28.1 C
Bhubaneswar
Saturday, April 27, 2024
Homeଓଡିଶାବେଆଇନ ଚିଙ୍ଗୁଡ଼ି ଘେରି ପାଇଁ ଉଜୁଡ଼ିଗଲା କୌଳିକ ବୃତ୍ତି : ଚାଷୀଙ୍କ ବିଲ ପଡ଼ିଲା ପଡ଼ିଆ

ବେଆଇନ ଚିଙ୍ଗୁଡ଼ି ଘେରି ପାଇଁ ଉଜୁଡ଼ିଗଲା କୌଳିକ ବୃତ୍ତି : ଚାଷୀଙ୍କ ବିଲ ପଡ଼ିଲା ପଡ଼ିଆ

ମହାକାଳପଡା : ଉପକୂଳ ଅଞ୍ଚଳରେ ବଢ଼ିଚାଲିଛି ବେଆଇନ ଚିଙ୍ଗୁଡି଼ ଘେରି । ଘେରି ନିର୍ମାଣକାରୀଙ୍କ ବିରୁଦ୍ଧରେ ପ୍ରଶାସନ ପଦକ୍ଷେପ ନନେବା ଦ୍ୱାରା ଚାଷୀକୂଳ କିପରି ସର୍ବନାଶ ହେଉଛନ୍ତି ତାର ଉଦାହରଣ ହେଉଛି ସୁନିତି ପଞ୍ଚାୟତର ଚାଷୀଙ୍କ ଅବସ୍ଥା । ଯେଉଁ ବିଲରେ ଦିନେ ହଜାର ହଜାର ସଂଖ୍ୟାରେ ସୂର୍ଯ୍ୟମୁଖି ଫୁଲ ଓ କ୍ୱିଣ୍ଟାଲ କ୍ୱିଣ୍ଟାଲ ବିଭିନ୍ନ ପ୍ରକାର ପନିପରିବା ଉତ୍ପାଦନ ହେଉଥିଲା ସେହିବିଲରେ ଏବେ ଶଙ୍ଖଚିଲ ମଧ୍ୟ ବସିବାକୁ ନିଜକୁ ସୁରକ୍ଷିତ ମଣୁନି । ପୁରା ବିଷ ବଳୟରେ ବଳୁଆ ଜମି । ଏହାକୁ ନେଇ ୨୦୦ରୁ ଉର୍ଦ୍ଧ୍ୱ ଚାଷୀ ପରିବାର ଆଗାମୀ ଦିନରେ ଦାଣ୍ଡର ଭିକାରୀ ହେବା ଅବସ୍ଥା ଉପୁଜିଛି । ସୂଚନାରୁ ପ୍ରକାଶ ସୁନିତି ପଞ୍ଚାୟତର ଅଠରବାଙ୍କି ସ୍ଲୁଇସ୍ ଠାରୁ ସିଟ୍ ନଂ-୧ ଓ ସିଟ୍ ନଂ-୫ କଣ୍ଟିଲୋ ଜୋର ଓ କପାଳିକୁଣ୍ଡଳ ଜୋର ପାଶ୍ୱର୍ରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ବେଆଇନ ଚିଙ୍ଗୁଡ଼ିଘେରି ନିର୍ମାଣ ହୋଇଛି । ଦୁଇ ବର୍ଷ ଧରି ଏହି ଘେରି ନିର୍ମାଣ ହେବା ଦ୍ୱାରା ସୁନିତି ପଞ୍ଚାୟତର ଚାଷୀ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି ।
ପ୍ରାୟ ୬ କିଲୋମିଟର ବ୍ୟାପୀ ଏହି ପାଟନାଳୀ ଜୋରର ଗଚ୍ଛିତ ମିଠା ପାଣିକୁ ବ୍ୟବହାର କରି ସୁନିତି ପଞ୍ଚାୟତର ଚାଷୀମାନେ ରବି ଋତୁରେ ଚାଷ କରି ତୈଳବୀଜ ଫସଲ ଆମଦାନି କରିଥାନ୍ତି । ସୂର୍ଯ୍ୟମୁଖି ଚାଷ ଭଲ ଦିପଇସା ଚାଷୀଙ୍କୁ ଦେଇଥାଏ । ପଞ୍ଚାୟତର ୨ ନଂ ଓ ୫ ନଂ ୱାର୍ଡ଼ର ଚାଷୀମାନେ ୬୦ ଏକରରୁ ଉର୍ଦ୍ଧ୍ୱ ଜମିରେ ସୂର୍ଯ୍ୟମୁଖି ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ସେହିପରି ଉତର ସୁନିତିର ପରିବା ଚାଷୀ ଚିଙ୍ଗୁଡ଼ି ଘେରି ଆମର ସବୁ ଚାଷ ବନ୍ଦ କରିଦେଲା । ଆମେ ଯେତେ ଯାହାକୁ କହିଲେ ମଧ୍ୟ ଆମ କଥା କେହି ଶୁଣୁ ନାହାଁନ୍ତି । ସେମାନେ ଉପରବାଲାଙ୍କୁ ଧରି ଚାଷ କରୁଛନ୍ତି ବୋଲି ଚାଷୀ କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ପାଟନାଳୀର ପାଶ୍ୱର୍ ଦେଶରେ ଥିବା ଚିଙ୍ଗୁଡ଼ି ଘେରିର ବର୍ଜ୍ୟବସ୍ତୁକୁ ଘେରି ମାଲିକମାନେ ଜୋର ଭିତରକୁ ଛାଡ଼ୁଛନ୍ତି । ଘେରିର ପଙ୍କ ମଧ୍ୟ ଏହି ପାଟନାଳୀକୁ ଛଡ଼ାହେଉଛି । ଫଳରେ ପାଣି ବିଷାକ୍ତ ହୋଇଯାଉଛି । ଆମେ ଏହି ପାଣିରେ ଆଉ ଚାଷ କରିପାରୁନୁ ।
ସେହିପରି ଅନେକ ଚାଷୀ ନିଜର ନାମ ଗୋପନ ରଖି କହିଛନ୍ତି ଏହି ଚିଙ୍ଗୁଡ଼ି ଘେରିବାଲା ଅଠରବାଙ୍କି ସ୍ଲୁଇସ୍‌କୁ ଦଖଲ କରି ସ୍ଲୁଇସ୍ ଦେଇ ଲୁଣା ପାଣି ପୁରାଉଛନ୍ତି । ଯାହାକି ଆମ ଚାଷ ବନ୍ଦର ମଧ୍ୟ ମୁଖ୍ୟ କାରଣ । ବିଗତ ଦିନରେ ଏହି ଜୋରର ପାଣି ବ୍ୟବହାର କରି କଖାରୁ, ପୋଇ, ଭେଣ୍ଡି, ଜହ୍ନି, କାକୁଡ଼ି, କୋବି, ମୂଳା, ଶିମ୍ବ, ଟମାଟୋ, ବିନ୍ ଓ ଶାଗ ଇତ୍ୟାଦି ପରିବା ଅମଳ ହୋଇଥାଏ । ଏବେ ଏସବୁ ବନ୍ଦ ହୋଇଯାଇଛି । ସୂର୍ଯ୍ୟମୁଖି ଚାଷୀ ଅନନ୍ତ ଖାଡ଼ା, ହରିପଦ ଖାଡ଼ା, କାଳିପଦ ମାଇତି, ସୁରେନ୍ଦ୍ର ନାଥ ପରିଡ଼ା, ଅଭୟ ମାଇତି, ବିଷ୍ଣୁପଦ ମାଇତି, ଶ୍ରୀକାନ୍ତ ମାନ୍ନା, ଶଙ୍କର ମାନ୍ନା, ଉଜ୍ଜ୍ୱଳ ଦାସ, ଶଙ୍କର ମାଇତି, ସୁଶାନ୍ତ ମାନ୍ନାଙ୍କ ସମେତ ଅନେକ ସୂର୍ଯ୍ୟମୁଖି ଚାଷ କରୁଥିବା ଚାଷୀଙ୍କ ବେଉଷା ଏବେ ସଙ୍କଟରେ । ଏମାନଙ୍କର ଚାଷ ବ୍ୟତୀତ ଆଉ ବିକଳ୍ପ ପନ୍ଥା କିଛି ନାହିଁ । ତୁରନ୍ତ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଏହି ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରିବାକୁ ଚାଷୀମାନେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking