31.1 C
Bhubaneswar
Tuesday, May 7, 2024
Homeଓଡିଶାସରକାରୀ ଯୋଜନା ବାହାରେ ବିଜାଡିହି ମହ୍ଲାର ଜନଜାତି

ସରକାରୀ ଯୋଜନା ବାହାରେ ବିଜାଡିହି ମହ୍ଲାର ଜନଜାତି

ଢେଙ୍କାନାଳ : ଓଡିଶାରେ ବସବାସ କରୁଥିବା ୬୮ ପ୍ରକାର ଜନଜାତିଙ୍କ ମଧ୍ୟରେ ୧୩ ପ୍ରକାର ଆଦିମ ଆଦିବାସୀଙ୍କ ମଧ୍ୟରେ ମହ୍ଲାର ଜନଜାତି ଭିନ୍ନ ଅଟେ । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଜଙ୍ଗଲ ତଟବର୍ତି ଗାଁ’ ଗୁଡିକରେ ସେହିମାନେ ବସବାସ କରିଥାନ୍ତି । ମାତ୍ର ଏବେ ସେମାନଙ୍କ ନିମନ୍ତେ ବାସଗୃହ ନିର୍ମାଣ ସହିତ ମୌଳିକ ସୁବିଧାର ବ୍ୟବସ୍ଥା କରିଛନ୍ତି । ଏସବୁ ସତ୍ୱେ ବି ଯୋଜନା ବାହାରେ ରହି ଯାଇଛନ୍ତି। ବିଜାଡିହି ଗ୍ରାମରେ ବସବାସ କରୁଥିବା ମହ୍ଲାର ଜନଜାତି ପରିବାର । ନାଁ’ ସେମାନଙ୍କ ନିକଟରେ ଅଛି ଦିନକୁ ଦୁଇ ଓଳି ଖାଇବାକୁ, ନାଁ’ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡିଏ ଚାଳଛପର ଘର, ନାଁ’ ପିନ୍ଧିବାକୁ ଲୁଗା । ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ଆମୋଦ ପ୍ରମୋଦକୁ କିଏ ବା ପଚାରେ ।

ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ମହୁଲପାଳ ଗ୍ରାମ ପଂଚାୟତର ବିଜାଡିଡି ଗ୍ରାମ ସୁନ୍ଦୁରେଇ ମଣ୍ଡପ ପାହାଡ ପାଦଦେଶରେ ୪ଟି ମହ୍ଲାର ଜାତିର ପରିବାର ସ୍ଥାୟୀ ଭାବରେ ୧୯୮୫ ମସିହାଠାରୁ ବସବାସ କରି ଆସୁଛନ୍ତି । ମହ୍ଲାର ଜନଜାତିର ଚଉବନ ଦେହୁରୀ ନିକଟସ୍ଥ ବେଲବସନ୍ତ ଗ୍ରାମରୁ ଆସି ଏଠାରେ ରହି ଜଙ୍ଗଲ ଜାତ ଦ୍ରବ୍ୟ ମହୁ, ଝୁଣା, ଲାଖ ଆଦି ନିକଟସ୍ଥ ଜଙ୍ଗଲରୁ ସଂଗ୍ରହ କରି ପରିବାର ଚଳାଇଥା’ନ୍ତି । କାଳକ୍ରମେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ଏବେ ସେଠାରେ ୪ଟି ପରିବାର ବସବାସ କରୁଛନ୍ତି । ସେମାନଙ୍କର ନାମ ଭୋଟର ତାଲିକାରେ ଥିଲେ ମଧ୍ୟ ସରକାରଙ୍କ ତରଫରୁ କୌଣସି ସୁବିଧା ସୁଯୋଗ ପାଇନଥିବାରୁ ଗତ ସାଧାରଣ ନିର୍ବାଚନ ବର୍ଜନ କରିଥିଲେ ।

ସବୁ ସରକାରୀ ଯୋଜନା ଗୁଡିକ ସେମାନଙ୍କ ପାଇଁ ସ୍ୱପ୍ନ ପାଲଟିଯାଇଛି । ବହୁବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଉନାହିଁ । ପ୍ରତ୍ୟେକଟି ପରିବାରେ ୪ରୁ୫ ଟି ଛୋଟ ପିଲା ରହିଛନ୍ତି । ସେମାନଙ୍କ ନିକଟରେ ଘର ନଥିବାରୁ ସେମାନେ ଗୋଟିଏ ବରଡାରେ ନିର୍ମିତ କୁଡିଆରେ ଗୁଞ୍ଜାଗୁଞ୍ଜି ହୋଇ ରହିଥାନ୍ତି । ଛୋଟ ପିଲା ଠାରୁ ବୃଦ୍ଧ ଲୋକ ପର୍ଯ୍ୟନ୍ତ କାହାର ବି ଖଣ୍ଡିଏ ଭଲଲୁଗା ନାହିଁ ପିନ୍ଧିବାକୁ । ଚିରାଫଟା ଲୁଗା ପିନ୍ଧିବାକୁ ସେମାନେ ବାଧ୍ୟ ହୋଇଥାନ୍ତି ।

ଅର୍ଥାଭାବରୁ ସେମାନଙ୍କର ଗୋଟିଏ ହେଲେ ବି ଛୋଟ ପିଲା ସ୍କୁଲ ମାଟି ମାଡିପାରୁ ନାହାନ୍ତି । ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ସେମାନଙ୍କୁ ଜୀବନ ବିତାଇବାକୁ ପଡୁଛି । ସେହି ବସ୍ତିର ମହିଳା ଦୁତି ପ୍ରଧାନ କୁହନ୍ତି, ଆମ ପାଇଁ ଇନ୍ଦିରା ଆବାସ ଘର ନାହିଁ କି ଚାଉଳ ନାହିଁ । ଆମ ଆଖି ସାମ୍ନାରେ ଗ୍ରାମରେ ନ ପାଇବା ଲୋକ ପାଉଛନ୍ତି କିନ୍ତୁ ପ୍ରକୃତ ଲୋକ ସେଥିରୁ ବଂଚିତ ହେଉଛନ୍ତି । ସରକାରୀ ବାବୁ ମାନେ ଆମ୍ଭମାନଙ୍କ କଥା କେହି ଶୁଣୁନଥିବା ସେ କହିଛନ୍ତି । ଗତ ବର୍ଷ ଗ୍ରାମରେ ସମସ୍ତଙ୍କ ଘରକୁ ମାଗଣା ବିଦ୍ୟୁତ ସଂଯୋଗ କରାଯାଇଥିଲା ମାତ୍ର ସେମାନଙ୍କ ଘରୁକୁ ଦିଆଯାଇନଥିଲା ।

ସେହି ମହ୍ଲାର ଜନଜାତିର ମିନି ଦେହୁରୀ କୁହନ୍ତି କି ଆମର ଆଧାର କାର୍ଡ ନାହିଁ କି ଆମର ଜାଗା ନାହିଁ । କାହାକୁ ଭତା କି ଚାଉଳ ମିଳୁ ନଥିବାରୁ ଆମ୍ଭେମାନେ ମୂଲ ମଜୁରୀ କରି ଚଳିଥାଉ । ରାଜ୍ୟ ସରକାରଙ୍କର କୌଣସି ବି ସୁବିଧା ସୁଯୋଗ ମିଳୁନଥିବା ସେମାନେ କହିଛନ୍ତି । ଆମର ପିଲାମାନଙ୍କ ମୁହଁରେ ଆହାର ମୁଠାଏ ଦେଇପାରୁନଥିବା କହିଛନ୍ତି । ପୁରୁଷ ଲୋକମାନେ ଯାହା ମୂଲ ମଜୁରି କରି ଯାହା ରୋଜଗାର କରିଥାନ୍ତି ସେମାନେ ପାଉଚ ମଦ ପିଇ ଉଡାଇ ଦେଇଥାନ୍ତି । ଆମ୍ଭେମାନେ ଚଳିବା ବହୁ କଷ୍ଟକର ହୋଇପଡୁଛି । ପିଲାମାନଙ୍କୁ ସ୍କୁଲ ଯିବାକୁ ଆମେ କହୁଛୁ ହେଲେ ସେମାନେ ନାରାଜ ହେଉଛନ୍ତି ।

ଦୁଃଖର ବିଷୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟର ବିକାଶର ଗୋଲାପି ଛବିକୁ ନେଇ ବାହାଃଷ୍ପଟ ନେଉଛନ୍ତି । ଏବେବି ବିଜାଡିହି ମହ୍ଲାର ଜନଜାତିର ପିଲାଏ ପୁଷ୍ଟିହିନତାର ଶିକାର ହେଉଛନ୍ତି । ଏଠାରେ ଶିକ୍ଷା ଅଧିକାର ବାଟବଣା ହେବା ସହିତ ମୁଣ୍ଡ ଗୁଞ୍ଜିବାକୁ ଗୋଟିଏ ଘର, ପିନ୍ଧିବାକୁ ଲୁଗା ଓ ଖାଇବାକୁ ମୁଠାଏ ଦାନା ନଥିବା ସେମାନେ କହିଛନ୍ତି । ତେବେ ନାହିଁ ନଥିବା ଅସୁବିଧାର ସହିତ ଜୀବନ ବିତାଉଥବା ବିଜାଡିହି ଜନଜାତିଙ୍କ ପାଇଁ କେବେ ସରକାର ଓ ପ୍ରଶାସନର ନଜର ପଡିବ ସେ ଦିନକୁ ସେମାନେ ଚାତକ ପରି ଚାହିଁ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking