29.1 C
Bhubaneswar
Saturday, April 27, 2024
Homeଓଡିଶାରାୟଗଡ଼ାରେ ଆନ୍ଧ୍ର, ନିୟମଗିରିରେ କଳାହାଣ୍ଡି ହାତୀଙ୍କ ଦୌରାତ୍ମ୍ୟ 

ରାୟଗଡ଼ାରେ ଆନ୍ଧ୍ର, ନିୟମଗିରିରେ କଳାହାଣ୍ଡି ହାତୀଙ୍କ ଦୌରାତ୍ମ୍ୟ 

ରାୟଗଡା :  ରାୟଗଡ଼ାରେ ଆନ୍ଧ୍ର, ନିୟମଗିରିରେ ବଢ଼ି ଚାଲିଛି କଳାହାଣ୍ଡି ହାତୀପଲଙ୍କ ଦୌରାତ୍ମ୍ୟ । ମୁନିଗୁଡ଼ା, ଚନ୍ଦ୍ରପୁରକୁ ପଶି ଆସୁଛନ୍ତି କନ୍ଧମାଳ ହାତୀ । ଏକର ଏକର ଜମିରେ ଲାଗିଥିବା ଫସଲକୁ ନଷ୍ଟ କରିବା ସହ ଘର ମଧ୍ୟ ଭାଙ୍ଗୁଛନ୍ତି । ଫସଲ ଖାଇ ହାତୀପଲ ନିଜ ଇଲାକାକୁ ଫେରିଯିବା ପରେ ଚାଷୀଙ୍କ କ୍ଷତିପୂରଣ ଭରଣା କରୁଛି ରାୟଗଡ଼ା ବନଖଣ୍ଡ । ରାୟଗଡ଼ା ବନଖଣ୍ଡରେ ଅଛନ୍ତି ୮ ଟି ହାତୀ । ଗୁଡାରି ରେଞ୍ଜର ସରଦ୍ଧାପୁର ଜଙ୍ଗଲରେ ଏହି ହାତୀପଲ ରହୁଥିବା ବେଳେ କର୍ଲାପାଟ-ଉର୍ଲାଦାନି କରିଡର୍ ମଧ୍ୟରେ ଏମାନେ ଘୁରି ବୁଲୁଛନ୍ତି । ରାୟଗଡ଼ା ହାତୀପଲଙ୍କ ଅପେକ୍ଷା ଜିଲ୍ଲାରେ ଅଧିକ ତାଣ୍ଡବ ରଚାଉଛନ୍ତି ପଡୋଶୀ ଜିଲ୍ଲା ବାହାର ରାଜ୍ୟର ହାତୀପଲ । ହାତୀଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଥିବାରୁ ଅତିଷ୍ଠ ହୋଇ ପଡ଼ିଲେଣି ଜିଲ୍ଲାର ଚାଷୀ । ଚଳିତ ବର୍ଷ ଆଜି ସୁଦ୍ଧା ହାତୀ ପଲ ୧୨.୮୯ ଏକର ଜମିରେ ଫସଲ ନଷ୍ଟ କରିଥିବା ବନ ବିଭାଗ ରେକର୍ଡରୁ ଜଣା ପଡ଼ିଛି । ଯାହାର କ୍ଷତିପୂରଣ ବାବଦକୁ ବନ ବିଭାଗ ୪୭ ଚାଷୀଙ୍କୁ ୧୨ ଲକ୍ଷ ୮୯ ହଜାର ଟଙ୍କା ପ୍ରଦାନ କରିଛି । ୨୦୧୯-୨୦ ବର୍ଷରେ ୧୬୮ ଚାଷୀଙ୍କ ୪୫.୮ ଏକର ଜମିରେ ହୋଇଥିବା ଫସଲ ନଷ୍ଟ ବାବଦକୁ ୫ ଲକ୍ଷ ୧୭ ହଜାର ୬୬୦ ଟଙ୍କା, ୨୦୧୮-୧୯ରେ ୧୪୧ ଚାଷୀଙ୍କ ୩୬.୪୮ ଏକର ବାବଦକୁ ୩ ଲକ୍ଷ ୭୪ ହଜାର ୭୦୦ ଟଙ୍କା , ୨୦୧୭-୧୮ରେ ୫୮ ଚାଷୀଙ୍କ ୧୯.୨୦ ଏକର ବାବଦକୁ ୨ ଲକ୍ଷ ୧୩ ହଜାର ୮୨୦ ଟଙ୍କା, ୨୦୧୬-୧୭ରେ ୩୮୨ ଚାଷୀଙ୍କ ୬୧.୩୦ ଏକର ବାବଦକୁ ୪ ଲକ୍ଷ ୩୧ ହଜାର ୯୨୦ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି । ଏପରି ଭାବରେ ୫ ବର୍ଷରେ ୭୯୬ ଚାଷୀଙ୍କ ୧୭୫.୬୭ ଏକର ଜମିରେ ଫସଲ ନଷ୍ଟ ହୋଇଥିବା ବେଳେ ବନ ବିଭାଗ କ୍ଷତିପୂରଣ ବାବଦକୁ ଚାଷୀଙ୍କୁ ଦେଇଛି ୧୭ ଲକ୍ଷ ଟଙ୍କା । ୨୦୧୮-୧୯ ବର୍ଷରେ ହାତୀପଲ ଗୋଟିଏ ଘର ଭାଙ୍ଗିଥିବା ବେଳେ କ୍ଷତିପୂରଣ ବାବଦକୁ ୧୦ ହଜାର ଟଙ୍କା ସଂପୃକ୍ତ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ରାୟଗଡ଼ା ବ୍ଲକ କେରେଡା ପଞ୍ଚାୟତର ଅନିଜା, ବୋତରହଲୁଆ, ଏମ୍ପଲୱାଲାସାକୁ ଫସଲ ଅମଳ ସମୟରେ ପଶି ଆସୁଛନ୍ତି ଆନ୍ଧ୍ର ହାତୀପଲ । ନାରାୟଣପାଟଣା, ବନ୍ଧୁଗାଁ ଜଙ୍ଗଲ ଦେଇ ଏହି ହାତୀପଲ ରାୟଗଡ଼ାରେ ପଶିବା ପରେ ବନ ବିଭାଗ ଘଉଡାଇବା ପରେ ପୁଣି ଆନ୍ଧ୍ର ଅଭିମୁଖେ ଚାଲି ଯାଉଛନ୍ତି । ଆଗକୁ ଧାନ ଅମଳ ସମୟ ଆସୁଥିବାରୁ ପୁଣି ହାତୀପଲ ରାୟଗଡ଼ାମୁହାଁ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ସେହିପରି କଲ୍ୟାଣସିଂହପୁର, ବିଷମକଟକ ବ୍ଲକକୁ ଲାଗିଥିବା ନିୟମଗିରି ପାହାଡ଼ ଜନବସତି ଅଞ୍ଚଳରେ କଳାହାଣ୍ଡିର ୨୦ରୁ ୩୦ ଜଣିଆ ହାତୀପଲ ପ୍ରତି ବର୍ଷ ଉପଦ୍ରବ ଜାରି ରଖିଛନ୍ତି । କର୍ଲାପାଟ ଜଙ୍ଗଲରୁ ଆସୁଥିବା ହାତୀପଲ ଗୁମ୍ମା, ଲାମ୍ବା, ଡଙ୍ଗାମାଟି, ପଟାଙ୍ଗପଦର, ବଡଡେଙ୍ଗଲେଲି, ଡାଲିଆକୁଜି, ଦୁଆରଗୁଡ଼ି ଅଞ୍ଚଳରେ ଫସଲ ନଷ୍ଟ କରିବା ସହ ବାସଗୃହ ଓ ସ୍କୁଲ ଘରକୁ ଭାଙ୍ଗି ଦେଇଛନ୍ତି । ଗତ ବର୍ଷ ବିଷମକଟକର ଡାଲିଆକୁଜିରେ ହାତୀପଲ ସ୍କୁଲ ଘରକୁ ଭାଙ୍ଗି ଦେଇଥିଲେ । ଅନ୍ୟପକ୍ଷରେ କନ୍ଧମାଳ ହାତୀପଲ ମୁନିଗୁଡ଼ା, ଚନ୍ଦ୍ରପୁରରେ ବର୍ଷର ୩ ମାସ ଘୁରି ବୁଲୁଛନ୍ତି । ବେଲଘର, କୋଟଗଡ଼ ଜଙ୍ଗଲ ଦେଇ ହାତୀପଲ ବିଭିନ୍ନ ଗାଁରେ ପଶି ଧାନ ଫସଲ ଖାଇବା ସହ ଦଳି ଚକଟଇ ନଷ୍ଟ କରୁଛନ୍ତି । ହାତୀଙ୍କ ସହ ଫସଲ ଓ ଧନ ଜୀବନର ସୁରକ୍ଷା ପାଇଁ ରାୟଗଡ଼ା ବନଖଣ୍ଡରେ କର୍ଲାପାଟ-ଉର୍ଲାଦାନି, କୋଟଗଡ଼-ଚନ୍ଦ୍ରପୁର ଦୁଇଟି ହାତୀ କରିଡର୍ ରହିଛି । ଜନବସତିକୁ ନ ଆସିବା ପାଇଁ କରିଡର୍ ମଧ୍ୟରେ ହାତୀଙ୍କ ପାଣି ପିଇବା, ଗାଧୋଇବା ପାଇଁ ଜଳଶର୍ଯ୍ୟା, ଖାଦ୍ୟ ପାଇଁ କଇଠ, ଜାମ, ଆମ୍ବ, ସପୁରି ପଣସ, ବାଉଁଶ ଗଛ ଲଗାଯାଇଛି । ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବାକୁ ମୁନିଗୁଡ଼ା ରେଞ୍ଜ ଅଧୀନରେ ଏକ ୱାଚ୍ ଟାୱାର ମଧ୍ୟ ରହିଛି । ଏହା ସତ୍ତ୍ୱେ ହାତୀ ପଲ ଜନବସତି ଅଞ୍ଚଳକୁ ପଶି ଆସି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି । ତେବେ ଏ ନେଇ ବନ ବିଭାଗର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ କିନ୍ତୁ ପ୍ରତିକ୍ରିୟା ମିଳିପାରିଲା ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking