ଭୁବନେଶ୍ୱର: ରାଜ୍ୟର ଦୁଇଟି ଜିଲ୍ଲା କୋର୍ଟକୁ ବୋମା ଧମକ । ଜଗତସିଂହପୁର ଓ ଝାରସୁଗୁଡ଼ା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଅଜଣା ବ୍ୟକ୍ତିଙ୍କ ପକ୍ଷରୁ ଇ-ମେଲ୍ ଯୋଗେ ଧମକ ଦିଆଯାଇଛି । ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଘଟଣାର ସୂଚନା ମିଳିବା ପରେ ପୁଲିସ, ବୋମା ନିଷ୍କ୍ରିୟକରଣ ଦଳ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ କୋର୍ଟ ପରିସରରେ ପହଞ୍ଚି ତନାଘନା ଛାନଭିନ୍ ଆରମ୍ଭ କରିଛନ୍ତି । କୋର୍ଟ ପରିସରର ପ୍ରତ୍ୟେକ କୋଣକୁ ଯାଞ୍ଚ କରାଯାଉଥିବା ବେଳେ ସନ୍ଦିଗ୍ଧ ବସ୍ତୁ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଧମକପୂର୍ଣ୍ଣ ଇ-ମେଲ୍ର ଉତ୍ସ ଠାବ କରିବା ପାଇଁ ସାଇବର ଟିମ୍ ମଧ୍ୟ ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାରମ୍ଭିକ ଯାଞ୍ଚରେ କୌଣସି ବିସ୍ଫୋରକ ସାମଗ୍ରୀ ମିଳିଥିବା ସୂଚନା ନାହିଁ । ତଥାପି କୌଣସି ବିପଦକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷାମୂଳକ ପଦକ୍ଷେପ ନିଆଯାଇଛି । ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଜାରି ରହିଛି । ଧମକ ଦେଇଥିବା ବ୍ୟକ୍ତି କିଏ ଏବଂ ଏହା ପଛରେ କଣ ଉଦ୍ଦେଶ୍ୟ ରହିଛି, ସେନେଇ ପୁଲିସ ଖୋଳତାଡ଼ ଜାରି ରଖିଛି ।










