ଭୁବନେଶ୍ୱର: ଓଡ଼ିଶାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ଶେଷ ହୋଇଛି। ଏହା ପରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର. ଏସ. ଗୋପାଳନ ପ୍ରେସମିଟ୍ ଜରିଆରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି। ନୂତନ ତାଲିକା ଅନୁଯାୟୀ, ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ରେ ପହଞ୍ଚିଛି। ତେବେ ଯାଞ୍ଚ ପ୍ରକ୍ରିୟା ସମୟରେ ତାଲିକାରୁ ୨୦ ଲକ୍ଷରୁ ଅଧିକ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି।ସିଇଓଙ୍କ ସୂଚନା ଅନୁଯାୟୀ, SIR ପ୍ରକ୍ରିୟା ପୂର୍ବରୁ ରାଜ୍ୟରେ ମୋଟ ୩,୩୩,୯୯,୫୯୧ ଜଣ ଭୋଟର ଥିଲେ। ତେବେ ଡ୍ରାଫ୍ଟ ରୋଲ୍ ପୂର୍ବରୁ ୨୦,୧୨,୫୫୭ ଜଣ ଏବଂ ଡ୍ରାଫ୍ଟ ପରେ ୪୪,୭୭୭ ଜଣଙ୍କୁ ମିଶାଇ ସର୍ବମୋଟ ୨୦,୫୭,୩୩୪ ଜଣଙ୍କ ନାମ ବାଦ୍ ପଡ଼ିଛି। ଗତ ଜୁଲାଇ ୫, ୨୦୨୬ରେ ପ୍ରକାଶିତ ଡ୍ରାଫ୍ଟ ରୋଲ୍ରେ ଭୋଟର ସଂଖ୍ୟା ୩ କୋଟି ୧୩ ଲକ୍ଷ ୮୭ ହଜାର ୦୩୪ ଥିଲା। ଏହାପରେ ଆସିଥିବା ଦାବି ଓ ଆପତ୍ତିର ଶୁଣାଣି କରାଯାଇ ନୂତନ ଭାବେ ୨,୯୦,୪୯୭ ଜଣଙ୍କ ନାମ ଯୋଡ଼ାଯାଇଥିବା ବେଳେ ୪୪,୭୭୭ ଜଣଙ୍କ ନାମ କଟାଯାଇଥିଲା। ଫଳରେ ଡ୍ରାଫ୍ଟରୁ ଚୂଡ଼ାନ୍ତ ତାଲିକା ମଧ୍ୟରେ ନିଟ୍ ୨,୪୫,୭୨୦ ଜଣ ନୂଆ ଭୋଟର ବୃଦ୍ଧି ପାଇଛନ୍ତି।
SIR ପ୍ରକ୍ରିୟା ସମୟରେ ଅନମ୍ୟାପ୍ଡ (୧୨,୯୮,୭୭୯) ଏବଂ ଲଜିକାଲ ଡିସକ୍ରେପାନ୍ସି (୪୫,୩୭,୬୧୩) ଆଧାରରେ ମୋଟ ୫୮,୩୬,୩୯୨ ଜଣଙ୍କୁ ନୋଟିସ ଜାରି କରାଯାଇଥିଲା। ଏହି ସମୟ ମଧ୍ୟରେ ୨,୫୫,୯୯୬ଟି ଦାବି ଓ ଆପତ୍ତି ମିଳିଥିଲା। ଶୁଣାଣି ପରେ ଫର୍ମ-୭ ଜରିଆରେ ୨୪,୦୭୦ ଜଣ ଅଯୋଗ୍ୟ ଚିହ୍ନଟ ହେବା ସହ ଜୁଲାଇ ୫ରୁ ଅଗଷ୍ଟ ୧୯ ମଧ୍ୟରେ ମୋଟ ୨୦,୭୦୭ ଜଣଙ୍କ ନାମ କଟାଯାଇଛି।ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲେ ହେଁ ନାଁ ଯୋଡ଼ିବା, ସଂଶୋଧନ ଓ ବାଦ୍ ଦେବା କାର୍ଯ୍ୟ ନିରନ୍ତର ଚାଲୁରହିବ। ନୂଆ ନାଁ ଯୋଡ଼ିବା ପାଇଁ ଫର୍ମ-୬/୬A ରହିଛି। ନାଁ କାଟିବା ପାଇଁ ଫର୍ମ-୭ ମିଳିବ।ବିବରଣୀ ସଂଶୋଧନ ପାଇଁ ଫର୍ମ-୮ ବ୍ୟବହାର କରିପାରିବେ। ଯଦି କୌଣସି ନାଗରିକ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର (ERO)ଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୁଅନ୍ତି, ତେବେ ସେ ପ୍ରଥମ ଆପିଲ୍ ଜିଲ୍ଲା ନିର୍ବାଚନ ଅଧିକାରୀ (DEO)/ଜିଲ୍ଲାପାଳଙ୍କ ନିକଟରେ କରିପାରିବେ। ସେଠାରେ ସମାଧାନ ନହେଲେ ଦ୍ୱିତୀୟ ଆପିଲ୍ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ନିକଟରେ କରାଯାଇପାରିବ।










