24.1 C
Bhubaneswar
Thursday, May 9, 2024
Homeଦୀପାବଳୀ/କାଳୀପୂଜା-୨୦୨୩ଆସୁଛି ଆଲୋକର ପର୍ବ ଦୀପାବଳି

ଆସୁଛି ଆଲୋକର ପର୍ବ ଦୀପାବଳି

ଭୁବନେଶ୍ୱର : ଭାରତୀୟମାନଙ୍କର ଦୀପାବଳି ଏକ ଆଲୋକର ପର୍ବ । ଏହି ପର୍ବ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ହୋଇ ଥିବାରୁ ଘରକୁ ରଙ୍ଗିନ୍ ସାଜସଜ୍ଜା ସହ ମାଟି ନିର୍ମିତ ଦୀପ ଜାଳି କରି ଏହି ପର୍ବକୁ ପାଳନ କରାଯାଏ । ଏହି ପର୍ବକୁ ଅନେକ ଶ୍ରଦ୍ଧାରେ ଆଲୋକର ଉତ୍ସବ, ଆଲୋକର ପର୍ବ , ଦିୱାଲି ବୋଲି କହିଥାନ୍ତି । ବିଶେଷ କରି ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ ଧର୍ମାବଲମ୍ବୀ ଏହାକୁ ପାଳନ କରନ୍ତି । ଘରକୁ ବିଭିନ୍ନ ଅଲୋକମାଳାରେ ସଜାଇବା, ବାଣ ଫୁଟାଇବା, ମିଠା ଓ ଉପହାର ବାଣ୍ଟି ଆନନ୍ଦ ସହିତ ଏହି ପର୍ବ ପାଳନ କରାଯାଏ ।କିମ୍ବଦନ୍ତୀ ଅନୁସାରେ କାର୍ତ୍ତିକ ଅମାବାସ୍ୟାରେ ଦୀପାବଳୀ ଉତ୍ସବ ପାଳନ କରାଯାଏ । ଲୋକାକ୍ତିରେ ପୟାଅମାବାସ୍ୟା ବା ପୟାଶ୍ରାଦ୍ଧ ଦିବସ କୁହାଯାଏ । ଅନେକ ଶ୍ରୀକ୍ଷେତ୍ରର ବାଇଶି ପାହାଚରେ ପିଣ୍ଡଦାନ କରି ପିତୃଗଣଙ୍କ ଆଶୀର୍ବାଦ ଭିକ୍ଷା କରନ୍ତି । “ପିତୃ ଲୋକଂ ପରିତାଜ୍ୟ ଆଗତା ଯେ ମହାଳୟେ ଇଜ୍ଜ୍ୱଳେ ଜ୍ୟୋତିଷାଂ ମାର୍ଗେ ପ୍ରପଦ୍ୟନ୍ତୋ ବ୍ରଜନ୍ତୁତେ ।” ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରନ୍ତି । କାଉଁରିଆ କାଠି ଜାଳି ବଡବଡୁଆଙ୍କୁ ଡାକନ୍ତି- ” ବଡ଼ବଡୁଆ ହୋ ଅନ୍ଧାରରେ ଆସ ଆଲୁଅରେ ଯା’ ପୁରୁଷୋତ୍ତମରେ ମହାପ୍ରସାଦ ଖାଇ ବାଇଶି ପାବଛେ ଗଡ଼ଗଡାଉ ଥା’ ।”
ପୌରାଣିକ ମତବାଦ ଓ ଧର୍ମୀୟ ବିଶ୍ୱାସରେ ବାନ୍ଧି ହୋଇ ରହିଥିବା ଏହି ପର୍ବକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ଏକ କୃଷିଭିତ୍ତିକ ବିଧି । ପ୍ରାଚୀନ କଳିଙ୍ଗର ତାର କୃଷିକ୍ଷେତ୍ର ଓ ତତସହିତ ପୁରପଲ୍ଲୀରେ ଫସଲର ପୋକ ନିୟନ୍ତ୍ରଣ ପାଇଁ ପାଳନ ହେଉଥିଲା । ଓଡ଼ିଶା ଧାନ ଚାଷରେ ସମୃଦ୍ଧ ଥିଲା । ଏହାର ଚାଷ ପ୍ରଣାଳୀ ମଧ୍ୟ ବିଜ୍ଞାନ ସମ୍ମତ । ଗବେଷକମାନେ ରୋଗପୋକ ଦମନ ପାଇଁ ଓଡ଼ିଆମାନେ ଯେ ନିମ୍ବ ପତ୍ର ଓ ଆଲୋକ ଦିହୁରୀର ବହୁଳ ଉପଯୋଗ କରୁଥିବାର ମତ ଦିଅନ୍ତି । ‘ଅନଳ ଦେଖିଣ ପତଙ୍ଗ ଧାବନ୍ତି ହୋଇ ଉଦବେଗ ।’ କାର୍ତ୍ତିକ ମାସର ଅମାବାସ୍ୟା ଆଡକୁ ପୋକ ଏତେ ପ୍ରବଳ ହୁଏ ଯେ ଘନ ରାତ୍ରୀରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ । ଅମାବାସ୍ୟା ପୂର୍ବ ପରକୁ ମିଶାଇ ପାଞ୍ଚ ଦିନ ମଶାଲ, ଦିହୁରୀ, ଦୀପ, ଲଣ୍ଠନ ଆଦି ଜଳାଇ ପୋକଙ୍କୁ ଆଲୋକ ପ୍ରତି ଆକୃଷ୍ଟ କରି ଦମନ କରାଯାଏ ।ଦୀପାବଳୀରେ ସମଗ୍ର ଭାରତରେ ଦିବ୍ୟ ଜନନୀଙ୍କର ନାନା ରୂପରେ ପୂଜା କରାଯାଏ । ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳୀ ମା’ କାଳୀଙ୍କ ପୂଜା କରାଯାଏ । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ । ମାଟିରେ ତିଆରି ମୂର୍ତ୍ତି ସହ ବିଭିନ୍ନ ଶକ୍ତି ପୀଠରେ ଏହା ପାଳିତ ହୁଏ । ସେହିପରି ଭାରତର ଅନ୍ୟାନ୍ୟ ଅଂଶରେ ଦୀପାବଳୀ ଲକ୍ଷ୍ମୀ ପୂଜାର ସମୟ । ବିଶେଷ କରି, ଉତ୍ତର ଭାରତରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ । ସେହି ସବୁ ଅଞ୍ଚଳରେ ଏହା ଏକ ମୁଖ୍ୟ ପର୍ବ ରୂପେ ପାଳିତ ହୋଇଥାଏ । ମିଥିଳା ଓ ନେପାଳରେ ଏହି ପର୍ବରେ ମହାନିଶାଙ୍କ ପୂଜାର୍ଚ୍ଚନା କରାଯାଏ । ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ବଧକରିବା ପରେ ମା’ ସୀତାଙ୍କୁ ଧରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କଲେ । ଅଯୋଧ୍ୟାର ପ୍ରଜାମାନେ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ନାନା ପ୍ରକାର ଆଲୋକ ଜଳେଇଥିଲେ । ସେହି ଦିନରୁ ଏହି ଉତ୍ସବ ପାଳନ ହୋଇ ଆସୁଛି । ଉତ୍ତର ଭାରତରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତମାନେ ଏହି ଦିନକୁ ବହୁ ଯାକଜମକରେ ପାଳନ କରନ୍ତି । ‘ଉତ୍ସବ ତତ୍ତ୍ୱାଭିଧାନ’ ଅନୁଯାୟୀ ଏକଦା କାର୍ତ୍ତିକ(ତୁଳା)ମାସ- ଘନଅନ୍ଧକାର କୃଷ୍ଣପକ୍ଷରେ ଜଣେ ଭବିଷ୍ୟଦ୍ରଷ୍ଟା ଜ୍ୟୋତିଷ ପ୍ରଭୁ ଶ୍ରୀରାମଙ୍କୁ ବିପର୍ଯ୍ୟସ୍ଥ ଦୁର୍ଭାଗ୍ୟ କାଳସର୍ପ ରୂପେ ଅମାରାତିରେ ଦଂଶନକରିବା ପାଇଁ ଲୁଚିଛପି ଆସିବାର ଭବିଷ୍ୟବାଣୀ କରିଥିଲେ । ସତର୍କତା ପୂର୍ବକ ଅଯୋଧ୍ୟା ରାଜନଗରୀର କୃଷ୍ଣପକ୍ଷ ସାରା ଉଜ୍ଜଳ ଆଲୋକ ପ୍ରଜ୍ଜଳନ କରାଯାଇ ସେହି କାଳସର୍ପ ଦଂଶନର ଚକ୍ରାନ୍ତକୁ ପଣ୍ଡ କରାଯାଇଥିଲା । ପୁରାଣରେ ଉଲ୍ଲେଖ ଅଛି ଦୈତ୍ୟରାଜ ବଳିଙ୍କର ଦାନ ଧର୍ମ ଦେଖି ସ୍ୱର୍ଗର ଦେବତାମାନଙ୍କ ଭାଳେଣି ପଡ଼ିଗଲା । ବଳି ପୂଣ୍ୟ ଫଳରେ ସ୍ୱର୍ଗପୁରର ଅଧିକାରୀ ହେଇପାରନ୍ତି । ତେଣୁ ଦେବତାମାନଙ୍କ ପ୍ରାର୍ଥନାରେ ବିଷ୍ଣୁ ବାମନ ଅବତାର ନେଇ ବଳିଙ୍କ ପାଖରେ ପହଞ୍ଚି ତାଙ୍କୁ ତିନିପାଦ ଭୂମି ମାଗିଥିଲେ । ଗୋଟିଏ ପାଦରେ ପୃଥିବୀ, ଅନ୍ୟ ଗୋଟିଏ ପାଦରେ ସ୍ୱର୍ଗ ଓ ତୃତୀୟ ପାଦରେ ବଳିଙ୍କୁ ପାତାଳକୁ ଚାପି ଦେଲେ । ତା’ ପରେ ବଳିଙ୍କ ପ୍ରାର୍ଥନା କରିବାରୁ ବର୍ଷକରେ ଥରେ ମର୍ତ୍ତ୍ୟପୁରକୁ ଆସି ପ୍ରଜାମାନଙ୍କୁ ଦର୍ଶନ କରିବାକୁ ବିଷ୍ଣୁ ଏଥିରେ ସମ୍ମତି ଜଣାଇ କାର୍ତ୍ତିକ ଶୁକ୍ଲ ପ୍ରତିପଦା ଦିନ ବଳି ମର୍ତ୍ତ୍ୟକୁ ଆସିବାକୁ ବରଦାନ କରିଥିଲେ । ସେହି ଦିନଠାରୁ ମର୍ତ୍ତ୍ୟବାସୀ ଆନନ୍ଦରେ ଦୀପ ଜାଳି ଆଲୋକିତ କରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking