ପୁରୀ: ଆଗକୁ ବଢୁଛି ମହାପ୍ରଭୁଙ୍କ ରଥ । । ଆଉ ସେହି ଦୃଶ୍ୟକୁ ନିଜ ଆଖିରେ ଦେଖିବା ପାଇଁ ଅଧୀର ହୋଇ ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । କାହାର ଆଖିରେ ଆନନ୍ଦର ଅଶ୍ରୁ , କାହାର ହାତରେ ଦଉଡି, ତ କାହାର ଓଠରେ କେବଳ ଗୋଟିଏ ନାମ – ଜୟ ଜଗନ୍ନାଥ । ଆଜି ଭକ୍ତ ତାଙ୍କ ଆରାଧ୍ୟଙ୍କୁ ଚର୍ମଚକ୍ଷୁରେ ଦେଖୁଛି । ବର୍ଷ ବର୍ଷ ଧରି ମନରେ ସାଇତି ରଖିଥିବା ଦୁଃଖ, ସୁଖ , ପ୍ରାର୍ଥନା ଓ ଆଶାକୁ ପ୍ରଭୁଙ୍କ ଚରଣରେ ସମର୍ପଣ କରୁଛି । କାରଣ ମହାପ୍ରଭୁଙ୍କ ପାଖରେ ଭକ୍ତର ମନର କଥା କହିବାକୁ ଭାଷାର ଆବଶ୍ୟକତା ନାହିଁ । ଏହି କରୁଣା ଓ ଦୟା ହିଁ ମହାପ୍ରଭୁଙ୍କୁ ସମଗ୍ର ବିଶ୍ୱରେ ଅନନ୍ୟ କରିଛି । ଚାତକ ପକ୍ଷୀ ପରି ପ୍ରଭୁଙ୍କ ଦର୍ଶନକୁ ଚାହିଁରହିଥିବା ଭକ୍ତ ଯେତେବେଳେ ରଥ ଉପରେ ରଥାରୂଢ ମହାପ୍ରଭୁଙ୍କୁ ଦେଖୁଛି , ସେତେବେଳେ ତାର ମନହାଲୁକା ହୋଇଯାଉଛି ।










