ପ୍ରବଳ ଝଡ଼ ବର୍ଷା । ଭଦ୍ରାଦ୍ରି କୋଥାଗୁଡେମ୍ ଜିଲ୍ଲାର ବୁର୍ଗାମପାଡୁରେ ପ୍ରଚଣ୍ଡ ଝଡ଼-ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଅନ୍ୟପଟେ ରାଜ୍ୟରେ ଆଗାମୀ ଦୁଇ ଦିନ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବେଗରେ ପବନ ବହିବା ଯୋଗୁଁ ଅନେକ ସ୍ଥାନରେ ବିରାଟ ବିରାଟ ଗଛ ଉପୁଡ଼ି ପଡ଼ିବା ସହ ଘରର ଟିଣ ଓ ଆଜବେଷ୍ଟସ୍ ଛାତ ଉଡ଼ିଯାଇଛି । ଦୁର୍ଘଟଣାରେ କିଛି ଲୋକ ସାମାନ୍ୟ ହୋଇଛନ୍ତି । ଦୁଇ ଦିନ ଧରି ଉତ୍ତର ଏବଂ ପୂର୍ବ ତେଲେଙ୍ଗାନାରେ ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
କୁମୁରମ୍ ଭୀମ୍ ଆସିଫାବାଦ୍, ମଞ୍ଚେରିଆଲ୍, ଜୟଶଙ୍କର ଭୂପାଲପାଲ୍ଲୀ, ମୁଲୁଗୁ ଏବଂ ଭଦ୍ରାଦ୍ରି କୋଥାଗୁଡେମ୍ ଜିଲ୍ଲା ପାଇଁ ହାଇ ଆଲର୍ଟ ଜାରି କରାଯାଇଛି । ଏଥିସହ ଆଦିଲାବାଦ୍, ଜଗତିଆଲ୍, କରିମନଗର, ପେଦ୍ଦାପାଲ୍ଲୀ, ଖମ୍ମମ, ମହବୁବାବାଦ୍, ୱାରଙ୍ଗଲ ଏବଂ ହନମକୋଣ୍ଡା ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ରାଜଧାନୀ ହାଇଦ୍ରାବାଦରେ ଆକାଶ ମେଘାଚ୍ଛନ୍ନ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।










