29.1 C
Bhubaneswar
Monday, May 6, 2024
Homeଓଡିଶାଅଭିଯୋଗର ବର୍ଷେ ପରେ ବି ନାହିଁ କାର୍ଯ୍ୟାନୁଷ୍ଠାନ, ୭ ଦିନରେ ସମାଧାନ ନହେଲେ ଏନ୍‌ଏଚ୍ ଅବରୋଧ

ଅଭିଯୋଗର ବର୍ଷେ ପରେ ବି ନାହିଁ କାର୍ଯ୍ୟାନୁଷ୍ଠାନ, ୭ ଦିନରେ ସମାଧାନ ନହେଲେ ଏନ୍‌ଏଚ୍ ଅବରୋଧ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ଅନେକ ଗ୍ରାମରେ ନଳକୂପ ଗୁଡ଼ିକରେ ଫ୍ଲୋରାଇଡ୍‌ଯୁକ୍ତ ପାଣି ବାହାରୁଥିବାନେଇ ଅଭିଯୋଗ ହୋଇଆସୁଅଛି । ଫ୍ଲୋରାଇଡ୍‌ଯୁକ୍ତ ପାଣିକୁ ପାନୀୟଜଳ ଭାବରେ ବ୍ୟବହାର ଯୋଗୁଁ ଜିଲ୍ଲାରେ କି୍‌ଡନୀ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଥିବା ବେଳେ ଅନେକ ଲୋକ ମୃତ୍ୟୁର ଶୀକାର ହୋଇସାରିଲେଣି । ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ଅନେକ ନଳକୂପର ପାଣି ନମୁନା ସଂଗ୍ରହ କରି ପରୀକ୍ଷା କରିବାପରେ ନଳକୂପର ପାଣି ବ୍ୟବହାର ଉପଯୋଗୀ ହୋଇନଥିବା ଯୋଗୁଁ ନାଲିରଙ୍ଗର ଛକି ଦିଆଯାଇଛି । କିନ୍ତୁ ଲୋକଙ୍କ ପାଖରେ ପାନୀୟଜଳର ବିକଳ୍ପ ନଥିବାରୁ ସେହି ନଳକୁପ ଗୁଡ଼ିକର ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଥିବା ଜଣାଯାଇଛି । ଗୁରୁବାର ଏହିପରି ଏକ ଅଭିଯୋଗ ନେଇ ବୌଦ୍ଧ ବ୍ଲକ୍ ଶଗଡ଼ା ପଞ୍ଚାୟତର ଝାଙ୍କରପଡ଼ା ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।  ଗ୍ରାମବାସୀ ଏକବର୍ଷ ତଳେ ଗ୍ରାମର ନଳକୂପରୁ ଫ୍ଲୋରାଇଡ୍‌ଯୁକ୍ତ ପାଣି ବାହାରୁଥିବାରୁ ଆଉ ଦୁଇଟି ନଳକୂପ ଖୋଳିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଜିଲ୍ଲାପାଳ ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମର ନଳକୂପରୁ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ନିଆଯିବା ପରେ ଏକବର୍ଷ ପର୍ଯ୍ୟନ୍ତ ବିଭାଗୀୟ କର୍ମଚାରୀଙ୍କ ଆଉ ଦେଖା ମିଳିନଥିଲା । ପାଣି ନମୁନାର ପରୀକ୍ଷା ରିପୋର୍ଟ ସମ୍ପର୍କରେ ବ୍ଲକ୍‌ର ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଫ୍ଲୋରାଇଡ୍‌ଯୁକ୍ତ ପାଣି ବାହାରୁଥିବାରୁ ନଳକୂପର ପାଣି ବ୍ୟବହାର ନକରିବାକୁ ଗ୍ରାମବାସୀଙ୍କୁ କହିଥିଲେ । ଗ୍ରାମରେ ୫ଶହ ଲୋକଙ୍କ ପାଇଁ ମାତ୍ର ତିନୋଟି ନଳକୂପ ରହିଥିବାବେଳେ ସେଥିରୁ ଦୁଇଟି ନଳକୂପର ପାଣି ବ୍ୟବହାର ଉପଯୋଗୀ ନୁହେଁ । ତେଣୁ ଆଉ ଦୁଇଗୋଟି ନଳକୂପ ଖୋଳାଇଦେବାକୁ ଗ୍ରାମବାସୀ ନିବେଦନ କରିଥିଲେ । କିନ୍ତୁ ଅଭିଯୋଗ କରିବାର ଏକବର୍ଷ ପରେ ମଧ୍ୟ ଗ୍ରାମରେ ନଳକୂପ ଖୋଳାଯାଇ ନଥିବା ବେଳେ ଗ୍ରାମବାସୀଙ୍କୁ ପାନୀୟଜଳ ପାଇଁ ପ୍ରାୟ ତିନି କିଲୋମିଟର ଯିବାକୁ ପଡ଼ୁଥିବା ଅଭିଯୋଗ କରିଛନ୍ତି । ଜିଲ୍ଲାରେ ତିନୋଟିଯାକ ବ୍ଲକ୍‌ର ପ୍ରତି ପରିବାରକୁ ମହାନଦୀରୁ ପାନୀୟଜଳ ଯୋଗାଇଦେବାକୁ ସରକାର ଅନୁଦାନ ଯୋଗାଇ ଦେଇଥିବାବେଳେ  ବୌଦ୍ଧ ଓ କଣ୍ଟାମାଳ ବ୍ଲକ୍‌ରେ ଏଲ୍‌ଏଣ୍ଡ୍‌ଟି ସଂସ୍ଥା ଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଅଛି । ତେଣୁ ବିଭାଗ ପକ୍ଷରୁ ଆଉ ନୂତନ ନଳକୂପ ଖୋଳାଇବା ଦିଗରେ ଆଗ୍ରହ ପ୍ରକାଶ କରାଯାଉନଥିବା ଜଣାଯାଇଛି । ଗ୍ରାମରେ ବ୍ୟବହାର ଉପଯୋଗୀ ନଳକୂପ ନରହିଲେ ପାନୀୟଜଳ ପାଇଁ ଆଉ କେତେଦିନ କଷ୍ଟ ଭୋଗ କରିବୁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଆଗକୁ ଗ୍ରୀଷ୍ମଦିନ ଆସୁଥିବାବେଳେ ପାନୀୟଜଳ ପାଇଁ ଗ୍ରାମବାସୀମାନେ ଆଶଙ୍କାରେ ରହିଛନ୍ତି । ତେଣୁ ଆସନ୍ତା ୭ଦିନ ମଧ୍ୟରେ ଗ୍ରାମବାସୀଙ୍କ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାନଗଲେ ଆଇନ୍ ହାତକୁ ନେଇ ଜାତୀୟ ରାଜପଥ ଅବରୋଧ କରିବୁ ବୋଲି ଚେତାବନୀ ଦେଇଛନ୍ତି । ରଘୁନାଥ ପଲିଆଙ୍କ ନେତୃତ୍ୱରେ ଝାଙ୍କରପଡ଼ା ଗ୍ରାମବାସୀ ବୌଦ୍ଧ ଆସି ଗ୍ରାମ୍ୟ ପାନୀୟଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିବାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଅତିରିକ୍ତ ଜିଲ୍ଲାପାଳ ଏନ୍‌ସି ଜ୍ୟୋତିରଞ୍ଜନ ନାଏକଙ୍କୁ ଦାବିପତ୍ର ପ୍ରଦାନ ସହ ତୁରନ୍ତ ପାନୀୟଜଳ ସମସ୍ୟାର ସମାଧାନ କରିବାକୁ ନିବେଦନ କରିଥିଲେ । ପରେ ଗ୍ରାମବାସୀ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ମଧ୍ୟ ସାକ୍ଷାତ କରି ଅଭିଯୋଗ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking