ଭୁବନେଶ୍ୱର: ସଂଶୋଧିତ ପାଠ୍ୟ ପୁସ୍ତକ ବଣ୍ଟନ ଆରମ୍ଭ । ଭୁବନେଶ୍ୱର ଯାଆଁଳ ସ୍କୁଲରେ ପୁସ୍ତକ ବଣ୍ଟନ ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ଗଣଶିକ୍ଷା ବିଭାଗ ପକ୍ଷରୁ ପୋଷ୍ଟ କରାଯାଇଛି । ସୂଚନାଥାଉକି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ବିଭିନ୍ନ ପୁସ୍ତକରେ ୨ ହଜାରରୁ ଅଧିକ ସଂଖ୍ୟକ ତ୍ରୁଟି ଦେଖିବାକୁ ମିଳିଥିଲା । ଯାହାକୁ ନେଇ ରାଜନୀତି ଦେଖାଦେଇଥିଲା । ଛାତ୍ରଛାତ୍ରୀମାନଙ୍କ ପାଠ ପଢାରେ ଅସୁବିଧା ହେବା ସହ ପରୀକ୍ଷାରେ ସେମାନ କଣ ଲେଖିବେ , ଏଭଳି ତ୍ରୁଟିପୂର୍ଣ୍ଣ ପୁସ୍ତକ ପଢି ପିଲା କଣ ଶିଖିବେ ତାହାକୁ ନେଇ ଚିନ୍ତାରେ ଥିଲେ ରାଜ୍ୟବାସୀ । କେବଳ ଏତିକି ନୁହେଁ ଗଣଶିକ୍ଷା ବିଭାଗରେ ପୁରା ହଟଚମଟ ସୃଷ୍ଟି ହୋଇଥିଲା । ଯିଏ ଯାହା ଉପରେ ଦୋଷ ଲଦି ଖସିଯିବାର ଉପାୟ ବାଛୁଥିଲେ । ପିଲାଙ୍କ ଭବିଷ୍ୟତକୁ ହେଳା କରି ଏପରି ବଡ ଭୁଲ କିପରି ହୋଇପାରିଲା ତାହାକୁ ନେଇ ରାଜ୍ୟ ସରକାର ଏହାକୁ ତଦନ୍ତ କରିବା ପାଇଁ ଉଚ୍ଚ ସ୍ତରୀୟ ଟିମ ଗଠନ କରି ନିରପେକ୍ଷ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ବିରୋଧୀ ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ପ୍ରତିବାଦ କରିଥିଲା । ଯାହାର ଫଳସ୍ୱରୁପ ମନ୍ତ୍ରୀ ଉପରେ ଏବଂ ରାଜ୍ୟ ସରକାରଙ୍କ ଉପରେ ଚାପ ପଡିଥିଲା । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସମସ୍ତ ବିଦ୍ୟାଳୟରୁ ଭୁଲ ପୁସ୍ତକକୁ ସଂଗ୍ରହ କରି ସଂଶୋଧନ କରି ପୁସ୍ତକ ଦିଆଯିବ ଆଉ ସେହି ବହି ପିଲାମାନେ ପଢି ପରୀକ୍ଷା ଦେବେ ବୋଲି ମନ୍ତ୍ରୀ କହିଥିଲେ ।










