30.1 C
Bhubaneswar
Thursday, May 9, 2024
Homeଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନଓଡ଼ିଆ ଭାଷା ଗବେଷଣା ପାଇଁ କର୍ପସ ପାଣ୍ଠି

ଓଡ଼ିଆ ଭାଷା ଗବେଷଣା ପାଇଁ କର୍ପସ ପାଣ୍ଠି

ଭୁବନେଶ୍ୱର: ଓଡ଼ିଆ ଭାଷାରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଗବେଷଣା ନିମନ୍ତେ ୧୦ କୋଟି ଟଙ୍କା ଅନୁଦାନରେ ଏକ କର୍ପସ ପାଣ୍ଠି ଗଠନ କରାଯିବ। ପୁରୀ ଜିଲା ସତ୍ୟବାଦୀଠାରେ ପ୍ରତିଷ୍ଠିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ଜରିଆରେ ଏହା କାର୍ୟ୍ୟକାରୀ ହେବା ନେଇ ନିଷ୍ପତ୍ତି ହୋଇଛି। ସେହିପରି ଓଡ଼ିଆ ଭାଷାକୁ ଡିଜିଟାଲ ପଦ୍ଧତି ସହ ସମନ୍ବିତ କରିବା ପାଇଁ ପ୍ରତିବର୍ଷ ଏକ ଅନ୍ତର୍ଜାତୀୟ ଡିଜିଟାଲ ଓଡ଼ିଆ ସମ୍ମିଳନୀ ଆୟୋଜନ କରାଯିବ। ସମ୍ମିଳନୀ ମାଧ୍ୟମରେ ବିଶେଷଜ୍ଞ ଓ ଭାଷାବିତ୍‌ମାନଙ୍କୁ ଏକାଠି କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଗୃହୀତ ପ୍ରସ୍ତାବ ଭିତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା ନିଷ୍ପତ୍ତି ସମ୍ପର୍କରେ ମନ୍ତ୍ରୀ ପାତ୍ର ବୁଧବାର ବିଧାନସଭାରେ ଏହି ଘୋଷଣା କରିଛନ୍ତି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, କମ୍ପ୍ୟୁଟର କି-ବୋର୍ଡ ଏବଂ ଫଣ୍ଟରେ ବ୍ୟବହୃତ ଓଡ଼ିଆ ଲିପିର ମାନକୀକରଣ ନିମନ୍ତେ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ। ଏହି କମିଟି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହାର କାର୍ୟ୍ୟକାରିତା ନିମନ୍ତେ ପ୍ରସ୍ତାବ ଦେବେ। ସେହିଭଳି ରାଜ୍ୟ ସରକାର ପ୍ରଥମ ପର୍ୟ୍ୟାୟରେ ୧,୫୦୦ ହାଇସ୍କୁଲରେ ସ୍ବତନ୍ତ୍ର ଭାବେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଦେବେ। ପରବର୍ତ୍ତୀ ପର୍ୟ୍ୟାୟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ ହାଇସ୍କୁଲ ଏହି କାର୍ୟ୍ୟକ୍ରମର ଅନ୍ତର୍ଭୁକ୍ତ ହେବ। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସ୍କୁଲ ଓ କଲେଜଗୁଡ଼ିକୁ ୧ କୋଟି ଟଙ୍କା ଓ ସ୍ବାଧୀନତା ପୂର୍ବର ବିଶ୍ୱବିଦ୍ୟାଳୟକୁ ୨ କୋଟି ଟଙ୍କାର ଐତିହ୍ୟ ଅନୁଦାନ ଯୋଗାଇ ଦିଆଯିବ। ଏହା ଆମ ଓଡ଼ିଆ-ମାଧ୍ୟମ ଶିକ୍ଷା ବ୍ୟବସ୍ଥାର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ବ୍ୟବହୃତ ହେବ।

ଏକ ଅନୁବାଦ ନୀତି ପ୍ରଣୟନ କରି ଭାରତ ତଥା ବିଶ୍ୱର ଅନ୍ୟାନ୍ୟ ଭାଷାରେ ଓଡ଼ିଆ ପୁସ୍ତକର ଅନୁବାଦ ପାଇଁ ଅନୁଦାନର ବ୍ୟବସ୍ଥା କରାଯିବ। ବିଭିନ୍ନ ବିଷୟରେ ଓଡ଼ିଆ ଭାଷାର ବ୍ୟବହାରକୁ ସରଳ ଓ ସୁଗମ କରିବା ପାଇଁ ଏକ ସଂଶୋଧିତ ଶବ୍ଦାବଳୀ ଓ ଶବ୍ଦକୋଷ ପ୍ରସ୍ତୁତ କରିବା ନିମନ୍ତେ ଓଡ଼ିଆ ଶବ୍ଦକୋଷ କମିଟି ଗଠନ ହେବ। ଓଡ଼ିଆ ଭାଷାରେ ବିଜ୍ଞାନ, ବୈଷୟିକ ଶିକ୍ଷା ଓ ଡାକ୍ତରୀ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ମଧ୍ୟବର୍ତ୍ତିକାଳୀନ ନୀତି ପ୍ରଣୟନ କରାଯିବ। ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଆ ଭାଷାରେ ପ୍ରୟୋଜନ ଥିବା ପ୍ରାସଙ୍ଗିକ ପୁସ୍ତକ ପ୍ରକାଶନ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେବେ।

ଭବିଷ୍ୟତ ପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷାକୁ ଲୋକପ୍ରିୟ କରିବା ପାଇଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସ୍ବତନ୍ତ୍ର କାର୍ୟ୍ୟକ୍ରମ ଗ୍ରହଣ କରାଯିବ। ଏଥିରେ ପ୍ରତିବର୍ଷ ଓଡ଼ିଆ ଭାଷାର ୧୦୦ଜଣ ଉଦୀୟମାନ ପ୍ରତିଭାଙ୍କୁ ଚୟନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସେମାନଙ୍କୁ ସମ୍ମାନିତ କରାଯିବ। ଭାଷା ବୃତ୍ତି ପୁରସ୍କାର ରାଶିର ପରିମାଣ ଓ ସଂଖ୍ୟା ବୃଦ୍ଧି କରାଯିବ। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ପାଇଁ ‘ମୁଖ୍ୟମନ୍ତ୍ରୀ କପ୍‌’ ଆରମ୍ଭ ହେବ। ରାଜ୍ୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ପଠନ ଅଭ୍ୟାସ ବୃଦ୍ଧି ପାଇଁ ସର୍ବସାଧାରଣ ପାଠାଗାର ଅଭିଯାନ ଆରମ୍ଭ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking