26.1 C
Bhubaneswar
Wednesday, May 8, 2024
Homeଓଡିଶାଡିଆର୍‌ଡିଓ ଉପରେ ଶତ୍ରୁଙ୍କ ନଜର : କେତେ ସୁରକ୍ଷିତ କଲାମ ଦ୍ୱୀପ !

ଡିଆର୍‌ଡିଓ ଉପରେ ଶତ୍ରୁଙ୍କ ନଜର : କେତେ ସୁରକ୍ଷିତ କଲାମ ଦ୍ୱୀପ !

ଭୁବନେଶ୍ୱର : ଏବେ ସୀମାରେ ଯୁଦ୍ଧର ହୁଙ୍କାର ଦେଉଛି ଚୀନ୍ । ପାକିସ୍ତାନ ଏଲ୍‌ଓସି(ଲାଇନ୍ ଅଫ୍ କଣ୍ଟ୍ରୋଲ୍‌)ରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ କରିଆସୁଛି । ଉଭୟ ଚୀନ୍ ଓ ପାକିସ୍ତାନକୁ ମୁକାବିଲା କରିବା ପାଇଁ ଭାରତ ପ୍ରସ୍ତୁତି ଜୋରଦାର୍ କରିଥିବାବେଳେ ସୂତ୍ର ଅନୁସାରେ ସୀମାରେ ଉଭୟପକ୍ଷରୁ କ୍ଷେପଣାସ୍ତ୍ର ମୁତୟନ କରାଯାଇଛି । ଏତିକିବେଳେ ବାଲେଶ୍ୱର ଚାନ୍ଦିପୁର ଆଇଟିଆର୍‌ରୁ ତଥ୍ୟ ଲିକ୍ ଘଟଣା ପରିସ୍ଥିତିକୁ ସାଙ୍ଘାତିକ କରିଦେଇଛି । ଅନ୍ୟପକ୍ଷେ ଭଦ୍ରକର ‘ଡ. ଅବ୍‌ଦୁଲ୍ କଲାମ ଦ୍ୱୀପ’ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଭାରତର ପ୍ରତିରକ୍ଷା ପ୍ରଣାଳୀରେ ଆଗଧାଡ଼ିରେ ଥିବା ଆକାଶ, ପୃଥ୍ୱୀ, ଅଗ୍ନୀ ଭଳି ଅନେକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଏଠାରୁ ନିୟମିତ ଭାବରେ କରାଯାଉଛି । ତେଣୁ ଏହି କ୍ଷେପଣାସ୍ତ୍ର ଘାଟି ଉପରେ ସବୁବେଳେ ଶତ୍ରୁ ଦେଶର ନଜର ରହିଥିବା ଚର୍ଚ୍ଚାହୁଏ ।
ଡିଆର୍‌ଡିଓ(ପ୍ରତିରକ୍ଷା ଗବେଷଣା ଏବଂ ପ୍ରତିରକ୍ଷା ସଂଗଠନ) ଦେଶର ଏକ ସମ୍ବେଦନଶୀଳ ଅଂଶ ।

ଏହାର ଦୁଇଟି ଅଂଶ ଓଡ଼ିଶାରେ ରହିଛି । ଗୋଟିଏ ବାଲେଶ୍ୱରର ଚାନ୍ଦିପୁରରେ ଥିବାବେଳେ ଅନ୍ୟଟି ଭଦ୍ରକ ଜିଲ୍ଲାର ଡକ୍ଟର ଅବଦୁଲ୍ କଲାମ ଦ୍ୱୀପରେ (ହ୍ୱିଲର୍ ଦ୍ୱୀପ) ଅଛି । ଏହି ଦୁଇଟି ମଧ୍ୟରୁ ଅତୀତରେ ଚାନ୍ଦିପୁର ଆଇଟିଆର୍‌ରୁ ବାରମ୍ବାର ତଥ୍ୟ ଲିକ୍ ହୋଇଥିବା ଦେଖିବାକୁ ମିଳିଛି । ଏମିତିକି ନିକଟରେ ଚାନ୍ଦିପୁରରୁ ତଥ୍ୟ ଲିକ୍ ମାମଲାରେ ୫ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ସେହିପରି ଡ. ଅବଦୁଲ୍ କଲାମ ଦ୍ୱୀପରେ ମଧ୍ୟ ଡିଆର୍‌ଡିଓର ଅଧିକାଂଶ ‘କ୍ଷେପଣାସ୍ତ୍ର’ ଉତ୍‌କ୍ଷେପଣ ହୋଇଥାଏ । ଏଠାରେ ମଧ୍ୟ ପ୍ରତିରକ୍ଷା ସମ୍ପର୍କିତ ଗବେଷଣା ହେଉଛି । ତେଣୁ ଏଠାରୁ ତଥ୍ୟ ହାସଲ କରିବା ପାଇଁ ପାକିସ୍ତାନ, ଚୀନ୍ ଭଳି ଦେଶଗୁଡ଼ିକ ସବୁବେଳେ ଚାହିଁ ବସିଥାନ୍ତି । ଯଦି ଚାନ୍ଦିପୁର ଆଇଟିଆର୍‌ରୁ ତଥ୍ୟ ଚୋରି କରିବା ପାଇଁ ଶତ୍ରୁଦେଶ ଚେଷ୍ଟା ଚଳାଉଛନ୍ତି ।

ତା’ହେଲେ ଅବଦୁଲ୍ କଲାମ ଦ୍ୱୀପରୁ ମଧ୍ୟ ତଥ୍ୟ ଚୋରି କରିବାକୁ ଯୋଜନା ହେଉଥିବା ସନ୍ଦେହ କରାଯାଉଛି । ତେଣୁ ଏଠାକାର ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିବାର ବେଳ ଆସିଯାଇଛି। ଏସମ୍ପର୍କରେ ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ବିପିନବିହାରୀ ମିଶ୍ର କୁହନ୍ତି, ଡିଆର୍‌ଡିଓ ଚାନ୍ଦିପୁର ଓ ଅବଦୁଲ୍ କଲାମ ଦ୍ୱୀପ ନିଜର ଗୁଇନ୍ଦା ବିଭାଗ ରଖିବା ଉଚିତ୍ । ଯଦି ସେମାନେ ରଖିଛନ୍ତି, ତାକୁ ଶକ୍ତିଶାଳୀ କରନ୍ତୁ । ଯଦି ନାହିଁ ତା’ହେଲେ ଏବେ ଗଠନ କରନ୍ତୁ । ଏବେ ଏହା ଜରୁରି ହୋଇପଡ଼ିଛି । ‘ଆଣ୍ଟି ଇଣ୍ଟେଲିଜେନ୍ସି ଏଜେନ୍ସି’ ବା ‘କାଉଣ୍ଟର ଇଣ୍ଟେଲିଜେନି୍ସ ଏଜେନ୍ସି’ ମଧ୍ୟ ରଖିବା ଉଚିତ୍ । ଏହାସହ ନିଜ କର୍ମଚାରୀ ଓ ଅଧିକାରୀଙ୍କ ଉପରେ ନଜର ରଖନ୍ତୁ ।

ଏଠାରେ କାର୍ଯ୍ୟ କରୁଥିବା ସ୍ୱଳ୍ପ ବେତନଭୋଗୀ କର୍ମଚାରୀଙ୍କୁ ଟଙ୍କାର ଲୋଭ ଦେଖାଇ ଶତ୍ରୁ ଦେଶ କିଛି କାମ ଆଦାୟ କରିପାରିବେ । ତେଣୁ ଏଦିଗ ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ । ଏହାସହ ଡିଆର୍‌ଡିଓରେ ଠିକା କର୍ମଚାରୀ ବ୍ୟବସ୍ଥା ବନ୍ଦ କରିବା ଉଚିତ୍ । ଖାଲି ଏତିକି ନୁହେଁ, ଅଧିକାଂଶ ସମୟରେ କ୍ଷେପଣାସ୍ତ୍ର ଘାଟି ଭିତରକୁ ଅନଧିକୃତ ପ୍ରବେଶ ହେଉଥିବା ଦେଖିବାକୁ ମିଳେ । ଭିତର କର୍ମଚାରୀମାନେ ବାହାରୁ ଖାଦ୍ୟସାମଗ୍ରୀ ଅର୍ଡର କରନ୍ତି । ସେହି ଖାଦ୍ୟକୁ ଜଣେ ବାହାର ଲୋକ ଭିତରକୁ ନେଇ ଆସିଥାଏ । ସେହି ଲୋକଟି ଭିତରେ ଯାହା ଦେଖେ, ସେହି ସୂଚନା ବାହାରେ ପ୍ରଘଟ କରିଥାଏ । ସେ ଗୁପ୍ତଚର ନହୋଇ ମଧ୍ୟ ଅଜାଣତରେ ଏଭଳି କରିବସେ । ତେଣୁ କ୍ଷେପଣାସ୍ତ୍ର ଘାଟିକୁ ବାହାରୁ ଯେମିତି କେହି ନଆସିବେ, ସେନେଇ ମଧ୍ୟ ଦୃଷ୍ଟି ରଖିବା ଉଚିତ୍ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଭଦ୍ରକ ଜିଲ୍ଲା ଧାମରା ପୋର୍ଟ ନିକଟରେ ଏହି ହ୍ୱିଲର ଦ୍ୱୀପ ରହିଛି । ୨୦୧୫ ମସିହା ସେପ୍ଟେମ୍ବର ୪ ତାରିଖରେ ପୂର୍ବତନ ରାଷ୍ଟ୍ରପତି ଡ. ଏ.ପି.ଜେ ଅବଦୁଲ୍ କଲାମଙ୍କ ନାମରେ ଏହା ନାମିତ ହୋଇଛି । ଚାନ୍ଦିପୁର ଆଇଟିଆର୍‌ରୁ ଅଧିକାଂଶ କ୍ଷେପଣାସ୍ତ୍ର ତିଆରି କରାଯିବା ପରେ ଏଠାରେ ଉତ୍‌କ୍ଷେପଣ କରାଯାଇଥାଏ । ଏହି ଦ୍ୱୀପଟି ଶତ୍ରୁଦେଶର ନଜର୍‌ରେ ସବୁବେଳେ ରହିଛି । ବାରମ୍ବାର ଡିଆର୍‌ଡିଓରୁ ତଥ୍ୟ ଲିକ୍ ହେବା ପରେ ପ୍ରତିରକ୍ଷା ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ଭିନ୍ନଭିନ୍ନ ଚର୍ଚ୍ଚା ହେଉଛି । ଡିଆର୍‌ଡିଓକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ରୀୟ ଗୁଇନ୍ଦା ଓ ରାଜ୍ୟଗୁଇନ୍ଦା ବିଭାଗ ସବୁବେଳେ ସକ୍ରିୟ ହୋଇ କାର୍ଯ୍ୟ କରୁଛନ୍ତି ।

କିନ୍ତୁ ଅତୀତର କିଛି ଘଟଣା ଗୁଇନ୍ଦାର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛି । ତେଣୁ ଗୁଇନ୍ଦା ବିଭାଗ ଏବେ ଅଧିକ ସକ୍ରିୟ ହୋଇ କାମ କରିବା ଆବଶ୍ୟକ ବୋଲି ଜଣେ ପ୍ରତିରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି । କିଛିଦିନ ତଳେ ମାୟାବିନୀ ମହିଳାଙ୍କ ହନିଟ୍ରାପରେ ପଡ଼ି ଚାନ୍ଦିପୁର ଆଇଟିଆର୍‌ର ୫ଜଣ କର୍ମଚାରୀ ତଥ୍ୟ ଲିକ୍ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ସେମାନଙ୍କୁ ଗିରଫ ମଧ୍ୟ କରାଯାଇଛି । ସେହିପରି ଆତଙ୍କବାଦୀ ଲିଙ୍କ୍ ନେଇ ୨୦୧୫ ଜାନୁଆରୀ ୨୪ ତାରିଖରେ ଚାନ୍ଦିପୁର ଆଇଟିଆର୍‌ରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା କ୍ୟାମେରାମ୍ୟାନ୍ ତଥା ମୟୁରଭଞ୍ଜର ଇଶ୍ୱର ଚନ୍ଦ୍ର ବେହେରାଙ୍କୁ ବାଲେଶ୍ୱର ପୁଲିସ ଗିରଫ କରିଥିଲା । ପାକିସ୍ତାନର ଆଇଏସ୍‌ଆଇ ଏଜେଣ୍ଟ୍ ଭାବେ କାର୍ଯ୍ୟ କରୁଥିବା ଓ ଡ଼ିଆର୍‌ଡିଓର ଗୁରୁତ୍ୱପୂର୍ଣ୍ଣ ଫଟୋ ସହ ତଥ୍ୟ ପଠାଉଥିବା ନେଇ ଇଶ୍ୱରଙ୍କ ବିରୋଧରେ ଅଭିଯୋଗ ରହିଥିଲା । ଇଶ୍ୱର ଦୀର୍ଘଦିନ ଧରି ଗୁପ୍ତଚରଙ୍କୁ ତଥ୍ୟ ସେୟାର କରୁଥିବାବେଳେ ରାଜ୍ୟଗୁଇନ୍ଦା ଜାଣିପାରିନଥିଲା । ଏନ୍‌ଆଇଏ(ଜାତୀୟ ତଦନ୍ତକାରୀ ସଂସ୍ଥା)ର ସୂଚନା ଆଧାରରେ  ତାଙ୍କୁ ଗିରଫ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking